ଓମ୍‌ବାଡ଼ସି ପାଣ୍ଠିର ଅପବ୍ୟବହାର କରୁଛନ୍ତି ସରକାର: ମୋହନ ମାଝୀ

ଭୁବନେଶ୍ୱର : ଓଡ଼ିଶା ଖଣିଜସମ୍ପଦ ଭରା ଅଞ୍ଚଳ ବିକାଶ ନିଗମ (ଓମ୍‌ବାଡ୍‌ସି) ପାଣ୍ଠି ବିନିଯୋଗ ନେଇ ସରକାର ସଠିକ୍‌ ତଥ୍ୟ ଦେଉନାହାନ୍ତି। କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼ ଓ ଯାଜପୁର ଜିଲ୍ଲାରେ ଭିତ୍ତିଭୂମି ବିକାଶ ପାଇଁ ଏହି ପାଣ୍ଠି ଅର୍ଥ ଖର୍ଚ୍ଚ କରାଯିବ। କିନ୍ତୁ କେତେ ଅର୍ଥ ଏହିସବୁ ଜିଲ୍ଲାରେ କେଉଁ କେଉଁ ପ୍ରକଳ୍ପ ବାବଦରେ ଖର୍ଚ୍ଚ ହୋଇଛି ତାର ତଥ୍ୟ ମାଗିଲେ ଭିନ୍ନ ଭିନ୍ନ ଉତ୍ତର ସରକାର ଦେଉଛନ୍ତି। ଏଥିରୁ ଜଣାପଡ଼ୁଛି ଏହି ଓମ୍‌ବାଡ଼ିସି ଅର୍ଥକୁ ଅନ୍ୟଆଡ଼େ ଖର୍ଚ୍ଚ କରାଯାଉଛି, ଯେଉଁଥିପାଇଁ ସରକାର ଲୁଚାଉଛନ୍ତି। ଗୁରୁବାର ଶୂନ୍ୟକାଳରେ ବୈଧାନିକ ପ୍ରଶ୍ନ ଉଠାଇ ସରକାରଙ୍କ ଉପରେ ଏପରି ଅଭିଯୋଗ କରିଛନ୍ତି ବିଜେପି ବିଧାୟକ ମୋହନ ଚରଣ ମାଝୀ।

ଶ୍ରୀ ମାଝୀ କହିଥିଲେ, ସୁପ୍ରିମକୋର୍ଟଙ୍କ ଆଦେଶ ମୁତାବକ ସରକାର ଖଣି ଲିଜ୍‌ଧାରୀଙ୍କଠାରୁ ଜରିମାନା ବାବଦରେ ୧୬ ହଜାର ୫୨୮ କୋଟି ୨୬ ଲକ୍ଷ ଟଙ୍କା ପାଇଥିଲେ। ସ୍ବତନ୍ତ୍ର ଏସ୍‌ପିଭି ଗଠନ କରି ଖଣିଜ ଅଞ୍ଚଳରେ ପିଇବା ପାଣିଠୁ ଆରମ୍ଭ କରି ରାସ୍ତା, ସ୍କୁଲ ଘର ଆଦି ଭିତ୍ତିଭୂମି ବିକାଶ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ଓମ୍‌ବାଡ଼ସି ଗଠନ ହୋଇଛି। କେଉଁ ପ୍ରକଳ୍ପ ବାବଦରେ କେତେ ଖର୍ଚ୍ଚ ହେବ, ତାର ଅନୁମୋଦନ ସୁପ୍ରିମକୋର୍ଟଙ୍କ ଦ୍ବାରା ନିଯୁକ୍ତ ଓଭରସାଇଟ୍‌ କମିଟି କର୍ତ୍ତୃପକ୍ଷ କରିବେ। ପୂର୍ବରୁ ଆଦିବାସୀ ଉନ୍ନୟନ ପାଣ୍ଠି ଅର୍ଥ ଭୁବନେଶ୍ବରର ଫ୍ଲାଇ ଓଭର ନିର୍ମାଣ କାମରେ ସରକାର ଖର୍ଚ୍ଚ କରିଥିବା ନଜିର ରହିଛି। ସେହିପରି ଓମ୍‌ବାଡ଼ସି ପାଣ୍ଠିର ସରକାର ଅପବ୍ୟବହାର କରୁଥିବେ ବୋଲି ଶ୍ରୀ ମାଝୀ କହିଥିଲେ।

ସମ୍ବନ୍ଧିତ ଖବର