ଛାତ୍ରୀ ଗଣଦୁଷ୍କର୍ମ ନେଇ ରାଜନୀତି ତେଜିଲା : ଭବାନୀପାଟଣାରେ ବିଜେଡିର ବିକ୍ଷୋଭ

ଭବାନୀପାଟଣା : ଜୁନାଗଡ଼ ଛାତ୍ରୀ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟ ଅଭିଯୁକ୍ତ ବସ୍‌ ଡ୍ରାଇଭର ଲଳିତ୍ରେନ୍ଦ୍ର ଶବରକୁ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଘଣ୍ଟ ଘୋଡ଼ାଉଛନ୍ତି ବୋଲି ବିଜେପି ନେତ୍ରୀ ଲେଖା‌ଶ୍ରୀ ସାମନ୍ତସିଂହାର ଭୁବନେଶ୍ବରରେ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିବା ପରେ ଏହାକୁ ନେଇ ଜିଲ୍ଲା ବିଜେଡିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆଜି ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ଭବାନୀପାଟଣା ସହରସ୍ଥିତ ଗାନ୍ଧୀଛକଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ଫଟୋଚିତ୍ର ଦାହ କରିବା ସହ ବିଜେପି ଜୁନାଗଡ଼ ଗଣଦୁଷ୍କର୍ମ ଭଳି ଗୋଟିଏ ସ୍ପର୍ଶକାତର ଘଟଣାରେ ରାଜନୀତି କରିବା କ୍ଷୋଭର ବିଷୟ ବୋଲି କୁହାଯାଇଛି।

ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ ଓ ଛାତ୍ର ବିଜେଡି ସଭାପତି ଅବିନାଶ ଠାକୁରଙ୍କ ନେତୃତ୍ବରେ ଶତାଧିକ କର୍ମୀ ସ୍ଥାନୀୟ ଗାନ୍ଧୀ ଛକଠାରେ ବିଜେପି ବିରୋଧରେ ନାରାବାଜି ଦେବା ସହ କଳାହାଣ୍ଡିର ଗଣଦୁଷ୍କର୍ମ ମାମଲାରେ ରାଜନୀତି ଆରମ୍ଭ କରିଥିବାରୁ ବିଜେପି ନେତ୍ରୀ ଲେଖାଶ୍ରୀଙ୍କ ଫଟୋଚିତ୍ରକୁ ଦାହ କରିଥିଲେ। ଆରମ୍ଭରୁ ବିଜେଡିର ଛାମୁଆ ସଂଗଠନ ଏହି ଘଟଣାରେ ଦୋଷୀ ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା। ପୁଲିସ ଉପରେ କୌଣସି ଚାପ ନାହିଁ ଏବଂ ପୁଲିସ ତତ୍ପରତା ସହ ଦୋଷୀମାନଙ୍କୁ ଶୀଘ୍ର ଗିରଫ କରିଛି। ପୀଡ଼ିତାଙ୍କ ସାନି ବୟାନ ପରେ ବସ୍‌ ଡ୍ରାଇଭର ଗିରଫ ହୋଇଛି ବୋଲି ଛାତ୍ର ସଭାପତି ଅବିନାଶ ଠାକୁର କହିଛନ୍ତି। ବାରମ୍ବାର ମହିଳାଙ୍କୁ ଅପମାନିତ କରିଥିବା ଲେଖାଶ୍ରୀ ପ୍ରେସ୍‌ମିଟ କରି ତୁଚ୍ଛ ରାଜନୀତି କରିବା ଜିଲ୍ଲା ପାଇଁ ଅପମାନ ବୋଲି ଉଭୟ ସଂଗଠନ ଅଭିଯୋଗ ଆଣିଛନ୍ତି। ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବଦନାମ୍ କରିବା ପାଇଁ ଲେଖାଶ୍ରୀ ଉଦ୍ୟମ କରିଛନ୍ତି ବୋଲି ବିଜେଡି ପକ୍ଷରୁ କୁହାଯାଇଛି। ଏହି ବିକ୍ଷୋଭରେ ଯୁବ ସଭାପତି ଆଦିତ୍ୟ ନନ୍ଦ,  ଛାତ୍ର ସଭାପତି ଅବିନାଶ ଠାକୁର, ଜିଲ୍ଲା ସମ୍ପାଦକ ଭବାନୀ ଶଙ୍କର ନିଆଲ, ଟିକେଲାଲ ସାହୁ,  ଯୁବନେତା ଚିତ୍ତରଞ୍ଜନ ମଣ୍ଡଳ, ପ୍ରାଣ ନାଏକ, ପ୍ରଶାନ୍ତ ନାଏକ, ନଗର କାର୍ଯ୍ୟକାରୀ ସଭାପତି ପ୍ରଦୀପ ଦାସ, ଛାତ୍ର ନେତା ଅଭିଷେକ ମହାପାତ୍ର, ଅମରଦୀପ ସିଂ, ହରିଶ ଅହିର, ଯଯାତି ମହାନ୍ତି, କ୍ଷୀରସିନ୍ଧୁ ନାଏକ, ଉଦୟ ସୁନାନୀ, ରବି ପଟ୍ଟନାୟକ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର