ଗୋଟିଏ ମିସ୍‌ଡ କଲ୍‌ରେ ଘରେ ପହଞ୍ଚିବ ଗ୍ୟାସ, ଡାଏଲ୍‌ ୮୪୫୪୯୫୫୫୫୫

ନୂଆବର୍ଷରେ ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଉପହାର

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ୱରର ସମେତ ସମଗ୍ର ଦେଶରେ ଇଣ୍ଡିଆନ ଅଏଲର ଉପଭୋକ୍ତାଙ୍କ ପାଇଁ ଭଲ ଖବର। ରନ୍ଧନ ଗ୍ୟାସ ରିଫିଲ ବୁକିଂ ଏବଂ କେବଳ ଭୁବନେଶ୍ୱରରେ ନୂତନ ଗ୍ୟାସ ସଂଯୋଗର ପଞ୍ଜୀକରଣ ଏବେ ମିସଡ୍ କଲ୍‌ରେ ହୋଇଯିବ। ଆଜି ଇଣ୍ଡିଆନ ଅଏଲ ଦ୍ୱାରା ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମର ଆରମ୍ଭ କରିଛନ୍ତି। ଇଣ୍ଡିଆନ ଅଏଲର ଉପଭୋକ୍ତାମାନେ ଏଣିକି ମୋବାଇଲ ଫୋନରୁ ୮୪୫୪୯୫୫୫୫୫ ନମ୍ବରରେ ଗୋଟିଏ ମିସକଲ୍ ଦେଲେ ଘରେ ଗ୍ୟାସ ପହଁଚିଯିବ ଓ ନୂଆ ଗ୍ୟାସ ସଂଯୋଗ ପାଇଁ ପଞ୍ଜୀକରଣ ହୋଇପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଏହି ଅବସରରେ ଶ୍ରୀ ପ୍ରଧାନ ଦ୍ୱିତୀୟ ପର୍ଯ୍ୟାୟରେ ଭୁବନେଶ୍ୱର ସମେତ ଦେଶର ୭ଟି ବଡ଼ ସହର ଯଥା ଚେନ୍ନାଇ, ବାଙ୍ଗାଲୋର, ହାଇଦ୍ରାବାଦ, କୋଲକତା, କୋଚି, ଇନ୍ଦୋର ସହରରେ ଇଣ୍ଡିଆନ ଅଏଲ ଦ୍ୱାରା ବିକଶିତ ଦେଶର ପ୍ରଥମ ବିଶ୍ୱସ୍ତରୀୟ ପ୍ରିମିୟମ ଗ୍ରେଡ୍ ପେଟ୍ରୋଲ ‘ଅକ୍ଟେନ ୧୦୦’ ତଥା ଏକ୍ସପି ୧୦୦ର ପ୍ରଚଳନ କରିଛନ୍ତି। ସେହିପରି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆସାମର ଦିଗବୋଇ ବିଶୋଧନାଗାରରୁ ଏକ୍ସପି ୧୦୦ର ପ୍ରଥମ ବ୍ୟାଚକୁ ସବୁଜ ପତକା ପ୍ରଦର୍ଶନ ଦ୍ୱାରା ଶୁଭାରମ୍ଭ କରାଯାଇଛି।

ଏସବୁ କାର୍ଯ୍ୟକ୍ରମ ପାଇଁ କେନ୍ଦ୍ରମନ୍ତ୍ରୀ ଆଇଓସିଏଲକୁ ଧନ୍ୟବାଦ ଦେବା ସହ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଇଜ୍ ଅଫ୍ ଲିଭିଂକୁ ସର୍ବାଧିକ ପ୍ରାଥମିକତା ଦେଇଥିବା ବେଳେ ଆଜି ଭୁବନେଶ୍ୱରରୁ ରାଷ୍ଟ୍ରୀୟ ସୁବିଧାର ଉପଲବ୍ଧ ହେବା ଏହାର ବଡ଼ ଉଦାହରଣ । ଏହା ନୂଆବର୍ଷରେ ଭୁବନେଶ୍ୱର ଓ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଉପହାର। ତେବେ ଖୁବଶୀଘ୍ର ଓଡ଼ିଶାରେ ସବୁ ଇଣ୍ଡେନର ଗ୍ରାହକ ମାନଙ୍କୁ ଏହି ମିସଡ୍ କଲ୍‌ରେ ଗ୍ୟାସ ପଞ୍ଜୀକରଣ ସୁବିଧା ଉପଲବ୍ଧ କରାଯିବ ଏବଂ ଆଗାମୀ କିଛି ମାସ ମଧ୍ୟରେ ସମଗ୍ର ଦେଶରେ ଏହି ଡିଜିଟାଲ ସୁବିଧା ଉପଲବ୍ଧ ହେବ। ଅନେକ ଲୋକ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଡ଼ିଜିଟାଲ ଇଣ୍ଡିଆ ନେଇ ମଜାକ୍ କରୁଥିବା ବେଳେ ବର୍ତମାନ ଗୋଟିଏ ସୁଇଚ୍ ଟିପିଲେ ଘରେ ଗ୍ୟାସ ପହଁଚିବା କେବଳ ଡ଼ିଜିଟାଲ ଇଣ୍ଡିଆରେ ହିଁ ସମ୍ଭବ ହୋଇପାରିଛି ବୋଲି କେନ୍ଦ୍ରମନ୍ତ୍ରୀ ଦୃଢୋକ୍ତି ପ୍ରକାଶକରି କହିଥିଲେ ଯେ ଗରିବରୁ ଗରିବ ଲୋକଙ୍କ ପାଖରେ ମଧ୍ୟ ସମସ୍ତ ସୁବିଧା ପହଁଚାଇବା ଭାରତ ସରକାରଙ୍କ ଲକ୍ଷ୍ୟ।

ଏହି ଅବସରରେ ଶ୍ରୀ ପ୍ରଧାନ ମହିଳା କାର୍ଡ ଖେଳିଥିଲେ। କହିଥିଲେ ଯେ କେନ୍ଦ୍ର ସରକାର ମହିଳାଙ୍କୁ ସର୍ବୋପରି ଗୁରୁତ୍ୱ ଦେଇ ଆସୁଛନ୍ତି । ସମସ୍ତଙ୍କ ଘରେ ଗ୍ୟାସ ଉପଲବ୍ଧ କରାଇବା ମହିଳାଙ୍କ ସ୍ୱାସ୍ଥ୍ୟ, ଜୀବନ ଓ ସେମାନଙ୍କ ପରିବାର ସହ ଜଡ଼ିତ। ପୂର୍ବ ସରକାରରେ ଓଡ଼ିଶାରେ ୧୦୦ରେ ହାରାହାରି ୨୨ ଜଣଙ୍କ ଘରେ ରନ୍ଧନ ଗ୍ୟାସ ଥିବା ବେଳେ ଏବେ କିନ୍ତୁ ମୋଦୀ ସରକାର ଅମଳରେ ଏହା ବୃଦ୍ଧି ପାଇ ୮୦%ରେ ପହଁଚିଛି। ଖୁବଶୀଘ୍ର ଏହାକୁ ଶତପ୍ରତିଶତ କରାଯିବ। ଏହା ହିଁ ମୋଦୀ ସରକାରଙ୍କ ମହିଳାଙ୍କ ପ୍ରତି ଯୋଜନାର ବଳିଷ୍ଠ ପ୍ରମାଣ ବୋଲି ଧର୍ମେନ୍ଦ୍ର କହିଛନ୍ତି।

କେନ୍ଦ୍ରମନ୍ତ୍ରୀ କହିଥିଲେ, ହାଇଗ୍ରେଡ୍ ଯୁକ୍ତ ତୈଳ ଇନ୍ଧନକୁ ଇଣ୍ଡିଆନ ଅଏଲ ପକ୍ଷରୁ ‘ଏକ୍ସପି ୧୦୦’ ନାମରେ ବ୍ରାଣ୍ଡିଂ କରାଯାଇଛି। ପ୍ରିମିୟମ ଯାନ ମାନଙ୍କରେ ଏହି ତୈଳର ବ୍ୟବହାର ଦ୍ୱାରା ଇଞ୍ଜିନର ଗତି ବଢ଼ିବ। ଗତ ଡିସମ୍ବେର୧ରେ ପ୍ରଥମ ପର୍ଯ୍ୟାୟରେ ଦେଶର ୧୦ଟି ସହର ଯଥା ଦିଲ୍ଲୀ, ଗୁଡଗାଁଓ, ନୋଏଡ଼ା, ଆଗ୍ରା, ଜୟପୁର, ଚଣ୍ଡିଗଡ଼, ଲୁଧିଆନା, ମୁମ୍ବାଇ, ପୁନେ, ଅହମ୍ମଦବାଦରେ ଏହି ହାଇଗ୍ରେଡ୍ ଯୁକ୍ତ ତୈଳ ଇନ୍ଧନକୁ ଉପଲବ୍ଧ କରାଯାଇଥିଲା।

ସମ୍ବନ୍ଧିତ ଖବର