ଦୁଇ ଦିନିଆ ପୂର୍ବାଞ୍ଚଳ ଜେରିଆଟିକ୍ କର୍ମଶାଳା

ଖୁବଶୀଘ୍ର ଆରମ୍ଭ ହେବ ୧୦ଟି ଜେରିଆଟିକ୍ ୱାର୍ଡର ନିର୍ମାଣ

ଭୁବନେଶ୍ବର : ରାଜଧାନୀରେ ଦୁଇ ଦିନିଆ ପୂର୍ବାଞ୍ଚଳ ଜେରିଆଟିକ୍‌ କର୍ମଶାଳା ଓ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଏଡିଜି ଡା.ଗୌରୀ ସେନଗୁପ୍ତା, ପରାମର୍ଶଦାତା ଡା.ଇନ୍ଦ୍ର ପ୍ରକାଶ ଯୋଗ ଦେଇଛନ୍ତି। ବୟସ୍କ ଲୋକମାନଙ୍କ ସ୍ବାସ୍ଥ୍ୟର ଯତ୍ନ ପାଇଁ କାର୍ଯ୍ୟକାରୀ ହୋଇଥିବା ବୟସ୍କ ଲୋକଙ୍କ ସ୍ବାସ୍ଥ୍ୟର ଯତ୍ନ ବା ଏନ୍‌ପିଏଚ୍‌ସିଆଇ ଅଧୀନ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା ହୋଇଛି। ଦେଶର ବିଭିନ୍ନ ରାଜ୍ୟରେ ଆଞ୍ଚଳିକ ଜେରିଆଟିକ୍‌ କେନ୍ଦ୍ର ପ୍ରତିଷ୍ଠା କରାଯିବା ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ରାଜ୍ୟରେ ୭ଟି ଜିଲ୍ଲାରେ ଏହି ୱାର୍ଡ ପ୍ରତିଷ୍ଠା ହୋଇଥିବା ବେଳେ ୧୩ଟିର ନିର୍ମାଣ ଚାଲୁ ରହିଛି। ଅନ୍ୟ ୧୦ଟିର କାର୍ଯ୍ୟ ଶୀଘ୍ର ଆରମ୍ଭ ହେବାକୁ ଯାଉଥିବା ସଂପର୍କରେ ସୂଚନା ମିଳିଛି।

ରାଜ୍ୟରେ କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଆଞ୍ଚଳିକ ଜେରିଆଟିକ୍‌ କେନ୍ଦ୍ର କାର୍ଯ୍ୟ କରୁଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଏହାକୁ ସଂପ୍ରସାରିତ କରାଯାଇଛି। ବୟସ୍କ ଲୋକଙ୍କ ପାଇଁ ଜେରିଆଟିକ୍ ୱାର୍ଡରେ ୧୦ଟି ଶଯ୍ୟା ରହିଛି। ଜେରିଆଟିକ୍ ୱାର୍ଡରେ ବୟସ୍କ ଲୋକଙ୍କ ସ୍ବାସ୍ଥ୍ୟର ଯତ୍ନ ସହିତ ଫିଜିଓଥେରାପି ଓ ବାର୍ଦ୍ଧକ୍ୟ ଜନିତ ସ୍ବାସ୍ଥ୍ୟ ସୁରକ୍ଷା ପରାମର୍ଶର ମଧ୍ୟ ବ୍ୟବସ୍ଥା ରହିଛି। ତାଲିମପ୍ରାପ୍ତ ଡାକ୍ତର ଓ ନର୍ସ ରହିଛନ୍ତି। ଏହାସହ ସମୀକ୍ଷା ବୈଠକରେ ଓଲ୍‌ଡଏଜ୍ ହୋମ ସଂପର୍କରେ ଆଲୋଚନା ହୋଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଏସ୍‌ସିବି ମେଡିକାଲ କଲେଜରେ ଥିବା ଆଞ୍ଚଳିକ ଜେରିଆଟିକ କେନ୍ଦ୍ରର ମୁଖ୍ୟ ପ୍ରଫେସର ଧୀରେନ୍ଦ୍ର ନାଥ ମହାରଣା, ରାଜ୍ୟ ନୋଡାଲ ଅଧିକାରୀ ଡା.ରଶ୍ମିରଂଜନ ଶତପଥୀ ଓ ଅନ୍ୟମାନେ ଯୋଗ ଦେଇଥିଲେ। ଏହି କର୍ମଶାଳାରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ସିକିମ୍ ଓ ଆଣ୍ଡାମାନ ଓ ନିକୋବାର ଆଞ୍ଚଳିକ ଜେରିଆଟିକ୍ କେନ୍ଦ୍ରର ମୁଖ୍ୟ ଓ ନୋଡାଲ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର