ଗୀତାଞ୍ଜଳି ଦାଶ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତି

ଭୁବନେଶ୍ବର : ପ୍ରଫେସର୍‌ ଗୀତାଞ୍ଜଳି ଦାଶ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ନୂଆ କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି। ଓଡ଼ିଶା ବିଶ୍ବବିଦ୍ୟାଳୟ ଆଇନ ୧୯୮୯ର ସେକ୍ସନ ୬ର ସବ୍‌ସେକ୍ସନ ୭ ଅନୁଯାୟୀ ବିଶ୍ବବିଦ୍ୟାଳୟ କୁଳାଧିପତି ତଥା‌ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଆଜି ପ୍ରଫେସର ଦାଶଙ୍କୁ ବିଶ୍ବବିଦ୍ୟାଳୟ କୁଳପତି ଭାବେ ନିଯୁକ୍ତ କରିଛନ୍ତି। କାର୍ଯ୍ୟଭାର ଗ୍ରହଣ କରିବା ଦିନଠାରୁ ଆସନ୍ତା ୪ବର୍ଷ ପାଇଁ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସେ କୁଳପତି ଭାବେ ଦାୟିତ୍ବରେ ରହିବେ। ଫକୀର ମୋହନ ବିଶ୍ୱବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗର ଅବସରପ୍ରାପ୍ତ ପ୍ରଫେସର ଦାଶଙ୍କର ୩୬ ବର୍ଷରୁ ଅଧିକ ଶିକ୍ଷକତା ଅଭିଜ୍ଞତା ରହିଛି। ୧୨ବର୍ଷ ଧରି ପ୍ରଫେସର ଭାବେ କାର୍ଯ୍ୟ କରିଛନ୍ତି। ୫ଟି ପୁସ୍ତକ ରଚନା କରିବା ସହ ତାଙ୍କ ଅଧୀନରେ ୪ଜଣ ଛାତ୍ରଛାତ୍ରୀ ପିଏଚ୍‌ଡି ଓ ୩୫ଜଣ ଏମ୍‌.ଫିଲ୍ କରିଛନ୍ତି।

ସୂଚନାଯୋଗ୍ୟ ଯେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଗୋବିନ୍ଦ ଚକ୍ରପାଣିଙ୍କ କାର୍ଯ୍ୟକାଳ ଶେଷ ହେବାପୂର୍ବରୁ ଇସ୍ତଫା ଦେଇଛନ୍ତି। ଅକ୍ଟୋବର ମାସରେ ତାଙ୍କ କାର୍ଯ୍ୟକାଳ ଶେଷହେବାକୁ ଥିବାବେଳେ ବ୍ୟକ୍ତିଗତ ସମସ୍ୟା ଦର୍ଶାଇ ସେ ପଦ ଛାଡ଼ିବାକୁ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କଠାରୁ ଅନୁମତି ଲୋଡ଼ିଥିଲେ। ତାଙ୍କ ଅନୁମତିପତ୍ରକୁ କୁଳାଧିପତି ଗ୍ରହଣ କରିବା ସହ ନୂତନ କୁଳପତି ଚୟନ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୩ ଜଣିଆ ଚୟନ କମିଟି ଦ୍ବାରା ଆବେଦନକାରୀଙ୍କ ଡକ୍ୟୁମେଣ୍ଟ ଯାଞ୍ଚ ପରେ ଚୂଡ଼ାନ୍ତ ପର୍ଯ୍ୟାୟରେ ଥିବା ୩ ଜଣ ପ୍ରଫେସରଙ୍କ ତାଲିକା କୁଳାଧିପତିଙ୍କ ନିକଟକୁ ପଠାଯାଇଥିଲା। ସେଥିରେ ପ୍ରଫେସର ଦାଶଙ୍କ ସମେତ ରେଭେନ୍ସା ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଓ ଜଣେ ମହିଳା ପ୍ରଫେସର ସ୍ଥାନ ପାଇଥିଲେ। କୁଳାଧିପତି ଆଜି ସେମାନଙ୍କ ସାକ୍ଷାତକାର ନେବା ପରେ ନୂତନ କୁଳପତିଙ୍କ ନାମ ଘୋଷଣା ହୋଇଛି।

ସମ୍ବନ୍ଧିତ ଖବର