ରାଜ୍ୟ ସରକାରଙ୍କ ସଫଳତା ବଖାଣିଲେ ରାଜ୍ୟପାଳ: କକ୍ଷତ୍ୟାଗ କଲେ ବିରୋଧୀ ବିଜେପି ଓ  କଂଗ୍ରେସ

ଭୁବନେଶ୍ବର: ଆଜିଠାରୁ ଷୋଡ଼ଶ ବିଧାନସଭାର ଷଷ୍ଠ ଅଧିବେଶନ ଆରମ୍ଭ ହୋଇଛି। ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନିଜର ଅଭିଭାଷଣ ରଖି ବିଭିନ୍ନ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ସେ କରୋନା ନିୟନ୍ତ୍ରଣରେ ରାଜ୍ୟ ସରକାରଙ୍କ ଭୂମିକାକୁ ପ୍ରଶଂସନୀୟ କହିଛନ୍ତି।

ଅଭିଭାଷଣ ଆରମ୍ଭ କରି ରାଜ୍ୟପାଳ କହିଛନ୍ତି, ‘ଏହି ଷୋଡ଼ଶ ଓଡ଼ିଶା ବିଧାନସଭାର ଅଧିବେଶନକୁ ସ୍ୱାଗତ ଜଣାଇ ଅତ୍ୟନ୍ତ ଆନନ୍ଦିତ ଅନୁଭବ କରୁଛି । ଏହି ଅବସରରେ ପବିତ୍ର ଗୃହର ସମସ୍ତ ମାନ୍ୟବର ସଦସ୍ୟବୃନ୍ଦ ତଥା ସମଗ୍ର ଓଡ଼ିଶାବାସୀଙ୍କୁ ନୂତନ ବର୍ଷର ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି।’ ଦିବଂଗତ ପୂର୍ବତନ ସଦସ୍ୟମାନଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କ ଶୋକ ପ୍ରସ୍ତାବ ଆଗତ କରିଥିଲେ। ଠିକ୍ ସେହିପରି ସହିଦ ଯବାନ ଓ କୋଭିଡ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ବି ଶୋକ ପ୍ରସ୍ତାବ ଆଗତ କରିଥିଲେ।

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି, ‘୨୦୨୦ରେ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଥିଲା। ପୁଲିସର ଆଗୁଆ ସୁଚିନ୍ତିତ ପଦକ୍ଷେପ ଯୋଗୁଁ ବଡ଼ଧରଣର ଆଇନଶୃଙ୍ଖଳା ପରିସ୍ଥିତି ଉପୁଜି ନାହିଁ।  ସେହିପରି ୨୦୨୧ ଜାନୁଆରୀ ମାସ ସୁଦ୍ଧା ୩୮,୭୬୦କୋଟି ଟଙ୍କା ରାଜସ୍ୱ ଆଦାୟ ହୋଇଥିଲା ଯାହା ଗତବର୍ଷ ତୁଳନାରେ ୭.୩ ପ୍ରତିଶତ ଅଧିକ।

ସବୁଠାରୁ ବଡ଼ କଥା ହେଲା କି, କୋଭିଡ ପାଇଁ ରାଜ୍ୟର ଆପାତକାଳୀନ ପାଣ୍ଠି ୪୦୦ କୋଟିରୁ ୨୦୦୦ କୋଟିକୁ ବୃଦ୍ଧି ପାଇଛି। ମାଲକାନଗିରି ଠାରେ ନୂତନ  ଏୟାରଷ୍ଟ୍ରିପ୍ ନିର୍ମାଣ ଯୋଜନା ରହିଛି। ନଦୀ ଜଳର ବ୍ୟାପକ ସଂରକ୍ଷଣ ପାଇଁ ୧୧ହଜାର ୭୦୦ କୋଟି ଟଙ୍କା  ପୁଞ୍ଜିବିନିଯୋଗ ହେବ। ଏହାସହ ଭାଗଚାଷୀଙ୍କ ପାଇଁ ବଳରାମ ଯୋଜନାରେ ମଧ୍ୟ ଟଙ୍କା ଦିଆଯାଇଛି। ବିଜୁ ଶିଶୁ ସୁରକ୍ଷା ଯୋଜନା ୨୦୨୦କୁ ପରିବର୍ଦ୍ଧିତ କରାଯାଇଛି। ପିତାମାତାଙ୍କ ମଧ୍ୟରୁ ଜଣଙ୍କୁ ହରାଇଥିବା ଶିଶୁ, ୪୮ ହଜାର ଟଙ୍କାରୁ କମ୍ ବାର୍ଷିକ ଆୟ କରୁଥିବା ପରିବାରର ଶିଶୁ ଏବଂ ଏଡସ ରୋଗାକ୍ରାନ୍ତ ଶିଶୁଙ୍କୁ ରାଜ୍ୟ ସରକାର ଏହି ଯୋଜନାରେ ପରିସରଭୁକ୍ତ କରିଛନ୍ତି ବୋଲି ରାଜ୍ୟପାଳ କହିଛନ୍ତି।

ଏଣେ ବିଧାନସଭା ଆରମ୍ଭରୁ ଗୃହରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। କୋଟିଆ ପ୍ରସଙ୍ଗକୁ ନେଇ କଂଗ୍ରେସ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ବିରୋଧୀ କଂଗ୍ରେସ ସଦସ୍ୟମାନେ କୋଟିଆ ପ୍ରସଙ୍ଗ ସହିତ ପେଟ୍ରୋଲ ଡିଜେଲ ଦର ବୃଦ୍ଧି, ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ସ୍ଥିତିକୁ ବିରୋଧ କରି କକ୍ଷତ୍ୟାଗ କରିଥିଲେ। ଅନୁରୂପ ଭାବେ ବିଜେପି ସଦସ୍ୟମାନେ ବି କକ୍ଷତ୍ୟାଗ କରିଥିଲେ।

ଉଲ୍ଲେଖଯୋଗ୍ୟ,  ବିଧାନସଭାରେ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲଙ୍କୁ ପ୍ରଥମେ ଗାର୍ଡ ଅଫ୍ ଅନର୍ ଦିଆଯାଇଥିଲା।

ସମ୍ବନ୍ଧିତ ଖବର