ହାଇକୋର୍ଟରେ ଜିଏସ୍‌ଟି ବିବାଦ ମାମଲା : ଚୂଡ଼ାନ୍ତ ନିଷ୍ପତ୍ତି ସରକାର ନେବେ

କଠୋର କାର୍ଯ୍ୟାନୁଷ୍ଠାନ ଉପରେ ଅଙ୍କୁଶ

କଟକ : ଜିଏସଟି ଲାଗୁ ପୂର୍ବରୁ କାର୍ଯ୍ୟାଦେଶ ପାଇଥିବା ଠିକାଦାରଙ୍କ ଠାରୁ କେଉଁ ହାରରେ ଟିକସ ଆଦାୟ ହେବ, ସେ ସଂପର୍କରେ ସରକାର ନିଷ୍ପତ୍ତି ନେବେ। ମାର୍ଚ୍ଚ ସୁଦ୍ଧା ଏ ସଂପର୍କରେ ନିଷ୍ପତ୍ତି ନିଆଯିବ, କିନ୍ତୁ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ। ଜିଏସଟି ବିବାଦକୁ ନେଇ ରୁଜୁ ମାମଲାର ଶୁଣାଣି କରି ହାଇକୋର୍ଟ ଏଭଳି ଏକ ରାୟ ପ୍ରଦାନ କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍.ଜାଭେରୀ ଓ ଜଷ୍ଟିସ କେ.ଆର୍.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଭିଆର୍ ଇନଫ୍ରାଟେକ୍ ପ୍ରାଇଭେଟ ଲିମିଟେଡର ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ନୂଆାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୋଠା ନିର୍ମାଣ ଲାଗି କାର୍ଯ୍ୟାଦେଶ ପାଇଥିବା ସଂସ୍ଥା ଏ ସଂପର୍କିତ ଚୁକ୍ତିନାମା ୨୦୧୫ରେ ସ୍ବାକ୍ଷର କରିଥିଲା। ଅନ୍ୟପଟେ ଭାଟ୍ ବଦଳରେ ଜିଏସ୍‌ଟି ୨୦୧୭, ଜୁଲାଇରୁ ଲାଗୁ ହୋଇଥିଲା। ଫଳରେ ଚୁକ୍ତି ଅନୁସାରେ ଟିକସ ଆଦାୟ କରା ନଯାଇ ଜିଏସ୍‌ଟି ଲାଗୁ କରି ପରିବର୍ତ୍ତିତ ନୀତି ଅନୁସାରେ ଠିକା ସଂସ୍ଥା ନିକଟରୁ ଟିକସ ଆଦାୟ କରାଯାଇଥିଲା। ସଂପୃକ୍ତ ସଂସ୍ଥା ଏହାର ବିରୋଧ କରିଥିଲା। ଏଭଳି ସମସ୍ୟା ଅନ୍ୟ ଠିକା ସଂସ୍ଥାଙ୍କ କ୍ଷେତ୍ରରେ ମଧ୍ୟ ଘଟିଥିଲା। ସରକାର ବିଭିନ୍ନ ଠିକା ସଂସ୍ଥାର ଅଭିଯୋଗକୁ ବିଚାରକୁ ନେଇ ଏଭଳି ପରିସ୍ଥିତିରେ କିପରି ଟିକସ ଆଦାୟ କରାଯିବ, ସେ ନେଇ ଏକ ସଂଶୋଧିତ ନିୟମାବଳୀ ଗଲା ୨୦୧୮, ଡିସେମ୍ବର ୧୦ରେ ଜାରି କରିଛନ୍ତି। ମାମଲାର ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ ଏହି ସଂ‌େଶାଧିତ ନିୟମାବଳୀ ସଂପର୍କରେ ଅବଗତ କରାଯାଇଥିଲା।

ଅଦାଲତଙ୍କ ନିର୍ଦ୍ଦେଶ ଅନୁଯାୟୀ ଆବେଦନକାରୀ ତାଙ୍କ ବିସ୍ତୃତ ଆପତ୍ତି ଲଖିତ ଆକାରରେ ସରକାରଙ୍କ ନିକଟରେ ୪ ସପ୍ତାହ ଭିତରେ ଦାଖଲ କରିବେ। ୨୦୧୮, ଡିସେମ୍ବର ୧୦ରେ ରାଜ୍ୟ ଅର୍ଥ ବିଭାଗ ଜାରି କରିଥିବା ସଂଶୋଧିତ ଗାଇଡଲାଇନ ଆଧାରରେ ସରକାର ଆବେଦନକାରୀଙ୍କ ଅଭିଯୋଗର ଫୈସଲା କରିବେ। ସମସ୍ତ ପ୍ରକ୍ରିୟା ୨୦୧୯, ମାର୍ଚ୍ଚ ୩୧ ମଧ୍ୟରେ ଶେଷ ହେବ ଏବଂ ସେ ପର୍ଯ୍ୟନ୍ତ ଆବେଦନକାରୀଙ୍କ ବିରୋଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି।
ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ପ୍ର‌େବାଧ ଚନ୍ଦ୍ର ନାୟକ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର