ଗୋବିନ୍ଦ ଚନ୍ଦ୍ର ମାହୁନ୍ତଙ୍କ ପରଲୋକ

ଭୁବନେଶ୍ୱର : ପୂର୍ବତନ ଅନୁଶାସନ ସଚିବ ତଥା ରାଜ୍ୟ ଭାଷା ଆନ୍ଦୋଳନର ଅନ୍ୟତମ ଯୋଦ୍ଧା, ଅଭିମନ୍ୟୁ ସାମନ୍ତସିଂହାର ସ୍ମୃତି ପରିଷଦର ପ୍ରତିଷ୍ଠାତା, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ପ୍ରତିଷ୍ଠାତା ସଦସ୍ୟ ଗୋବିନ୍ଦ ଚନ୍ଦ୍ର ମାହୁନ୍ତଙ୍କର ଆଜି ପରଲୋକ ହୋଇଛି। ତାଙ୍କୁ ୭୫ବର୍ଷ ହୋଇଥିଲା। ସେ ଗତ ଅଗଷ୍ଟ ୨୪ରେ କୋଭିଡ୍‌ରେ ଆକ୍ରାନ୍ତ ହୋଇଥିଲେ। ସେପ୍ଟେମ୍ବର ପ୍ରଥମ ସପ୍ତାହରେ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଆଜି ସମ୍‌ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଆଜି ସତ୍ୟନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସାନପୁଅ ସତ୍ୟବ୍ରତ ମାହୁନ୍ତ ମୁଖାଗ୍ନି ଦେଇଥିଲେ।

ସ୍ବର୍ଗତ ମାହୁନ୍ତ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟକରି ୨୦୦୫ରେ ଜଙ୍ଗଲ ଓ ପରିବେଶ ବିଭାଗର ଅନୁଶାସନ ସଚିବ ପଦରୁ ଅବସର ନେଇଥିଲେ। ସେ ୧୯୪୭ରେ ଅବିଭକ୍ତ କଟକ ଜିଲ୍ଲାର ଧର୍ମଶାଳା ବ୍ଲକ ଅନ୍ତର୍ଗତ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ।

୧୯୭୬ ମସିହାରେ ଶ୍ରୀ ମାହୁନ୍ତ ଭୁବନେଶ୍ବରରେ ଅଭିମନ୍ୟୁ ସାମନ୍ତସିଂହାର ସ୍ମୃତି ପରିଷଦ ପ୍ରତିଷ୍ଠା କରିଥିଲେ। ଯାଜପୁର ଅଞ୍ଚଳରେ ଜଣେ ସର୍ବମାନ୍ୟ ସଂସ୍କୃତି ପୁରୁଷ ଭାବେ ପରିଚିତ ଥିଲେ। ତାଙ୍କ ପରଲୋକରେ ବିଧାୟକ ଅମର ପ୍ରସାଦ ଶତପଥୀ, ଜାନକୀଶ ବଡ଼ପଣ୍ଡା, ପୂର୍ବତନ ସାଂସଦ ମୋହନ ଜେନା, ସମାଜବାଦୀ ପାର୍ଟି ସଭାପତି ରବି ବେହେରା, ଅଭିମନ୍ୟୁ ସ୍ମୃତି ସଂସଦର ସମ୍ପାଦକ ଖତୁ ଚରଣ ବିଶ୍ବାଳ, ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, ଓଡ଼ିଶା ନାଗରିକ ମହାମଞ୍ଚର ସାଧାରଣ ସମ୍ପାଦକ ପ୍ରଦୀପ ବିଶ୍ବାଳ, କଳିଙ୍ଗ ପାଇକ ସଂଗଠନର ପ୍ରତିଷ୍ଠାତା ହଟ୍ଟନାଥ ମଙ୍ଗରାଜ, ସାଧାରଣ ସମ୍ପାଦକ ଶିଶିର ନାୟକ, ଦେବାଶିଷ ପରିଡ଼ା, ଅରବିନ୍ଦ ତ୍ରିପାଠୀ, ସୌଭାଗ୍ୟ ରଞ୍ଜନ ମହାନ୍ତି, ସୀତାଂଶୁ ଶେଖର ମହାରଣା ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର