ଏସ୍‌ଇବିସି, ଓବିସିଙ୍କୁ ସଂରକ୍ଷଣ ଦିଅ : ଧର୍ମେନ୍ଦ୍ର

ପଛୁଆ ବର୍ଗର ସର୍ଭେକୁ ନେଇ ରାଜନୈତିକ ବୟାନ ଯୁଦ୍ଧ ଆରମ୍ଭ

ମାସେରୁ ଦେଢ଼ ମାସ ସମୟ ଲାଗିବ, ଅପେକ୍ଷା କରନ୍ତୁ : ସୌମ୍ୟ
ରାଜନୀତିକରଣ କରା ନ ଯାଉ : ପ୍ରତାପ ଜେନା

ଭୁବନେଶ୍ୱର : ଆସନ୍ତା ମେ’ ୧ରୁ ରାଜ୍ୟରେ ପଛୁଆ ବର୍ଗର ଚିହ୍ନଟ ପାଇଁ ସର୍ଭେ କରାଯିବ। ଏଥିପାଇଁ ସରକାର ବିଧିବଦ୍ଧ ଘୋଷଣା କଲା ପରେ ତାହାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗ(ଏସ୍‌ଇବିସି)ଙ୍କୁ ଶିକ୍ଷା କ୍ଷେତ୍ରରେ ଓ ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି)ଙ୍କ ପାଇଁ ଉଭୟ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ଦେବାକୁ ଦାବି କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଜବାବରେ ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଅପେକ୍ଷା କରନ୍ତୁ।

ଗୁରୁବାର ଦିନ ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ ରାଜ୍ୟର ମୋଟ ଜନସଂଖ୍ୟାର ୫୪ ପ୍ରତିଶତ ହେଉଛନ୍ତି ଓବିସି ଓ ଏସ୍‌ଇବିସି ବର୍ଗ । ଏହି ବର୍ଗର ଲୋକମାନେ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଥିବା ସୁଯୋଗରୁ ବଞ୍ଚିତ ହେବା କାରଣରୁ ସେମାନଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ହୋଇପାରି ନାହିଁ। ଏଥିପାଇଁ ସେ ପୂର୍ବରୁ ତିନି ଥର ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଦୀର୍ଘ ଦିନର ଦାବି ତଥା ଓବିସିଙ୍କୁ ଉଭୟ ଚାକିରି ଓ ଶିକ୍ଷା କ୍ଷେତ୍ରରେ ଏବଂ ସାମାଜିକ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗ ଏସ୍‌ଇବିସି ବର୍ଗଙ୍କୁ ଶିକ୍ଷା କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ଦେବା ପାଇଁ ଅନୁରୋଧ କରିଛନ୍ତି । ଦେଶରେ ଦୀର୍ଘ ତିନି ଦଶନ୍ଧି ଧରି ଏହା ଲାଗୁ ହେଲା ପରେ ମଧ୍ୟ ଓଡ଼ିଶା ସରକାର କାହିଁକି ଏହି କ୍ଷେତ୍ରରେ ସଂରକ୍ଷଣ ଦେଉନାହାନ୍ତି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।

ସେ ଆହୁରି କହିଥି‌ଲେ ଯେ ଦେଶର ଅନେକ ରାଜ୍ୟ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ଅନ୍ୟୂନ ୨୭ ପ୍ରତିଶତ ସଂରକ୍ଷଣ ଲାଗୁ କରିଥିବା ବେଳେ କର୍ଣ୍ଣାଟକ, ତାମିଲନାଡୁ, କେରଳ ଓ ବିହାର ଆଦି ରାଜ୍ୟଗୁଡ଼ିକରେ ଜନସଂଖ୍ୟାର ଅଧିକ ଭାଗ ଏହି ଜାତିର ଲୋକ ଥିବା କାରଣରୁ ଅଧିକ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛନ୍ତି । ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଏହି ଜାତିଙ୍କ ପାଇଁ ଅଧିକ ପ୍ରତିଶତ ସଂରକ୍ଷଣ ଦେବା ପାଇଁ କୌଣସି ପ୍ରତିବନ୍ଧକ ନାହିଁ। ଓଡ଼ିଶାରେ ପାଖାପାଖି ୨୧୦ଟି ସମୁଦାୟକୁ ଏସ୍‌ଇବିସି ବର୍ଗରେ ଚିହ୍ନଟ କରାଯାଇଛି। ଯାହାର ବିଜ୍ଞପ୍ତି ୧୯୯୩ ମସିହାରୁ ଆରମ୍ଭ କରି ୨୦୧୭ ମସିହା ପର୍ଯ୍ୟନ୍ତ ପ୍ରକାଶିତ ହୋଇଛି । ଏହାର ଅର୍ଥ ଓଡ଼ିଶା ସରକାରଙ୍କ ପାଖରେ ପଛୁଆ ବର୍ଗଙ୍କର ତାଲିକା ରହିଛି । ‘ଦାସେ ଆଇଲେ ମୂଳରୁ ଗାଆ’ ନୀତିକୁ ଛାଡ଼ି ପଛୁଆ ବର୍ଗଙ୍କ ପାଇଁ ରାଜ୍ୟ ସରକାର ସ୍ଥାନ ସଂରକ୍ଷଣର ବ୍ୟବସ୍ଥା କରନ୍ତୁ। କେନ୍ଦ୍ର ସରକାରଙ୍କ ପାଖରେ ଗୋଟିଏ ଓବିସି ତାଲିକା ରହିଥିବା ବେଳେ ରାଜ୍ୟ ପାଖରେ ମଧ୍ୟ ଏସ୍‌ଇବିସି ତାଲିକା ରହିଛି । ରାଜ୍ୟ ସରକାର ନିଜସ୍ୱ ଏସ୍‌ଇବିସି ତାଲିକା ଏବଂ କେନ୍ଦ୍ରର ଓବିସି ତାଲିକାକୁ ନେଇପାରିବେ ଯାହା ଶିକ୍ଷା ଏବଂ ଚାକିରି କ୍ଷେତ୍ରରେ ସଂରକ୍ଷଣ ଯୋଗାଇବା ପାଇଁ ଉପଯୋଗୀ ହୋଇପାରିବ। ଏହା ରାଜନୈତିକ ପ୍ରସଙ୍ଗ ନୁହେଁ, ସାମାଜିକ, ସାମାଜିକ ନ୍ୟାୟ ଓ ସାମାଜିକ ସଶକ୍ତୀକରଣ ପ୍ରସଙ୍ଗ । ତେଣୁ ମୁଖ୍ୟମନ୍ତ୍ରୀ ରାଜନୈତିକ ବାଦବିବାଦରୁ ବାହାରକୁ ଯାଇ ଏସ୍‌ଇବିସି ଓ ଓବିସି ବର୍ଗଙ୍କ ପାଇଁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ଉପଯୁକ୍ତ ସାମ୍ବିଧାନିକ ଅଧିକାର ପ୍ରଦାନ କରନ୍ତୁ । ଏହାଦ୍ୱାରା ସମାଜରେ ସାମାଜିକ ଓ ଆର୍ଥିକ ବୈଷମ୍ୟ ଦୂର ହୋଇପାରିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

ଏହି ପ୍ରସଙ୍ଗରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ରାଜ୍ୟ ସରକାର ଏବେ ଓବିସି ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହା ଶେଷ ହେଲେ ସବୁ ପ୍ରକାର ଅଧିକାର ପ୍ରଦାନ କରିବା ସହଜ ହେବ। ରାଜ୍ୟ ସରକାର ଏଥିପାଇଁ ସଂକଳ୍ପ ନେଇଛନ୍ତି। ମାସେରୁ ଦେଢ଼ ମାସ ସମୟ ଲାଗିବ। ତେଣୁ କେନ୍ଦ୍ରମନ୍ତ୍ରୀ ସେଥିପାଇଁ ଅପେକ୍ଷା କରନ୍ତୁ।

ସେହିପରି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କେନ୍ଦ୍ର ମନ୍ତ୍ରୀଙ୍କୁ ପାଲଟା ପ୍ରଶ୍ନ କରିଛନ୍ତି ଯେ ଓବିସି କମିସନ୍‌ କିଏ ଗଠନ କରିଛି? ତେଣୁ ଓବିସି ପ୍ରସଙ୍ଗକୁ ନେଇ ରାଜନୀତିକରଣ କରା ନ ଯାଉ।

ସମ୍ବନ୍ଧିତ ଖବର