ଜୀବନବ୍ୟାପୀ ସାଧନା ସମ୍ମାନ ଗ୍ରହଣ ପରେ ଭୁବନେଶ୍ଵରରେ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯିବ ଭବ୍ୟ ସମ୍ବର୍ଦ୍ଧନା

ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ ହେବା ଓଡ଼ିଶାବାସୀଙ୍କ ପାଇଁ ଗର୍ବର କଥା: ଖାଦ୍ୟ ଯୋଗାଣ ମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୀବନବ୍ୟାପୀ ସାଧନା ସମ୍ମାନ ଗ୍ରହଣ କରିବା ପରେ ୬ ତାରିଖରେ ଫେରିବା ପରେ ତାଙ୍କୁ ଭୁବନେଶ୍ଵରରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯିବ ବୋଲି ବିଧାୟକ ଦେବୀ ମିଶ୍ର ସୂଚନା ଦେଇଛନ୍ତି। ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ ହେବା ଓଡ଼ିଶାବାସୀଙ୍କ ପାଇଁ ଗର୍ବର କଥା।

ସୂଚନାଯୋଗ୍ୟ, ଆସନ୍ତା ୪ ତାରିଖରେ ନୂଆଦିଲ୍ଲୀର କ୍ୟାପିଟାଲ୍ ଫାଉଣ୍ଡେସନ୍ ସୋସାଇଟି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ପ୍ରଦାନ କରାଯିବ। ଏହି ଅବସରରେ ନବୀନଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ବିଜେଡି ପକ୍ଷରୁ ବଡ଼ ପ୍ରସ୍ତୁତି ଆରମ୍ଭ ହୋଇଛି। ବର୍ତ୍ତମାନ ଠାରୁ ସାମାଜିକ ଗଣମାଧ୍ୟମରେ ଏହାର ବ୍ୟାପକ ପ୍ରଚାର, ପ୍ରସାର ଆରମ୍ଭ ହୋଇଯାଇଛି। ନବୀନ ପୁରସ୍କାର ପାଇଲା ପରେ ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ନୂଆଦିଲ୍ଲୀରୁ ଭୁବନେଶ୍ବର ଯାଏ ସ୍ବତନ୍ତ୍ର ଆୟୋଜନ କରାଯାଉଛି। ଏଥିପାଇଁ ଦଳୀୟ ନେତାଙ୍କୁ ଦାୟିତ୍ବ ବି ବଣ୍ଟାଯାଇଛି।
୪ ତାରିଖରେ ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟର୍ନ୍ୟାସ୍ନାଲ୍ ସେଣ୍ଟର୍ରେ ମୁଖ୍ୟମନ୍ତ୍ରୀ ଏହି ପୁରସ୍କାର ଗ୍ରହଣ କରିବେ। ସେଠାରେ ଉପସ୍ଥିତ ରହିବା ପାଇଁ ୫ ନେତାଙ୍କୁ ଦିଲ୍ଲୀ ଯିବାକୁ କୁହାଯାଇଛି। ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଦେବୀ ପ୍ରସାଦ ମିଶ୍ର, ଅରୁଣ କୁମାର ସାହୁ, ବ୍ୟୋମକେଶ ରାୟ ଓ ଦେବୀରଂଜନ ତ୍ରିପାଠୀ ପ୍ରମୁଖ ୨ ତାରିଖରେ ଦିଲ୍ଲୀ ଯିବେ। ଉତ୍ସବ ସ୍ଥଳରେ ନୂଆଦିଲ୍ଲୀର ଜଣାଶୁଣା ପ୍ରବାସୀ ଓଡ଼ିଆମାନଙ୍କୁ ଡକାଯିବାକୁ ଯୋଜନା କରାଯାଇଛି। ସେହିସବୁ କାର୍ଯ୍ୟକ୍ରମକୁ ଏହି ୫ ନେତା ତଦାରଖ କରିବେ।
ମୁଖ୍ୟମନ୍ତ୍ରୀ ୬ ତାରିଖରେ ଓଡ଼ିଶା ଫେରିବେ। ଭୁବନେଶ୍ବର ବିମାନବନ୍ଦରରେ ତାଙ୍କୁ ଜୋର୍ଦାର ସ୍ବାଗତ କରିବା ପାଇଁ ବିଜେଡି ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି କରାଯାଉଛି। ସବୁ ନିର୍ବାଚନମଣ୍ଡଳୀରୁ କର୍ମୀମାନଙ୍କୁ ଆଣିବା ପାଇଁ ବିଧାୟକ ଓ ବରିଷ୍ଠ ନେତାମାନଙ୍କୁ ଦାୟିତ୍ବ ଦିଆଯାଇଛି। ଏହି ସ୍ବାଗତ କାର୍ଯ୍ୟକ୍ରମରେ ସମସ୍ତ ମନ୍ତ୍ରୀ, ସାଂସଦ ଓ ବିଧାୟକ ଉପସ୍ଥିତ ରହିବେ। ନେତା ଓ କର୍ମୀମାନେ ବିମାନବନ୍ଦରରୁ ନବୀନ ନିବାସ ଯାଏ ଏକ ବିରାଟ ପଟୁଆରରେ ନବୀନଙ୍କୁ ପାଛୋଟି ନେବେ। କୋଭିଡ୍ ପରେ ରାଜଧାନୀରେ ବିଜେଡିର ଏହା ସବୁଠାରୁ ବଡ଼ ରାଜନୈତିକ କାର୍ଯ୍ୟକ୍ରମ ହେବ ବୋଲି ଚର୍ଚ୍ଚା ହେଉଛି। ଦଳର ଯୁବ, ଛାତ୍ର ଓ ମହିଳା ସଂଗଠନଗୁଡ଼ିକ ପୁନର୍ଗଠିତ ହୋଇଥିବାରୁ ନୂଆ କର୍ମକର୍ତ୍ତାମାନେ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି।

ସମ୍ବନ୍ଧିତ ଖବର