ଗ୍ରାମପଞ୍ଚାୟତ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି, ସର୍ବନିମ୍ନ ମଜୁରୀ ହିସାବରେ ବେତନ ଦାବି

ଭୁବନେଶ୍ବର : ରାଜ୍ୟର ପ୍ରାୟ ୬୮୦୧ଟି ଗ୍ରାମପଞ୍ଚାୟତରେ କାର୍ଯ୍ୟରତ ୯ହଜାରରୁ ଅଧିକ ପିଅନ, ରାତ୍ର ଜଗୁଆଳୀ, ଝାଡ଼ୁଦାରଙ୍କ ଚାକିରି ନିୟମିତ କରିବା ଏବଂ ଦୈନିକ ସର୍ବନିମ୍ନ ମଜୁରୀ ୨୮୦ଟଙ୍କା ହିସାବରେ ବେତନ ପ୍ରଦାନ କରିବା ଦାବି ନେଇ ଆଜି ଓଡ଼ିଶା ଗ୍ରାମପଞ୍ଚାୟତ ୪ର୍ଥ ଶ୍ରେଣୀ କର୍ମଚାରୀ ସଂଘ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଛି। ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ସଂଘର ସଭାପତି ଲଳିତ କୁମାର ନାୟକ, ସାଧାରଣ ସମ୍ପାଦକ ସତ୍ୟବାନ ସାହୁ ପ୍ରମୁଖ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଛନ୍ତି। ରାଜ୍ୟ ସରକାର ଦାବି ପୂରଣ କରିବା ନେଇ ବିଚାର କରୁଛନ୍ତି ବୋଲି କହିବା ପରେ ସଂଘ ପକ୍ଷରୁ ଆସନ୍ତାକାଲି ରାଜଧାନୀରେ ହେବାକୁ ଥିବା ବିଶାଳ ସମାବେଶକୁ ବାତିଲ୍‌ କରାଯାଇଛି।

ସଂଘର ସଭାପତି ଲଳିତ କୁମାର ନାୟକ କହିଛନ୍ତି ଯେ, ରାଜ୍ୟ ସରକାର ନିକଟରେ ସ୍ବାସ୍ଥ୍ୟକର୍ମୀ, ଚାଷୀ, ଅଙ୍ଗନବାଡ଼ି କର୍ମୀଙ୍କ ସମସ୍ତ ସମସ୍ୟାର ସମାଧାନ କରି ‌ବେତନ ବୃଦ୍ଧି ସହ ଆର୍ଥିକ ସହାୟତା ଏବଂ ନିଯୁକ୍ତିଗତ ସୁବିଧାପ୍ରଦାନ କରିଛନ୍ତି। ହେଲେ ଗ୍ରାମପଞ୍ଚାୟତସ୍ତରରେ କାର୍ଯ୍ୟ କରୁଥିବା ଚତୁର୍ଥ ଶ୍ରେଣୀ କର୍ମଚାରୀମାନେ ୨୪ଘଣ୍ଟା କାମ କରୁଥିଲେ ହେଁ ସେମାନଙ୍କୁ ସେମାନଙ୍କ ପ୍ରାପ୍ୟ ମିଳୁନାହିଁ। ୯ହଜାରରୁ ଅଧିକ କର୍ମଚାରୀଙ୍କ ପେଟପାଟଣାକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ଏନେଇ ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ସଂଘ ଅନୁରୋଧ କରିଛି। ସେହିପରି କେତେକ ସ୍ଥାନରେ ସରପଞ୍ଚ ତଥା ଅନ୍ୟ ପଦାଧିକାରୀମାନେ ନିଜର ସ୍ବାର୍ଥ ପାଇଁ ୪ର୍ଥ ଶ୍ରେଣୀ କର୍ମଚାରୀଙ୍କୁ ବହିଷ୍କାର କରୁଛନ୍ତି। ରାଜ୍ୟ ସରକାର ସେମାନଙ୍କ ଠାରୁ ଏହି କ୍ଷମତା କାଢ଼ି ନେବାକୁ ବି ସଂଘ ଦାବି କରିଛି।

ସମ୍ବନ୍ଧିତ ଖବର