ଓଡ଼ିଶାର ହସ୍ତତନ୍ତ, ଓଡ଼ିଶାର ପରିଚୟ: ଜିଆଇ ଟ୍ୟାଗ୍‌ରେ ୯, ବିଦେଶୀ ବଜାରରେ ବି ଚାହିଦା

ଗାର୍ଗୀ ଶତପଥୀ
ଭୁବନେଶ୍ବର: ଓଡ଼ିଶାର ହସ୍ତତନ୍ତ, ଓଡ଼ିଶାର ପରିଚୟ। ରାଜ୍ୟର ୯ ହସ୍ତତନ୍ତ ସମ୍ବଲପୁରୀ ବାନ୍ଧଶାଢ଼ି, କୋଟପାଡ଼ ହ୍ୟାଣ୍ଡଲୁମ୍‌, ଓଡ଼ିଶା ଇକ୍କତ, ଖଣ୍ଡୁଆ ଶାଢ଼ି ଏବଂ ଫେବ୍ରିକ୍ସ, ଗୋପାଳପୁର ଟସର, ଧଳାପଥର ପରଦା, ବମକେଇ ଶାଢ଼ି, ହବସପୁରୀ ଶାଢ଼ି, ବ୍ରହ୍ମପୁର ପାଟଶାଢ଼ି ଏବଂ ଯୋଡ଼କୁ ଜିଆଇ ଟ୍ୟାଗ୍‌ର ମାନ୍ୟତା ମିଳିଛି। ଏହାବାଦ୍‌ ଅବିଭକ୍ତ କଟକ ଜିଲ୍ଲାର ଖଣ୍ଡୁଆ ଏବଂ ମାଣିଆବନ୍ଧ, ବାଲେଶ୍ବରର ଚନ୍ଦନପୁର ଚାଦର, ମାଙ୍କଡ଼ିଆ ଟସର, ମୟୂରଭଞ୍ଜର ଆଦିବାସୀ ବାନ୍ଧକଳାର ରହିଛି ସ୍ବତନ୍ତ୍ର ଚାହିଦା। ଏହା କେବଳ ଉଦାହରଣ ମାତ୍ର, ହସ୍ତତନ୍ତରେ ସମୃଦ୍ଧ ଓଡ଼ିଶାର ଏଭଳି କୌଣସି ଜିଲ୍ଲା ନାହିଁ ଯେଉଁ ଅଞ୍ଚଳର ବାନ୍ଧକଳା ନାହିଁ। ଏପରିକି ବରଗଡ଼ ଏବଂ ସମ୍ବଲପୁରଠାରୁ ସୋନପୁର, କଳାହାଣ୍ଡି ବାନ୍ଧକଳାରେ ମଧ୍ୟ ଭିନ୍ନତା ରହିଛି। ରାଜ୍ୟର ୨୭୮ ବୁଣାକାର ଜାତୀୟ ଏବଂ ରାଜ୍ୟସ୍ତରୀୟ ପୁରସ୍କାରପ୍ରାପ୍ତ ହେବା ପ୍ରତିଭାର ଚିତ୍ର ବଖାଣୁଛି। ଏହା ସତ୍ତ୍ବେ ରାଜ୍ୟ ବୁଣାକାର ନିଜ ପରିଶ୍ରମ ଏବଂ ପ୍ରତିଭା ତୁଳନାରେ କୋଣଠେସା ହୋଇଯାଇଛନ୍ତି। ଉପଯୁକ୍ତ ପ୍ରାପ୍ୟ ପାଇ ନପାରି ଆର୍ଥିକ ଦୁରବସ୍ଥା ଦେଇ ଗତି କରୁଛନ୍ତି। ଜିଏସ୍‌ଟି ହସ୍ତତନ୍ତକୁ ଶକ୍ତ ଧକ୍କା ଦେଇଛି। ଖାସ୍‌ ଏଥିଯୋଗୁଁ ଓଡ଼ିଶା ଦିବସ ଅବସରରେ ରାଜ୍ୟର ହାତବୁଣା ଲୁଗା କୁର୍ତ୍ତା, ଶାଢ଼ି, ଉତ୍ତରୀୟ ପିନ୍ଧିବାକୁ ଆହ୍ବାନ କରିଛନ୍ତି ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ। ‘ସମ୍ବାଦ ସାହିତ୍ୟ ଘର’ର ୩୬୫ ଶାଖାର ପ୍ରତ୍ୟେକ ସଦସ୍ୟ ହାତବୁଣା ଲୁଗା ପିନ୍ଧୁଛନ୍ତି।

୨୦୨୧ ମସିହାରେ ଓଡ଼ିଶା ରପ୍ତାନି କରିଥିଲା ୨.୦୨ କୋଟିର ହସ୍ତତନ୍ତ ପୋଷାକ। ୨୦୧୯ ଏବଂ ୨୦୨୦ ମସିହାରେ ଏହା ଥିଲା ୦.୦୯ କୋଟି। ସରକାରୀ ପ୍ରୋତ୍ସାହନର ଅଭାବ ଜଗତୀକରଣ ଏବଂ ଉଦାରୀକରଣ ଯୁଗରେ ଆର୍ଥିକ ଭାବେ ଦୁର୍ବଳ ସତ୍ତ୍ବେ ଓଡ଼ିଆ ବୁଣାକାରଙ୍କ ସୂକ୍ଷ୍ମ କାରିଗରୀ ଆନ୍ତର୍ଜାତୀୟ ବଜାରରେ କେବଳ ତିଷ୍ଠି ରହିନାହିଁ, ବରଂ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏହି ବାନ୍ଧକଳା ଏଭଳି ଯେ ଆର୍ଥିକ ଭାବରେ ଦୁର୍ବଳ ବର୍ଗଙ୍କ ପ୍ରତିଦିନିଆ ପୋଷାକ ହେବାଠାରୁ ଆରମ୍ଭ କରି ରୢାମ୍ପରେ ମଡେଲମାନେ ଓଡ଼ିଶୀ ହସ୍ତତନ୍ତ ପିନ୍ଧି ଜଲୱା ସୃଷ୍ଟି କରନ୍ତି। ଡିଜାଇନର ସୁଜିତ ମେହେରଙ୍କ କହନ୍ତି, ତାଙ୍କର ତିଳୋତ୍ତମା ବ୍ରାଣ୍ଡର ସମ୍ବଲପୁରୀ ପୋଷାକ ଦୁବାଇ, ଆବୁଧାବି, ଇଲଣ୍ଡ, ଫାନ୍ସ ସମେତ ବିଭିନ୍ନ ଦେଶକୁ ଯାଉଛି। ଏଥିରେ ପାରମ୍ପରିକ ଭାରତୀୟ ପୋଷାକ ସହିତ ଫ୍ରକ୍‌, ଗାଉନ୍‌, ପାର୍ଟି ପୋଷାକ, ପ୍ଲାଜୋ ଆଦି ରହିଛି। ଗୋପାଳପୁର ଟସର, ନୂଆପାଟନା, ହବସପୁରୀର ସ୍ବତନ୍ତ୍ର ଚାହିଦା ରହିଛି। ସ୍ବାସ୍ଥ୍ୟଗତ ଦୃଷ୍ଟିରୁ ହିତକର ହୋଇଥିବାରୁ କୋଟପାଡ଼ର ପ୍ରାକୃତିକ ପୋଷାକର ଭିନ୍ନ ମର୍ଯ୍ୟାଦା ରହିଛି। ଅଭିନେତ୍ରୀଙ୍କଠାରୁ ନେତ୍ରୀ ପର୍ଯ୍ୟନ୍ତ ଅନେକ ଓଡ଼ିଶୀ ହସ୍ତତନ୍ତ ପିନ୍ଧି ଚର୍ଚ୍ଚିତ ହୋଇଛନ୍ତି। ପୋଷାକ ପାଇଁ ବିଦେଶରେ ସମ୍ମାନ ପାଇଛନ୍ତି।

ରାଜ୍ୟ ବୁଣାକର ମହାସଂଘର ଶ୍ରୀଧର ବେହେରା କହନ୍ତି, ଓଡ଼ିଶାରେ ପ୍ରାୟ ୧ ଲକ୍ଷ ୪୭ ହଜାର ବୁଣାକାର ପରିବାର ଏହି ପେସାରେ କାହିଁ କେତେ ବର୍ଷ ହେଲା ସଂପୃକ୍ତ ରହୁଛନ୍ତି। ଜଣେ ବୁଣାକାର ପରିବାର ଦୈନିକ ୮ରୁ ୧୦ ଘଣ୍ଟା ପରିଶ୍ରମ ପରେ ମଧ୍ୟ ୧ ହଜାର ଟଙ୍କା ସର୍ବନିମ୍ନ ପ୍ରାପ୍ୟ ମଧ୍ୟ ପାଆନ୍ତି ନାହିଁ। ସରକାରଙ୍କ ପକ୍ଷରୁ ଦିଆଯାଉଥିବା ରିହାତି ଯୋଜନାର ଲାଭ ମଧ୍ୟ ତାଙ୍କୁ ମିଳେ ନାହିଁ। ସରକାରଙ୍କ ପକ୍ଷରୁ ତନ୍ତଶାଳା ଯୋଜନା ରହିଛି। ମାତ୍ର ଏହାର ଅଦ୍ଭୁତ ବ୍ୟବସ୍ଥା ଅନୁସାରେ, ସରକାରୀ ଯୋଜନା ପାଇ ନଥିବା ଜଣେ ବୁଣାକାରଙ୍କୁ ହିଁ ଏହାର ଲାଭ ମିଳୁଛି। ଅର୍ଥାତ ଜଣଙ୍କ ପକ୍କା ଘର ଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ତନ୍ତଶାଳା ଯୋଜନାରୁ ବଞ୍ଚିତ ହେବେ। ଏଥିପ୍ରତି ରାଜ୍ୟ ହସ୍ତତନ୍ତ ପୁନର୍ବିଚାରର ଆବଶ୍ୟକତା ରହିଛି। ହସ୍ତତନ୍ତ ମଧ୍ୟ କଳା ତେଣୁ କଳାକାରଙ୍କ ଭଳି ହସ୍ତତନ୍ତ କାରିଗରଙ୍କୁ ପେନସନ ବ୍ୟବସ୍ଥାର ଆବଶ୍ୟକତା ରହିଥିବା ସଂଘ କହିଛି।

ହସ୍ତତନ୍ତ ବ୍ୟବସାୟୀଙ୍କ ଅନୁସାରେ, ରାଜ୍ୟର ଏତେ କୋଟି ଟଙ୍କାର ହସ୍ତତନ୍ତ ରପ୍ତାନି ହେଉଥିଲେ ମଧ୍ୟ ଓଡ଼ିଶା ସରକାରଙ୍କ ପକ୍ଷରୁ କେବେ ମଧ୍ୟ ସେମାନଙ୍କ ପାଇଁ କ୍ରେତା-ବିକ୍ରେତା ମିଟ୍‌ର ଆୟୋଜନ କରାଯାଇନାହିଁ। ଟିକସରେ ରିହାତି ବ୍ୟବସ୍ଥା ନାହିଁ। ଜିଏସ୍‌ଟି ମାଡ଼ ସେମାନଙ୍କୁ କ୍ଷତିଗ୍ରସ୍ତ କରୁଛି। ଏଥିରୁ ହିଁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ। ଓଡ଼ିଶା ହସ୍ତତନ୍ତର ସାମର୍ଥ୍ୟ ରହିଛି, ସରକାର ପ୍ରୋତ୍ସାହିତ କଲେ ଏହାର କଳେବର ଆହୁରି ବଢ଼ିବ ବୋଲି କୁହାଯାଉଛି। ରାଜ୍ୟ ହସ୍ତତନ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ କାର୍ଯ୍ୟଭାର ଗ୍ରହଣ ପରେ ପ୍ରଥମେ ନିଜ ବିଭାଗ ଏବଂ ପରେ ସମସ୍ତ ସରକାରୀ କାର୍ଯ୍ୟାଳୟରେ ସପ୍ତାହରେ ଥରେ ହସ୍ତତନ୍ତ ପିନ୍ଧିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ପରିପ୍ରେକ୍ଷୀରେ ବିଭାଗ ପକ୍ଷରୁ ହସ୍ତତନ୍ତର ବିକାଶ ପାଇଁ ଅନେକ କାର୍ଯ୍ୟକ୍ରମ କରାଯାଉଛି। ବୟନିକା, ଉତ୍କଳିକା, ସମ୍ବଲପୁରୀ ବସ୍ତ୍ରାଳୟ, ଅମ୍ଳାନ ସୋସାଇଟି ଜରିଆରେ ଓଡ଼ିଶୀ ହସ୍ତତନ୍ତ ମାର୍କେଟିଂ କରାଯାଉଛି। ପର୍ବ ଦିନରେ ୧୦ ପ୍ରତିଶତ ସ୍ବତନ୍ତ୍ର ରିହାତି ଦିଆଯାଇଛି। ଉତ୍କଳିକା ଏବଂ ବୟନିକା ପକ୍ଷରୁ ଡିଜିଟାଲ ମାର୍କେଟିଂ କରାଯାଉଛି। ମାର୍ଚ୍ଚ ସୁଦ୍ଧା ଉତ୍କଳିକା ପକ୍ଷରୁ ୫୪ଲକ୍ଷ ଏବଂ ବୟନିକା ପକ୍ଷରୁ ୧କୋଟି ଟଙ୍କାର କାରବାର କରିଛି। ଓଡ଼ିଶା ଦିବସ ଅବସରରେ ତାଙ୍କ ବିଭାଗ ନୂତନ ଭେଟି ଦେବ ବୋଲି ମଧ୍ୟ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର