ଟିପ ଚିହ୍ନରେ ଭୂତ ନେଉଛନ୍ତି ଭତ୍ତା! ଜଣେ ନୁହେଁ, ୪୭ଜଣ ମୃତ ବ୍ୟକ୍ତିଙ୍କୁ ମିଳୁଛି ଭତ୍ତା

କଟକ : ମୃତ୍ୟୁକୁ ୪ ବର୍ଷ ପୂରିବ। ହେଲେ ଆଜି ପର୍ଯ୍ୟନ୍ତ ମୃତକଙ୍କ ନାଁରେ ଉଠୁଛି ଭତ୍ତା। କେବଳ ଜଣେ ନୁହେଁ, ଏଭଳି ୪୭ଜଣ ଭୂତ ଟିପ ଚିହ୍ନ ଦେଇ ଉଠାଉଛନ୍ତି ଭତ୍ତା। ମୃତକଙ୍କ ନାଁରେ ଭତ୍ତା ଟଙ୍କା ଉଠାଯାଉଥିବା ସଂପର୍କରେ ସୂଚନା ଅଧିକାର ଆଇନ ବଳରେ ସାମ୍ନାକୁ ଆସିଛି ଏଭଳି ସଂଘାତିକ ତଥ୍ୟ। ଟିପ ଚିହ୍ନ ଦେଇ ଏଭଳି ଭିନ୍ନ ଢଙ୍ଗରେ ବାର୍ଦ୍ଧକ୍ୟ ଭତ୍ତା ହିତାଧିକାରୀଙ୍କ ନାଁରେ ଉଠାଯାଉଛି। ବାଙ୍କୀ ବ୍ଲକ୍‌ କଦଳୀବାଡି ପଞ୍ଚାୟତରେ ଦେଖିବାକୁ ମିଳିଛି ଭତ୍ତା ଯୋଜନାର ଏଭଳି ସାଂଘାତିକ କେଳେଙ୍କାରୀ। ମୃତକଙ୍କ ପରିବାର ଅଭିଯୋଗ ଆଣିବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ତେବେ କିଏ ନେଉଛି ଭୂତଙ୍କ ଟଙ୍କା, ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି।

ବାଙ୍କୀ ବ୍ଲକ୍‌କଦଳୀବାଡ଼ି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମାଳବିହାରପୁର ଗ୍ରାମର ଏକାଦଶୀ ସାହୁଙ୍କର ଗତ ୨୦୧୮ ମସିହା ମାର୍ଚ୍ଚ ୧୫ ତାରିଖରେ ପରଲୋକ ଘଟିଥିଲା। ହେଲେ ତାଙ୍କ ବାର୍ଦ୍ଧକ୍ୟ ଭତ୍ତା ୨୦୨୧ ମସିହା ସେପ୍ଟେମ୍ବର ମାସରେ ମଧ୍ୟ ପଞ୍ଚାୟତ କାର୍ଯ୍ୟାଳୟରେ ଉଠାଯାଇଛି ବୋଲି ଜଣାପଡିଛି। ଏହି ଟଙ୍କା ଆକାଉଣ୍ଟକୁ ଯାଇ ନାହିଁ, ନଗଦ ଅର୍ଥ ରାଶି ଏକାଦଶୀ ନେଇଛନ୍ତି ବୋଲି କୁହାଯାଇଛି। ତାଙ୍କ ପୁଅ ରଞ୍ଜନଙ୍କ ଅଭିଯୋଗ ଅନୁସାରେ ପିତା ଏକାଦଶୀଙ୍କ ମୃତ୍ୟୁକୁ ୩ବର୍ଷ ପୂରଲାଣି। ସେ ବଞ୍ଚିଥିବା ସମୟରେ ଠିକ୍‌ ଭାବେ ଭତ୍ତା ମିଳୁ ନଥିଲା। ଏ ବାବଦରେ କେବେ ମୁହଁ ଖୋଲି ନଥିଲେ। ତାଙ୍କ ମୃତ୍ୟୁପରେ ଏହି ଟଙ୍କାକୁ କିଏ ଗ୍ରହଣ କରିଛି, ତାହା ସେ ଜାଣନ୍ତି ନାହିଁ ବୋଲି କହିଛନ୍ତି। ହେଲେ ପଞ୍ଚାୟତରେ ନିୟମିତ ଭାବେ ଏଭଳି ବେନିୟମ କାର୍ଯ୍ୟ ଚାଲିଛି ବୋଲି ରଞ୍ଜନ ଅଭିଯୋଗ କରିଛନ୍ତି। ଏହି ପଞ୍ଚାୟତର ମଙ୍ଗୁଳି ବେହେରା, ଚାନ୍ଦିନୀ ବେୱା, କରୁଣା ପ୍ରଧାନ, ଭାସ ଜେନା, ବଂଶୀଧର ବେହେରା, ସଜନୀ ଦେଇ, ମଙ୍ଗୁଳି ମହାରଣା, ଲିଙ୍ଗରାଜ ସେଠୀ, ଅଧିକାରୀ ବେହେରା, ସୁକଦେବ ଖଟୁଆ, ଘନଶ୍ୟାମ ସ୍ୱାଇଁ, ପଞ୍ଚାନନ ଜେନା, ମାମି ଖଟୁଆ, ମାୟାଧର ବାରିକ, ଅମୂଲ୍ୟ ମହାରଣା, ଚନ୍ଦ୍ରମଣୀ ବେହେରା, ଭିକାରି ନାୟକ, ରେବତୀ ଦେଇ, ପ୍ରଭାକର ବେହେରା, ବୀରବର ମହାରଣା, ଉଷାମଣୀ ଦେଈ, ରାଧା ମହାରଣା, କୃତୀବାସ ସେଠୀ, ଆକୁଳ ଜେନା, କୁଳମଣୀ ଖଟୁଆ, ଗୁଣନିଧି ବେହେରାଙ୍କ ସମେତ ଅନ୍ୟ କିଛି ମୃତକଙ୍କ ଟଙ୍କା ସେପ୍ଟେମ୍ବର ମାସରେ ଉଠାଣ ହୋଇଛି। ଯେଉଁମାନେ ବହୁପୂର୍ବରୁ ମୃତ୍ୟୁ ବରଣ କରି ସାରିଛନ୍ତି। ଗ୍ରାମର ସାମାଜିକକର୍ମୀ ଅରୂପ କୁମାର ବେହେରା କହିଛନ୍ତି ଯେ, ବ୍ଲକ କାର୍ଯ୍ୟାଳୟରୁ ଟଙ୍କା ଉଠାଯାଇ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଏହା ବଣ୍ଟନ କରାଯାଏ। ଏଭଳି ବେନିୟମ କାର୍ଯ୍ୟ କିଛି ବର୍ଷ ହେବ ଚାଲି ଆସୁଛି ବୋଲି ଶୁଣିବାକୁ ମିଳୁଥିଲା। ହେଲେ ଏବେ ଏହା ସ୍ପଷ୍ଟ ହୋଇଛି।

ସମ୍ବନ୍ଧିତ ଖବର