ସଙ୍ଗରୋଧ କେନ୍ଦ୍ର ହେବ ଅବରୋଧ ଅଞ୍ଚଳ, କୋଭିଡ ହସ୍ପିଟାଲ ଓ କେୟାର ସେଣ୍ଟରରେ ବି କଟକଣା

ରାଜ୍ୟରେ କରୋନା ଜନିତ ମୃତ୍ୟୁ ହାର ସବୁଠୁ କମ୍‌
ଆଜି ରାଜ୍ୟରେ ଛୁଇଁବ ଲକ୍ଷେ କୋଭିଡ ନମୁନା ସଂଖ୍ୟା

ଭୁବନେଶ୍ବର : ରାଜ୍ୟରେ ପ୍ରତିଷ୍ଠା ହୋଇଥିବା ସଙ୍ଗରୋଧ କେନ୍ଦ୍ର, କୋଭିଡ କେୟାର କେନ୍ଦ୍ର ଓ କୋଭିଡ ହସ୍ପିଟାଲରେ ସଂକ୍ରମଣ ଅବରୋଧ ଅଞ୍ଚଳ ବା କଣ୍ଟେ‌ନମେଣ୍ଟ ଜୋନ୍‌ ଭଳି କଟକଣା ଲାଗିବ। ସଂକ୍ରମଣ ଅବରୋଧ ଅଞ୍ଚଳରେ ଯେଉଁଭଳି ଜରୁରିକାଳୀନ ସେବାକୁ ବାଦ୍ ଦେଲେ ଅନ୍ୟ ସମସ୍ତ ସେବା ବନ୍ଦ ରହିଥାଏ, ସେହିଭଳି କଟକଣା ଲାଗିବ। ଖାଦ୍ୟ ଓ ଔଷଧକୁ ବାଦ୍ ଦେଲେ ଅନ୍ୟ କୌଣସି ଜିନିଷ ଉପଲବ୍ଧ ହେବ ନାହିଁ। ସ୍ଥାନୀୟ ଜିଲ୍ଲାପାଳ କିମ୍ବା ମ୍ୟୁନସିପାଲ କମିସନର ଏ ସଂପର୍କରେ ନିଷ୍ପତ୍ତି ନେବେ। ଲକ୍‌ଡାଉନ୍‌-୪ ଆଜିଠାରୁ ଆରମ୍ଭ ହୋଇଥିବା ବେଳେ ରାଜ୍ୟ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଥିବା ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି।

ଆଜି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ ପୂର୍ବରୁ ରାଜ୍ୟରେ ଏଭଳି ସଂକ୍ରମଣ ଅବରୋଧ ଅଞ୍ଚଳ ଭାବେ ଘୋଷଣା କରାଯାଇଛି ଓ ପ‌ରେ ଏହାକୁ ଉଠାଇ ମଧ୍ୟ ଦିଆଯାଇଛି। ବାହାରୁ ଆସୁଥିବା ପ୍ରବାସୀ ଓଡ଼ିଆମାନଙ୍କ ପାଇଁ ପ୍ରତିଷ୍ଠା ହୋଇଥିବା ୧୫ହଜାରରୁ ଅଧିକ ଅସ୍ଥାୟୀ ମେଡିକାଲ କ୍ୟାମ୍ପ୍‌ରେ ସଙ୍ଗରୋଧ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ଏଠାରେ ରହୁଥିବା ଲୋକମାନଙ୍କର ଅଧିକ ସଂଖ୍ୟାରେ କୋଭିଡ ନମୁନା ପରୀକ୍ଷା କରାଯାଉଥିବା ବେଳେ ହାରହାରିଠାରୁ ଅଧିକ ପଜିଟିଭ୍ ଚିହ୍ନଟ ହେଉଛନ୍ତି।

ଏହାସହ କରୋନାର ଲକ୍ଷଣ ନ ଥିବା ଲୋକମାନଙ୍କ ପାଇଁ କୋଭିଡ କେୟାର କେନ୍ଦ୍ର ଓ ଲକ୍ଷଣ ଥିବା କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ କୋଭିଡ ହସ୍ପିଟାଲ ପ୍ରତିଷ୍ଠା କରାଯାଇଛି। ରାଜ୍ୟ ସରକାର ଏସବୁ ସ୍ଥାନରେ କଟକଣା ଲଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ଦେଶ ଓ ରାଜ୍ୟର କୋଭିଡ ନମୁନା ଓ ସଂକ୍ରମଣ ମଧ୍ୟରେ ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରି ସେ କହିଥିଲେ ଯେ ଦେଶରେ ପ୍ରତି ୧୦ଲକ୍ଷ ଜନସଂଖ୍ୟାରେ ୧୭୦୬ କୋଭିଡ ନମୁନା ପରୀକ୍ଷା ହେଉଥିବା ବେଳେ ଓଡ଼ିଶାରେ ଏହାର ସଂଖ୍ୟା ରହିଛି ୨୦୮୨। ରାଜ୍ୟରେ ଏ ପର୍ଯ୍ୟନ୍ତ ୯୫୬୭୬ କୋଭିଡ ନମୁନା ପରୀକ୍ଷା ହୋଇଥିବା ବେଳେ ଆଜି ରାତି ସୁଦ୍ଧା ତାହା ୧ଲକ୍ଷ ଛୁଇଁବ। ଦେଶରେ ୨୨ଲକ୍ଷରୁ ଅଧିକ କୋଭିଡ ନମୁନା ପରୀକ୍ଷା ହୋଇଥିବା ବେଳେ ରାଜ୍ୟରେ ଏହା ନୂତନ ମାଇଲଖୁଣ୍ଟ ପ୍ରତିଷ୍ଠା କରିବ। ସେହିପରି ଦେଶରେ ୨୩.୯୩ କୋଭିଡ ନମୁନାରେ ଜଣେ ପଜିଟିଭ୍ ଚିହ୍ନଟ ହେଉଥିବା ବେଳେ ଓଡ଼ିଶାରେ ୧୦୯.୩୨ ନମୁନା ଜଣେ ଚିହ୍ନଟ ହେଉଛନ୍ତି। ଯଦିଓ ପୂର୍ବରୁ ରାଜ୍ୟରେ ଏହା ୨୨୦ ନମୁନା ରହିଥିଲା, ତେବେ ଏଥିରେ କିଛି ମାତ୍ରାରେ କମିଯାଇଛି। ଏହାସହ ଦେଶରେ କରୋନା ଜନିତ ମୃତ୍ୟୁହାର ୩.୧୫ ପ୍ରତିଶତ ରହିଥିବା ବେଳେ ରାଜ୍ୟରେ ଏହା ରହିଛି ୦.୪୬ ପ୍ରତିଶତ। ତେଣୁ କରୋନା ଜନିତ ମୃତ୍ୟୁହାର ଓଡ଼ିଶାରେ ସବୁଠାରୁ କମ୍ ରହିଛି।

ଅପରପକ୍ଷରେ ରାଜ୍ୟରେ ଏ ପର୍ଯ୍ୟନ୍ତ ୮୭୬ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ୭୫୪ଜଣ ପ୍ରବାସୀ ଚିହ୍ନଟ ହୋଇଥିବା ବେଳେ ୧୨୨ଜଣ କରୋନା ପଜିଟିଭ୍ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି। ପ୍ରବାସୀଙ୍କ ପାଇଁ ରାଜ୍ୟ ସରକାର କଠୋର ସଙ୍ଗରୋଧ ବ୍ୟବସ୍ଥା କରିଥିବା ବେଳେ କେନ୍ଦ୍ର ସରକାରଙ୍କ ନିର୍ଦେଶାବଳୀ ଅନୁଯାୟୀ ସଂକ୍ରମିତଙ୍କୁ ଡିସଚାର୍ଜ କରାଯାଉଛି। ରାଜ୍ୟକୁ ଏ ପର୍ଯ୍ୟନ୍ତ ୧ଲକ୍ଷ ୭୬ହଜାର ୩୦୧ଜଣ ପ୍ରବାସୀ ଓଡ଼ିଆ ଆସିଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୮୦ ହଜାର ଟ୍ରେନ୍‌‌ରେ ଆସିଥିବା ବେଳେ ବସ୍‌ରେ ୭୨ହଜାର ଓ ଅନ୍ୟ ଗାଡ଼ିରେ ପ୍ରାୟ ୨୫ହଜାର ଲୋକ ଆସିଛନ୍ତି। ଏ ପର୍ଯ୍ୟନ୍ତ ୬୨ଟି ଟ୍ରେନ୍‌ ଓଡ଼ିଶାକୁ ଆସିଥିବା ବେଳେ ଆଗକୁ ଆହୁରି ୩୦/୪୦ଟି ଟ୍ରେନ୍‌ ଆସିବା ଯୋଜନା ରହିଛି ବୋଲି ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର