ଗୁଣ୍ଡିଚା ଯାତ୍ରା ପାଇଁ ଶ୍ରୀକ୍ଷେତ୍ର ଗଲା ଗୀତଗୋବିନ୍ଦ ଖଣ୍ଡୁଆ ପାଟ

ତିଗିରିଆ : ଗୁଣ୍ଡିଚା ଯାତ୍ରା ପାଇଁ କଟକ ଜିଲ୍ଲା ତିଗିରିଆରୁ ପୁରୀ ଶ୍ରୀକ୍ଷେତ୍ରକୁ ଯାଇଛି ଗୀତଗୋବିନ୍ଦ ଖଣ୍ଡୁଆ ପାଟ ଓ ତାରାବଳୀ ପାଟ। ହସ୍ତତନ୍ତ ଗ୍ରାମ ନୂଆପାଟଣା ସାନସାହିର କାରିଗରଙ୍କ ଦ୍ବାରା ପ୍ରସ୍ତୁତ ଏହି ପାଟକୁ ଶ୍ରୀମନ୍ଦିର ପ୍ରଶାସନ ଗ୍ରହଣ କରିଛି। ନୂଆପାଟଣା ସାନ ସାହିର ବୁଣାକାର ବିଶ୍ୱନାଥ ଗୁଇଁ (୬୦)ଙ୍କ ପରିବାର ପୁରୁଷାନୁକ୍ରମେ ଏହି ପାଟ ପ୍ରସ୍ତୁତ କରୁଛନ୍ତି।

ବିଶ୍ୱନାଥ ଗୁଇଁଙ୍କ ପରିବାର ପକ୍ଷରୁ ବଂଶାନୁକ୍ରମିକ ଭାବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ଏହି ସେବା ଯୋଗାଇ ଦିଆଯାଉଛି। ପୂର୍ବରୁ ତାଙ୍କର ବଡ଼ ଜେଜେ ସ୍ବର୍ଗତ କାଳନ୍ଦୀ କଟୁଆଳ ଓ ଜେଜେ ସ୍ବର୍ଗତ ଗୋପୀନାଥ ଗୁଇଁ ଏହି କାର୍ଯ୍ୟ ସମ୍ପାଦନ କରୁଥିଲେ। ପରେ ତାଙ୍କ ବାପା ସ୍ବର୍ଗତ ସୁଦାମ ଗୁଇଁ ଏହି କାର୍ଯ୍ୟ କରୁଥିଲେ। ଏହି ସେବା ପାଇଁ ବାପା ସ୍ବର୍ଗତ ସୁଦାମ ଗୁଇଁଙ୍କୁ ତତ୍କାଳୀନ ରାଷ୍ଟ୍ରପତି ସ୍ବର୍ଗତ ଫକରୁଦ୍ଦିନ ଅଲ୍ଲୀ ଅହମ୍ମଦ ୧୯୭୬ ମସିହାରେ ସମ୍ମାନିତ କରିଥିଲେ। ୧୯୭୭ରୁ ବିଶ୍ଵନାଥ ନିଜେ ଏହି କାର୍ଯ୍ୟ ସମ୍ପାଦନ କରି ଆସୁଛନ୍ତି। ଗୁଣ୍ଡିଚା ଯାତ୍ରାରେ ଆବଶ୍ୟକ ଗୀତଗୋବିନ୍ଦ ଖଣ୍ଡୁଆ ପାଟ ସମେତ ମହାପ୍ରଭୁଙ୍କ ଅନ୍ୟ ନୀତି ଯଥାକ୍ରମେ ସ୍ନାନ ପୂର୍ଣ୍ଣିମା, ଖଳିଲାଗି ଏକାଦଶୀ, ବାହୁଡ଼ା, ସୁନା ବେଶ, ନୀଳାଦ୍ରି ବିଜେ ଓ ସପ୍ତାହର ସାତଦିନ ପାଇଁ ଆବଶ୍ୟକ ସାତଟି ରଙ୍ଗର ପାଟ ମଧ୍ୟ ବିଶ୍ୱନାଥ ନିଜ ଘରେ ପ୍ରସ୍ତୁତ କରୁଥିବା କହିଛନ୍ତି। ମହାପ୍ରଭୁ ପିନ୍ଧୁଥିବା ରବିବାର ଲାଲ ରଙ୍ଗର ପାଟ, ସୋମବାର ଧଳା ରଙ୍ଗର ପାଟ ସହ କଳା ଛିଟ, ମଙ୍ଗଳବାର ବାରପାଟିଆ ପାଟ, ବୁଧବାର ଶାଗୁଆ, ଗୁରୁବାର ହଳଦିଆ, ଶୁକ୍ରବାର ଧଳା ପାଟରେ ଲାଲ ରଙ୍ଗର କୁମ୍ଭ, ଶନିବାର କଳା କିମ୍ବା ନୀଳ ରଙ୍ଗର ପାଟ ସେ ପ୍ରସ୍ତୁତ କରୁଥିବା ସୂଚନା ଦେଇଛନ୍ତି। ଏହାବ୍ୟତୀତ ମହାପ୍ରଭୁଙ୍କ ପହୁଡ଼ ନୀତି ପାଇଁ ପ୍ରତ୍ୟହ ରାତିରେ ଆବଶ୍ୟକ ହେଉଥିବା ଗୀତଗୋବିନ୍ଦ ଖଣ୍ଡୁଆ ପାଟ, ମହାପ୍ରଭୁଙ୍କ ଦେବ ଦୀପାବଳିରୁ ତିନିଦିନ ଧରି ପିନ୍ଧୁଥିବା ସୂତାରେ ତିଆରି  ନାଗପୁରୀ ପାଟ, ମାର୍ଗଶିର ମାସ ଷଷ୍ଠୀ ତିଥିରେ ପିନ୍ଧୁଥିବା ଓଢଣୀ ଷଷ୍ଠୀ ପାଟ ବା ଶୀତ ବସ୍ତ୍ର ମଧ୍ୟ ସେ ପ୍ରସ୍ତୁତ କରନ୍ତି।

ଚଳିତବର୍ଷ ଲକ୍‌ଡାଉନ୍‌ ପାଇଁ ପାଟର ଚାହିଦା କିଛି ମାତ୍ରାରେ ମାନ୍ଦା ପଡ଼ିଛି। ପାଟ ଉପରେ ଗୀତଗୋବିନ୍ଦ ଶ୍ଳୋକ ଲେଖୁଥିବା ମୁଖ୍ୟ ବୁଣାକାର ହରି କଟୁଆଳ, ଭଣଜା ସମୀର ରଞ୍ଜନ ଗୁଇଁ, ନରସିଂହ କଟୁଆଳ, ସଦାନନ୍ଦ ଦାସ, ଅରୁପମା ନାହା, ପ୍ରଦୀପ ଗଣ୍ଠିଆ ପ୍ରମୁଖ ଶ୍ରୀ ଗୁଇଁଙ୍କୁ ଏହି କାର୍ଯ୍ୟରେ ସହଯୋଗ କରିଛନ୍ତି।

ପ୍ରକାଶଥାଉକି, ଉଭୟ ଖଣ୍ଡୁଆପାଟ ଓ ତାରାବଳୀ ପାଟରେ ଗୀତଗୋବିନ୍ଦ ‌ଶ୍ଳୋକ ତନ୍ତ ମାଧ୍ୟମରେ ଲେଖାଯାଇଥାଏ।

ସମ୍ବନ୍ଧିତ ଖବର