ମାର୍ଚ ୩୧ରେ ବ୍ଲକ୍‌ ଓ ଅପ୍ରେଲ ୧୧ରେ ଜିଲ୍ଲା ପ୍ରଶାସନକୁ ଘେରିବେ ଗାଁ ସାଥୀ

ଭୁବନେଶ୍ୱର : ଗାଁସାଥୀମାନଙ୍କର ଏକମାତ୍ର ରାଜ୍ୟସ୍ତରୀୟ ସଂଗଠନ ଗାଁ ସାଥୀ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟିର ବ୍ଲକ, ଜିଲ୍ଲା ଓ ରାଜ୍ୟ ସଂଗଠକମାନେ ମିଶି ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ଗାଁ ସାଥୀ ସଂଗଠକମାନଙ୍କର ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସଂଗଠନର ନବ ମନୋନୀତ ସମ୍ପାଦକ ଲକ୍ଷ୍ମୀଧର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଉତ୍କଳ ସାମ୍ବାଦିକ ଭବନ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ବୈଠକରେ ଗୃହୀତ ନିଷ୍ପତ୍ତି ସଂପର୍କରେ ସୂଚନା ଦିଆ ଯାଇଥିଲା।

ସଂଘର ପ୍ରଥମ ନିଷ୍ପତ୍ତି ଅନୁଯାୟୀ ରାଜ୍ୟ ପଞ୍ଚାୟତିରାଜ ପ୍ରଶାସନର ଚିଠି ଓ ଏହାର ୪ଟି ରିମାଇଣ୍ଡରକୁ ରାଜ୍ୟର ଅଧିକାଂଶ ଜିଲ୍ଲା ଓ ବ୍ଲକ ପ୍ରଶାସନ ମାନୁ ନାହାନ୍ତି। ତଦନୁଯାୟୀ ପ୍ରଶାସନିକ ପଦକ୍ଷେପ ନେଉନଥିବାରୁ ରାଜ୍ୟରୁ ମଗାଯାଇଥିବା ଗାଁସାଥୀଙ୍କ ଷ୍ଟାଟସ୍‌ ରିପୋର୍ଟ ଏଯାବତ୍‌ ମାତ୍ର ୭ଟି ଜିଲ୍ଲାରୁ ଆସିପାରିଛି। ଏଣୁ ସଂଘର ନିଷ୍ପତ୍ତି ଅନୁସାରେ ଚଳିତବର୍ଷ ମାର୍ଚ୍ଚ ମାସ ୩୧ ତାରିଖ ଦିନ ରାଜ୍ୟର ସମସ୍ତ ବ୍ଲକ ଓ ଅପ୍ରେଲ ୧୧ତାରିଖରେ ସମସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବ୍ୟାପକ ଆନ୍ଦୋଳନ କରାଯିବ।

ଗତ ୨୧ ଡିସେମ୍ବର ଦିନ ବିଭାଗୀୟ ମନ୍ତ୍ରୀ ୨/୩ ମାସ ମଧ୍ୟରେ ଗାଁସାଥୀଙ୍କ ଦାବି ପୂରଣ ନେଇ ପ୍ରତିଶ୍ରୁତି ଦେଇଥିଲେ। ଏଣୁ ଅବିଳମ୍ବେ ପ୍ରତିଶ୍ରୁତି ଅନୁଯାୟୀ ଦାବିପୂରଣ କରି ଜିଲ୍ଲାମାନଙ୍କୁ ଚିଠି ପ୍ରେରଣ କରିବା ପାଇଁ ସଂଘ ସରକାରଙ୍କୁ ନିବେଦନ ଜଣାଇଛି।

ଗତ ୫ବର୍ଷର ମିଳିତ ସଂଗଠନ ପରେ ଟ୍ରେଡ୍‌ ୟୁନିୟନ ଆକ୍ଟ ଅନୁଯାୟୀ ଗତ ୮ତାରିଖ ଦିନ ସଂଘକୁ ରେଜିଷ୍ଟ୍ରେସନ ନମ୍ବର ମିଳିଥିବା ଶ୍ରୀ ବିଶ୍ୱାଳ ସୂଚନା ଦେଇଥିଲେ। ଆଜିର କାର୍ଯ୍ୟକ୍ରମରେ ନବ ମନୋନୀତ ସଭାପତି ସୌଭାଗ୍ୟ ମିଶ୍ର, ପ୍ରତାପ ମଲ୍ଲିକ, ବନମାଳୀ ଜେନା, ରଶ୍ମିତା ଜେନା, ପବିତ୍ର ସୁନ୍ଦରାୟ, ଚଞ୍ଚଳା ବେହେରା, ଗଗନ ଦାସ, ପ୍ରକାଶ ସିଂହ, ଗୋବିନ୍ଦ ତାଣ୍ଡି, ଖଗେଶ୍ୱର ପଲାଇ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର