ମହାନଦୀରେ ବିଷାକ୍ତ ଫୁକା ମାଛ : ଚିନ୍ତାରେ ମତ୍ସ୍ୟଜୀବୀ, ମତ୍ସ୍ୟ ସଂପଦ ପାଇଁ ବିପଦ

ବୀରମହାରାଜପୁର : ମହାନଦୀରେ ‌ଏବେ ଏକ ନୂଆ ପ୍ରଜାତିର ଫୁକା ମାଛ ଦେଖିବାକୁ ମିଳିଛି। ଏହା ବିଷାକ୍ତ ମାଛ ହୋଇଥିବାରୁ ମତ୍ସ୍ୟଜୀବୀମାନେ ଚିନ୍ତାରେ ପଡ଼ିଛନ୍ତି। ଆଗାମୀ ଦିନରେ ଏହା ମହାନଦୀର ମତ୍ସ୍ୟ ସଂପଦ ପ୍ରତି ବଡ଼ ବିପଦ ସୃଷ୍ଟି କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି।

ଏକଦା ସୁବର୍ଣ୍ଣପୁର ଜିଲ୍ଲା ସ୍ବାଦିଷ୍ଟ ମାଛ ପାଇଁ ସୁପରିଚିତ ଥିବା ବେଳେ ମହାନଦୀ ଅଂଚଳ ମାଛ ସୁଖ୍ୟାତି ପାଇଥିଲା। ଏଠାରେ ମହାନଦୀ ମାଛ ବିବିଧତା ସମ୍ପର୍କିତ ଗବେଷଣା କରୁଥିବା ସୁଶ୍ରୀ ପ୍ରଜ୍ଞା ପାରମିତା ପୁରୋହିତ ଏବେ ଏକ ନୂତନ ପ୍ରଜାତି ମାଛର ସନ୍ଧାନ ପାଇଥିବା ସୂଚନା ଦେଇଛନ୍ତି। କେତେ ବର୍ଷ ପୂର୍ବରୁ ଏଠିକାର ନଦୀପାଣିରେ ୧୦୮ ବିଭିନ୍ନ ପ୍ରକାର ମାଛ ମିଳୁଥିବାର ସୂଚନା ମିଳେ। ହେଲେ ଏବେ ଅଣପାରମ୍ପରିକ ତଥା ବେଆଇନ ମାଛଧରା ପଦ୍ଧତି ଯୋଗୁଁ ୫୦ ପ୍ରକାର ମାଛ ମଧ୍ୟ ମିଳୁ ନଥିବା ମସ୍ୟଜୀବୀ କହନ୍ତି। ଗବେଶିକା ସୁଶ୍ରୀ ପୁରୋହିତ ଓ ମତ୍ସ୍ୟଜୀବୀଙ୍କ ସୂଚନା ମତେ ଆଗରୁ କେବେ ଦେଖା ଯାଉ ନଥିବା ଫୁକାମାଛ ଏଇ ୫/୭ ବର୍ଷ ଭିତରେ ଦ୍ରୁତ ବଂଶବୃଦ୍ଧି କରୁଛନ୍ତି। ଏଭଳି ମାଛ ସାଧାରଣତଃ ସମୁଦ୍ରରେ ଦେଖା ଯାଉଥିବା ବେଳେ ବଙ୍ଗୋପସାଗରରୁ ମହାନଦୀକୁ ଆସିଥବା ଅନୁମାନ କରାଯାଉଛି। ସୋନପୁର ଅଞ୍ଚଳର ପରିବେଶ ସେମାନଙ୍କ ବାସପୋଯୋଗୀ ହୋଇଥିବାରୁ ବଂଶବୃଦ୍ଧିର ହେଉଥିବା ଅନୁମାନ କରାଯାଉଛି।

ବୀରମହାରାଜପୁର ନିକଟସ୍ଥ ଖମ୍ବେଶ୍ବରୀପାଲି ମହାନଦୀ ଘାଟରୁ ମତ୍ସ୍ୟଜୀବୀ ଧୀରେନ୍ଦ୍ର ମାଝୀଙ୍କ ସହାୟତାରେ ସଂଗ୍ରହ କରି ଗବେଷିକା ସୁଶ୍ରୀ ପୁରୋହିତ ଏହାକୁ ଆଂଚଳିକ ଭାଷାରେ ଫୁକାମାଛ କୁହାଯାଉଥିବା ଜାଣିପାରିଛନ୍ତି। ସାଧାରଣରେ ପୁଫର୍‌ଫିସ୍‌ କୁହାଯାଉଥିବା ଏହି ମାଛର ବିଜ୍ଞାନ ନାମ ଟେଟ୍ରାଓଡନ କୁଟକୁଟିଆ। ଏବେ ଏଇ ମାଛ ମଧୁର ପାଣିରେ ରହିବା ଆରମ୍ଭ କଲେଣି। ଏହାର ଲମ୍ବ ପ୍ରାୟ ୧୫ ସେମି ପିଠିପଟର ରଂଗ ସବୁଜ ଓ ମାଟିଆ ଚେପା ଚେପା ଚିତ୍ରିତ ଦାଗ ସବୁ ରହିଥାଏ। ପେଟତଳ ସମ୍ପୂର୍ଣ୍ଣ ଧଳା, ଦେହସାରା ଛୋଟ ଛୋଟ କାତି ଥାଏ, ଆଖି ଦୁଇଟି ଢିମା ଢିମା, ମୁଣ୍ତଟି ବେଙ୍ଗପରି, ମାଛ ପରି ସରୁ ଲାଞ୍ଜଟିଏ ଥାଏ। ଖାଦ୍ୟ ଛୋଟ ଛୋଟ ମାଛ ଓ ପୋକଜୋକ। ଏହା ଗଭୀର ପାଣିରେ ରୁହେ ରାତି ସମୟରେ ଖାଦ୍ୟ ପାଇଁ ବୁଲାବୁଲି କରେ। ଏ ପ୍ରଜାତିର ମାଛ ଅତ୍ୟନ୍ତ ବିଷାକ୍ତ ହେତୁ ଖାଦ୍ୟୋପଯୋଗୀ ନୁହେଁ। ଏଥିରେ ଥିବା ଟିଟିଏକସ୍‌ ନାମକ ବିଷ ସ୍ନାୟବିକ ବିକାର ସୃଷ୍ଟିକରେ। ବିଷକ୍ରିୟାର ଲକ୍ଷଣ ସର୍ପଦଂଶନ ପରି ହୋଇଥାଏ। କୌଣସି ଖାଦକ ପ୍ରଣୀ ଧରିବା ବେଳେ ବେଲୁନ ପରି ଫୁଲି ଉଠେ ଯାହାଫଳରେ ଖାଦକ ଏହାକୁ ପାଟିରେ ଧରିପାରେ ନାହିଁ। ଏହି ଗୁଣ ଯୋଗୁଁ ଏହାକୁ ବେଳୁନ, ଫୁକା, ବଲ ମାଛ ମଧ୍ୟ କୁହାଯାଏ।

ମତ୍ସ୍ୟଜୀବୀ ରାଧେଶ୍ୟାମ ମାଝୀ କହନ୍ତି, ଏହି ଫୁକାମାଛ ୪-୫ ବର୍ଷ ପୂର୍ବରୁ ବହୁ କମ୍‌ ସଂଖ୍ୟାରେ ଦେଖାଯାଉଥିଲେ। ମାତ୍ର ଏବେ ବହୁଳ ଭାବେ ଦେଖା ଯାଉଛନ୍ତି। ସେମାନେ ଜାଲରେ ବାରମ୍ବାର ଲାଗି ସମସ୍ୟା ସୃଷ୍ଟି କରୁଛନ୍ତି। ସେହିପରି ସୁବର୍ଣ୍ଣପୁରର ଜିଲ୍ଲା ମତ୍ସ୍ୟ ଅଧିକାରୀ ଗଜେନ୍ଦ୍ର ପ୍ରଧାନ କହନ୍ତି, ଏହି ଫୁଫର ମାଛ ସାଧାରଣତଃ ସାମୁଦ୍ରିକ ଜୀବ। ମହାନଦୀରେ ଆମେ କେବେ ଏହାକୁ ଦେଖିବାକୁ ପାଇ ନଥିଲୁ। ଏହି ମାଛ ସମ୍ପୂର୍ଣ୍ଣ ଭାବେ ବିଷାକ୍ତ ଏବଂ ଖାଦ୍ୟ ଅନୁପୋଯୋଗୀ। ଗବେଷଣାରୁ ଜଣାଯାଏ ଯେ, ଏହି ମାଛକୁ କେବଳ ଜାପାନ ସରକାରଙ୍କର ସ୍ବୀକୃତିପ୍ରାପ୍ତ ସୀମିତ ରେଷ୍ଟୁରାଣ୍ଟରେ ବିଷହୀନ କଲା ପରେ ଖାଦ୍ୟ ପ୍ରସ୍ତୁତି ହୋଇଥାଏ। ତେଣୁ ଏହା ମହାନଦୀ ପାଇଁ ନିଶ୍ଚିତ ଭାବେ କ୍ଷତିକାରକ।
ଖାଦ୍ୟୋପଯୋଗୀ ନଥିବାରୁ ସେମାନଙ୍କ ବଂଶ ଦ୍ରୁତଗତିରେ ବୃଦ୍ଧି ପାଉଛି। ସମଗ୍ର ମହାନଦୀ ଏବେ ଅଣପାରମ୍ପରିକ ମତ୍ସ୍ୟଜୀବୀଙ୍କ କବ୍‌ଜାରେ ଥିବାରୁ ସେମାନଙ୍କ ଦ୍ବାରା ବ୍ୟବହୃତ ସରୁଜାଲ, ବିଷାକ୍ତତେଲ ଓ ବିଷ୍ପୋରଣ ମହାନଦୀ ଜୈବ ବିବିଧତାକୁ ସମ୍ପୂର୍ଣ୍ଣ ଉଜାଡ଼ି ଦେବାରେ ଲାଗିଛି। ୨୦୧୧ ମସିହାରୁ ଏହା ବିରୋଧରେ ଅଇନ ତିଆରି ସରିଛି ମାତ୍ର କାର୍ଯ୍ୟକାରୀ କରିବାକୁ କେହିଥିବା ପରି ଜଣାପଡୁ ନାହିଁ। କେବଳ ଏହି କାରଣରୁ ମତ୍ସ୍ୟ ପ୍ରଜାତି ତଥା ମତ୍ସ୍ୟବଂଶର ଦ୍ରୁତ ବିଲୁପ୍ତି ହେଉଛି। କିନ୍ତୁ ଫୁକା ମାଛର କେହି ଶତ୍ରୁ ନଥିବାରୁ ଏହାର ଦ୍ରୁତବଂଶ ବୃଦ୍ଧି ହେବାରେ ଲାଗିଛି। ଗବେଷିକା ସୁଶ୍ରୀ ପୁରୋହିତଙ୍କ ସୂଚନା ମତେ ଏବେଠୁ ଫୁକା ମାଛର ମୂଳୋତ୍ପାଟନ ନ ହେଲେ ଆଗକୁ ଉଭୟ ମତ୍ସ୍ୟ ସଂପଦ ଓ ମସ୍ୟଜୀବୀମାନଙ୍କ ପାଇଁ ସମସ୍ୟା ସୃଷ୍ଟି ହେବାର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର