ସୁନା ସ୍ମଗ୍ଲିଂ ରାକେଟ୍‌: ୩କୋଟିର ଅଳଙ୍କାର ଜବତ

ଗୋଳନ୍ଥରା/ବ୍ରହ୍ମପୁର : ବ୍ରହ୍ମପୁର ସହରକୁ ବିଭିନ୍ନ ରାଜ୍ୟରୁ ସୁନା ଗହଣା ସ୍ମଗ୍ଲିଂ ହେଉଛି। ଟିକସ ଫାଙ୍କି ଅସାଧୁ ବେପାରୀମାନେ ଏଭଳି ବେଆଇନ କାରବାର ଜାରି ରଖିଛନ୍ତି। ବିଗତ ଦିନରେ ବ୍ରହ୍ମପୁର ସହର‌କୁ ପ୍ରବେଶ ବେଳେ ଏଭଳି ରାକେଟ୍‌ ଠାବ ହୋଇଥିଲା। ଆଜି ଯାଞ୍ଚ୍‌ ସମୟରେ ଗୋଳନ୍ଥରା ଥାନା ପୁଲିସ ଏକ ବଡ଼ଧରଣର ସୁନା ଓ ରୁପା ଗହଣା ସ୍ମଗ୍ଲିଂ ରାକେଟ୍‌ ଠାବ କରିଛି। ସେମାନଙ୍କ ପାଖରୁ ୩ କୋଟି ୧୦ ଲକ୍ଷ ଟଙ୍କାର ସୁନା ଓ ରୁପା ଅଳଙ୍କାର ଜବତ ହୋଇଛି। ଏଥିରେ ସଂପୃକ୍ତ ୪ ଜଣଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ସୁନା ଗହଣା କେଉଁ ଜାଗାରୁ ଆସିଛି, ତା’ର କାଗଜପତ୍ର ଯାଞ୍ଚ୍ ଚାଲିଥିବା ସୂଚନା ମିଳିଛି।

ତାମିଲନାଡ଼ୁରୁ ବ୍ରହ୍ମପୁରକୁ ଆସୁଥିଲା
କାର୍‌ର ଗୁପ୍ତ ଚାମ୍ବରରୁ ମିଳିଛି ୪ କେଜି ସୁନା, ୧୮୫ କେଜି ରୁପା
୪ଯୁବକଙ୍କୁ ଅଟକ ରଖି ପଚରାଉଚରା

ସୂଚନା ଅନୁସା‌ରେ, ପାର୍ବଣ ପାଇଁ ବ୍ରହ୍ମପୁର ସହରକୁ ସଂ‌ଯୋଗ କରୁଥିବା ପ୍ରବେଶପଥ ଗୁଡ଼ିକରେ ଯାଞ୍ଚ୍ କଡ଼ାକଡ଼ି କରାଯାଇଛି। ଗୋଳନ୍ଥରା ଥାନାଧିକାରୀ ବିବେକାନନ୍ଦ ମହନ୍ତଙ୍କ ନେତୃତ୍ବରେ ଏକ ଟିମ୍‌ ୧୬ ନମ୍ବର ଜାତୀୟ ରାଜପଥରେ ଆଜି ଭୋର୍‌ରେ ନାକାବନ୍ଦୀ କରି ଗାଡ଼ି ଯାଞ୍ଚ କରୁଥିଲେ। ଏହିସମୟରେ ଏକ ସ୍କୋଡ଼ା କାର୍‌ (କେଏ୦୧ଏମ୍‌ଆର୍‌ ୧୫୪୫) ଆନ୍ଧ୍ର ପଟୁ ଆସୁଥିବା ଦେଖିବାକୁ ମିଳିଥିଲା। ସନ୍ଦେହ ହେବାରୁ ପୁଲିସ୍‌ ଟିମ୍‌ ଅଟକାଇଥିଲେ ଏବଂ ଯାଞ୍ଚ୍‌ କରିବାରୁ କାର୍‌ର ପଛପଟ ସିଟ୍‌ରେ ଏକ ଗୁପ୍ତ ଚାମ୍ବର୍ ଦେଖିବାକୁ ପାଇଥିଲେ। ଯାହାକି, ପୁଲିସର ସନ୍ଦେହକୁ ବଢ଼ାଇ ଦେଇଥିଲା। ଯାଞ୍ଚ୍ ପରେ ସେହି ଚାମ୍ବର୍ ଭିତରେ ବିପୁଳ ପରିମାଣ ସୁନା ଓ ରୁପା ଗହଣା ଦେଖି ପୁଲିସ ଟିମ୍ ତାଜୁବ୍ ପାଲଟି ଯାଇଥିଲେ। ଗହଣା ସମ୍ପର୍କରେ ପୁଲିସ ଟିମ୍‌ କାର୍‌ରେ ବସିଥିବା ତାମିଲନାଡ଼ୁର ସେଲମ୍ ସହରର ୪ଜଣ ଯୁବକଙ୍କୁ ପଚରାଉଚରା କରିଥିଲେ। ସେମାନେ ସୁନା ଗହଣାର କାଗଜପତ୍ର ଦେଖାଇଥିଲେ। ହେଲେ, ସେଥିରେ କୌଣସି ତାଳମେଳ ନଥିଲା। ଯାଞ୍ଚ୍‌ ପରେ ପୁଲିସ କାର୍‌ରୁ ୪ କେଜି ୬୬୪ ଗ୍ରାମ୍ ସୁନା ଓ ୧୮୫ କେଜି ୫ଶହ ଗ୍ରାମ ରୁପା ଅଳଙ୍କାର ଜବତ କରିଥିଲା। ଯାହାର ମୂଲ୍ୟ ପ୍ରାୟ ୩ କୋଟି ୧୦ଲକ୍ଷ ଟଙ୍କା ହେବ ବୋଲି ବ୍ରହ୍ମପୁର ଏସ୍‌.ପି. ଡା.ଶରବଣା ବିବେକ ଏମ୍‌. ସୂଚନା ଦେଇଛନ୍ତି।

ଟିକସ ଫାଙ୍କି ତାମିଲନାଡ଼ୁରୁ ଏହି ସୁନା ଓ ରୁପା ଗହଣା ଆଣି ବ୍ରହ୍ମପୁରରେ କିଛି ବେପାରୀଙ୍କୁ ହସ୍ତାନ୍ତର କରାଯାଇଥା’ନ୍ତା ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଏନେଇ ପୁଲିସ ସିଟି ଆଣ୍ଡ୍‌ ଜିଏସ୍‌ଟି ବିଭାଗକୁ ଅବଗତ କରିଛି। ବିଭାଗର ଅଧିକାରୀମାନେ କାଗଜପତ୍ର ଯାଞ୍ଚ୍ କରିବା ପରେ ସବୁ ସ୍ପଷ୍ଟ ହେବ ବୋଲି ପୁଲିସ ତରଫରୁ ସୂଚନା ମିଳିଛି।

ଗତ ଅଗଷ୍ଟରେ ଗଂଜେଇ ଧରପଗଡ଼ ବେଳେ ମହାରାଷ୍ଟ୍ରର ଜ‌େଣ ଯୁବକଙ୍କ ନିକଟରୁ ୨୩ଟି ସୁନା ବିସ୍କୁଟ୍‌ ଓ ୧ କୋଟି ୨୧ଲକ୍ଷ ୯୭ହଜାର ଟଙ୍କା ଜବତ ହୋଇଥିଲା। ସେହିପରି ପୂର୍ବରୁ ଗୋସାଇଁ ନୂଆଗାଁ ଥାନା ପୁଲିସ ମଧ୍ୟ ଅନ୍ଧପସରା ରୋଡ଼ରୁ ଏଭଳି ରାକେଟ୍‌ ଠାବ କରିଥିଲା। ଏହି ସବୁ ଘଟଣାରୁ ସ୍ପଷ୍ଟ ହେଉଛି ଯେ, ବ୍ରହ୍ମପୁର ସହରକୁ ରୀତିମତ ବିଭିନ୍ନ ରାଜ୍ୟରୁ ଟିକସ ଫାଙ୍କି ସୁନା ଗହଣା ଚାଲାଣ ହେଉଛି। ଏବଂ, ସହର ବର୍ତ୍ତମାନ ଏହି ବେଆଇନ କାରବାରର ଯେମିତି ହବ୍ ପାଲଟିଯାଇଛି।

ସମ୍ବନ୍ଧିତ ଖବର