ଛାତ୍ରୀଙ୍କୁ ଯବାନଙ୍କ ଗଣଦୁଷ୍କର୍ମ!

କୋରାପୁଟ/ପଟାଙ୍ଗୀ: କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନା ଅନ୍ତର୍ଗତ କୁନ୍ଦୁଲି ଅଞ୍ଚଳରେ ଜଣେ ନବମ ଶ୍ରେଣୀ ଛାତ୍ରୀ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ୪ଜଣ ଯବାନ ଏହି ଗଣଦୁଷ୍କର୍ମ କରିଥିବା ପୀଡ଼ିତାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ପୀଡ଼ିତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କୋରାପୁଟ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଏପଟେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବିରେ କୁନ୍ଦୁଲି ନିକଟରେ ଜାତୀୟ ରାଜପଥ-୨୬କୁ ଦୀର୍ଘ ସମୟ ଧରି ଅବରୋଧ କରାଯାଇଥିବା ବେଳେ କଂଗ୍ରେସ ପକ୍ଷରୁ କୋରାପୁଟ ଏସ୍‌ପିଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି।

କୋରାପୁଟ ଜିଲ୍ଲା କୁନ୍ଦୁଲି ଅଞ୍ଚଳର ତଥା ସୋରିଷପଦର ଉଚ୍ଚ ବିଦ୍ୟାଳୟର ଜଣେ ନବମ ଶ୍ରେଣୀ ଛାତ୍ରୀ ଆଜି ସକାଳେ ବିଦ୍ୟାଳୟରେ ପ୍ରଦାନ ପାଇଁ ଆବଶ୍ୟକ ଥିବାରୁ ପାସପୋର୍ଟ ସାଇଜର ଫଟୋ ଉଠାଇବା ପାଇଁ କୁନ୍ଦୁଲି ହାଟପଦାକୁ ଆସିଥିଲେ। ଫଟୋ ଉଠାଇବା ପରେ ସେ ଘରକୁ ଫେରିବା ପାଇଁ ଗାଡ଼ି ପାଇ ନ ଥିଲେ। ଫଳରେ ଏକ ଅଟୋରେ ମାର୍‌ଲା ଛକକୁ ଯାଇଥିଲେ। ସେଠାରୁ ଚାଲି ଚାଲି ନିଜ ଗାଁ ମୂଷାଗୁଡ଼ାକୁ ଯାଉଥିବା ସମୟରେ ଜଙ୍ଗଲିଆ ରାସ୍ତାରେ ଛାତ୍ରୀ ଜଣଙ୍କ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି।

ପୀଡ଼ିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଛାତ୍ରୀ ଜଣଙ୍କ ଦିନ ପ୍ରାୟ ୧୧ଟା ବେଳକୁ ଏହି ନିଛାଟିଆ ରାସ୍ତାରେ ଏକୁଟିଆ ଯାଉଥିବା ସମୟରେ ୪ଜଣ ଯବାନ ତାଙ୍କୁ ଟେକି ନେଇଥିଲେ। ରାସ୍ତା କଡ ଜଙ୍ଗଲରେ ଯବାନମାନେ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ। ପରେ ସେଠାରେ ପକାଇ ଦେଇ ଚାଲି ଯାଇଥିଲେ। ବହୁ କଷ୍ଟରେ ଛାତ୍ରୀ ଜଣଙ୍କ ଗାଁ ପାଖରେ ପହଞ୍ଚିଥିଲେ। ତାଙ୍କୁ ଏହି ଅବସ୍ଥାରେ ଦେଖି ପରିବାର ଓ ସମ୍ପର୍କୀୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପଚାରିବାରୁ ସେ ଦୁଷ୍କର୍ମ ସଂପର୍କରେ ସୂଚନା ଦେଇଥିଲେ। ପରେ ତାଙ୍କୁ ସାଙ୍ଗେ ସାଙ୍ଗେ କୁନ୍ଦୁଲି ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ କୋରାପୁଟ ସହିଦ୍‌ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ଏଠାରେ ପୀଡ଼ିତାଙ୍କ ଚିକିତ୍ସା ଚାଲିଛି। ତାଙ୍କ ଅବସ୍ଥା ଏବେ ସ୍ଥିର ରହିଛି ଏବଂ ସେ ବିପଦମୁକ୍ତ ଥିବା ଡାକ୍ତର ଅନୁଲଗ୍ନା ଦାଶ ସୂଚନା ଦେଇଛନ୍ତି।

ପୀଡ଼ିତାଙ୍କ ଭାଇ ଦେଇଥିବା ସୂଚନା ଅନୁଯାୟୀ, ତାଙ୍କ ଭଉଣୀଙ୍କୁ ଅତି ଅମାନୁଷିକ ଭାବେ ଗଣଦୁଷ୍କର୍ମ କରାଯାଇଛି।
ତାଙ୍କର ପୋଷାକପତ୍ର ଚିରିଦେଇଥିଲା ବେଳେ ଦେହରେ ଅନେକ ଆଂଚୁଡ଼ା ଦାଗ ରହିଛି। ଯବାନ ପୋଷାକ ପିନ୍ଧିଥିବା ୪ଜଣ ଲୋକ ଏହି କାମ କରିଥିବା ପୀଡ଼ିତା କହୁଛନ୍ତି। ଏଥିନେଇ ପଟାଙ୍ଗୀ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏ ସମ୍ପର୍କରେ କୋରାପୁଟ ଏସପି କନଓ୍ଵର ବିଶାଳ ସିଂହ କହିଛନ୍ତି ଯେ, ଘଟଣାକୁ ପୁଲିସ ଅତି ଗୁରୁତର ସହ ନେଇଛି। ପଟାଙ୍ଗୀ ଥାନାରେ ଏଥିନେଇ ଏକ ମାମଲା ରୁଜୁ କରାଯାଇଥିଲା ବେଳେ ଏଚଆରପିସି ଡିଏସ୍‌ପି ନରହରି ନାୟକଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି। ତାଙ୍କ ସହ ଇନ୍ସପେକ୍ଟର ମମତା ପାଣିଗ୍ରାହୀ ମଧ୍ୟ ରହିବେ। ଅତିରିକ୍ତ ଏସପି ଭି.ଆର. ରାଓଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି ତଦନ୍ତ ଆରମ୍ଭ ହୋଇଛି। ଏଥିନେଇ ବିଏସ୍‌ଏଫ ଓ କୋବ୍ରା ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେହି ଅଂଚଳକୁ ଆଜି କୌଣସି ଯବାନ ଯାଇ ନ ଥିଲେ ବୋଲି ସେମାନେ କହିଥିବା ଏସପି କହିଛନ୍ତି। ଅପରପକ୍ଷରେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନିଶ୍ଚିତ ବୋଲି ଏସପି ସିଂହ ସୂଚନା ଦେଇଛନ୍ତି।

ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଖବର ପ୍ରଚାରିତ ହେବା ପରେ କୁନ୍ଦୁଲି ଅଂଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ହଜାର ହଜାର ଲୋକ କୁନ୍ଦୁଲି ନିକଟରେ ଜାତୀୟ ରାଜପଥ-୨୬କୁ ଅବରୋଧ କରି ରଖିଛନ୍ତି। ଫଳରେ ଜୟପୁର-ବିଶାଖାପାଟଣା ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ହୋଇଯାଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ହଜାର ହଜାର ଗାଡ଼ି ଅଟକି ରହିଛି। ପୁଲିସ ଲୋକଙ୍କୁ ବୁଝାସୁଝା କରୁଥିଲେ ମଧ୍ୟ କିଛି ସୁଫଳ ମିଳିନି। ଏପଟେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରି କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆଙ୍କ ନେତୃତ୍ୱରେ କଂଗ୍ରେସ ପକ୍ଷରୁ ଏସ୍‌ପି ଅଫିସ ଆଗରେ ଧାରଣା ଦିଆଯାଇଛି।

କଠୋର କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: କୋରାପୁଟରେ ଜଣେ ନାବାଳିକାକୁ ଗଣଧର୍ଷଣ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହାକୁ ଅତ୍ୟନ୍ତ ଅମାନବିକ ବୋଲି ମୁଖ୍ୟମନ୍ତ୍ରୀ ବର୍ଣ୍ଣନା କରିବା ସହ ପୀଡ଼ିତାଙ୍କ ସମ୍ପୂର୍ଣ୍ଣ ଚିକିତ୍ସା ଭାର ରାଜ୍ୟ ସରକାର ବହନ କରିବେ ବୋଲି ଘୋଷଣା କରିଛନ୍ତି। ଯଦି ଆବଶ୍ୟକ ପଡ଼େ ତେବେ ସରକାରୀ ଖର୍ଚ୍ଚରେ ପୀଡ଼ିତାଙ୍କୁ ରାଜ୍ୟ ବାହାରକୁ ନେଇ ଚିକିତ୍ସା କରାଯିବ ବୋଲି ସେ କହିଛନ୍ତି। ଦୋଷୀଙ୍କୁ ତୁରନ୍ତ ଗିରଫ କରିବା ସହ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସ୍‌ ମହାନିର୍ଦ୍ଦେଶକଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର