ରୋଗୀଙ୍କ ମନ ଜିତୁଛି ଡାକ୍ତରଖାନାରେ ପରିବେଶ

ସମ୍ବଲପୁର: ସ୍ୱାସ୍ଥ୍ୟକେନ୍ଦ୍ରର ପରିବେଶକୁ ନେଇ ଅନେକ ସମୟରେ ଅଭିଯୋଗ ଆସିଥାଏ । କେବେ ଅସ୍ୱାସ୍ଥ୍ୟକର ପରିବେଶ ତ ପୁଣି କେବେ ଡାକ୍ତରଖାନା ଭିତରେ ଗାଈ ଗୋରୁ ଓ କୁକୁରଙ୍କ ଅବାଧ ବିଚରଣ ଖବର ଗଣମାଧ୍ୟମରେ ପ୍ରସାରଣ ହୋଇଥାଏ । ଗତ କିଛି ଦିନ ହେବ ରାଜ୍ୟ ସରକାରଙ୍କ ଫାଇଭ ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ ବିଭିନ୍ନ ଜିଲ୍ଲା ବୁଲି ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ଯାଂଚ କରୁଛନ୍ତି । ଏଥିପାଇଁ ଡାକ୍ତରଖାନା ଗୁଡିକରେ ତରବରିଆ ଭାବେ ପରିବେଶ ସୁଧାରିବା ପାଇଁ ଚେଷ୍ଟା କରାଯାଉଥିବା ଚର୍ଚ୍ଚା ହେଉଛି । ପୂର୍ବରୁ ଫାଇଭ୍-ଟି ସଚିବଙ୍କ ଗସ୍ତ ନେଇ ସୂଚନା ମିଳିବା ନୟାଗଡରେ ତରବରିଆ ଭାବେ ଚାଲିଥିଲା ମରାମତି କାମ । ସଚିବ- ପାଣ୍ଡିଆନଙ୍କ ନୟାଗଡ଼ ଗସ୍ତ ପୂର୍ବରୁ ରାସ୍ତାରେ ପଡ଼ୁଥିଲା ପିଚୁ, ଯୁଦ୍ଧକାଳିନ ଭିତିରେ ଚାଲିଥିଲା ସଫେଇ କାର୍ଯ୍ୟକ୍ରମ ।

ଯାହା ଗଣମାଧ୍ୟମରେ ପ୍ରସାରଣ ହେବା ପରେ ଅନେକ ପ୍ରଶ୍ନ ସାଧାରଣଲୋକଙ୍କ ମନରେ ଉଙ୍କି ମାରିଥିଲା । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସମ୍ବଲପୁର ମହାନଗର ନିଗମ ୧ ନମ୍ବର ୱାର୍ଡରେ ଥିବା ଚାଉଁରପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ କିନ୍ତୁ ୭ ବର୍ଷ ହେଲା ସଜେଇ ହୋଇ ରହିଛି | ଏଠାକୁ ପ୍ରବେଶ କଲେ ଆକୃଷ୍ଟ କରୁଛି ଡାକ୍ତରଖାନାର ସୁନ୍ଦର ପରିବେଶ । ସୁନ୍ଦର ସୁନ୍ଦର ଫୁଲ ଗଛ ସହ ଔଷଧିୟ ଗଛରେ ଭରି ରହିଛି ଡାକ୍ତରଖାନା । ମେଡିକାଲ ଭିତରେ ରୋଗୀଙ୍କ ପାଇଁ ଥିବା ଶଯ୍ୟା ଠାରୁ ଆରମ୍ଭ କରି ଡାକ୍ତରଙ୍କ ଚ୍ୟାମ୍ବର, ସବୁ କିଛି ଚକାଚକ୍ ।

ଛୋଟ ଶିଶୁମାନଙ୍କ ମନ ଜିଣିବା ପାଇଁ ଡାକ୍ତରଖାନାରେ ଦୋଳିର ବ୍ୟବସ୍ଥା କରାଯାଇଛି । ଡାକ୍ତରଖାନାର ଔଷଧ ବିତରଣ କେନ୍ଦ୍ର, ଶୌଚାଳୟ ସବୁ କିଛି ପରିଷ୍କାର ଓ ପରିଚ୍ଛନ ରହିଛି ।ଚାଉଁରପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସଜାଇବା ପାଇଁ ସାତ ବର୍ଷ ତଳେ ଏଠାରେ ନିୟୋଜିତ ଥିବା ଡାକ୍ତର, ଫାର୍ମାସିଷ୍ଟ ଓ ଅନ୍ୟ କର୍ମଚାରୀ ପ୍ରୟାସ ଆରମ୍ଭ କରିଥିଲେ । ଆଗକୁ ଡାକ୍ତରଖାନା ପରିସରରେ ଏକ ହର୍ବାଲ ଗାର୍ଡେନ ପ୍ରସ୍ତୁତ କରିବା ପାଇଁ ଯୋଜନା ରଖିଛନ୍ତି ବର୍ତ୍ତମାନର ଡାକ୍ତର । ତେବେ ଡାକ୍ତରଖାନାରେ ଗାଡି ପାର୍କିଂ ପାଇଁ ବ୍ୟବସ୍ଥା ଥିବା ବେଳେ ଅଳିଆ ଆବର୍ଜନା ପକାଇବା ପାଇଁ ସ୍ଥାନେ ସ୍ଥାନେ ଡଷ୍ଟବିନ୍ ରହିଛି । ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ଉତ୍ତମ ସେବା ଯୋଗାଇଦିଆଯାଉଥିବାରୁ ଏବେ ପ୍ରଶଂସାର ପାତ୍ର ପାଲଟିଛି ଏହି ଡାକ୍ତରଖାନା |

ସମ୍ବନ୍ଧିତ ଖବର