ରାଜ୍ୟ ସରକାର ଓ ବୀମା କମ୍ପାନିଙ୍କ ମଧୁଚନ୍ଦ୍ରିକା ଯୋଗୁ ଚାଷୀକୁଳ ହଇରାଣ: ପ୍ରଦୀପ ପୁରୋହିତ

ଭୁବନେଶ୍ବର : ରାଜ୍ୟର ଲକ୍ଷ ଲକ୍ଷ ଚାଷୀମାନଙ୍କୁ ବାରମ୍ବାର ପ୍ରତାରଣା କରିଆସୁଥିବା ରାଜ୍ୟ ସରକାର ନିଜ ଚାଷୀମାରଣ ନୀତିରୁ ନଜର ହଟାଇବା ପାଇଁ ପୁଣି ଥରେ ଫସଲ ବୀମାର ଡ୍ରାମାବାଜି ଆରମ୍ଭ କରିଛନ୍ତି। ରାଜ୍ୟ ସରକାର ଜାଣିଶୁଣି ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାକୁ ବାଟବଣା କରିଛନ୍ତି। ରାଜ୍ୟ ସରକାର ଓ ବୀମା କମ୍ପାନିଙ୍କ ମଧୁଚନ୍ଦ୍ରିକା କାରଣରୁ ଚାଷୀକୁଳ ହଇରାଣ ହେଉଛନ୍ତି। ଲକ୍ଷ ଲକ୍ଷ ଚାଷୀ ଆଜି ଯେତେବେଳେ ନିଜ ନ୍ୟାର୍ଯ୍ୟ ହକ୍ ‘ପ୍ରଧାନମନ୍ତ୍ରୀ ଫସଲ ବୀମା ଟଙ୍କା’ ପାଇବାରୁ ବଞ୍ଚିତ ହୋଇଛନ୍ତି, ସେତେବେଳେ ରାଜ୍ୟ ସରକାର ଅତି ସୁନ୍ଦର ଭାବେ ନିଜ ଉପରୁ ଦୋଷ ଖସାଇ କେନ୍ଦ୍ର ସରକାରଙ୍କ ଉପରେ ଦୋଷ ଲଦି ଦେବାର ଅପପ୍ରୟାସ ଆରମ୍ଭ କରିଛନ୍ତି ବୋଲି ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ କହିଛନ୍ତି।

ଶ୍ରୀ ପୁରୋହିତ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ବାରମ୍ବାର ତାଗିଦ ପରେ ବୀମା କମ୍ପାନିଗୁଡ଼ିକ ଯେତେବେଳେ ବୀମା ଟଙ୍କା ଦେବା ଆରମ୍ଭ କରିଛନ୍ତି, ସେତେବେଳେ ଶାସକ ବିଜେଡି ମିଛରେ ବାଃ ବାଃ ନେବା ଆରମ୍ଭ କରିଦେଇଛି। ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ଚାଷୀମାନଙ୍କୁ ଠିକ୍‌ ସମୟରେ ବୀମା ରାଶି ମିଳିନି। ଏବେ କେନ୍ଦ୍ର ସରକାରଙ୍କ ବୈଷୟିକ ପରାମର୍ଶଦାତା କମିଟି ନିର୍ଦ୍ଦେଶ ଆସିଥିବାରୁ ଏହାକୁ ଭିତ୍ତି କରି ରାଜ୍ୟ ସରକାର ଚାଷୀଙ୍କୁ ତୁରନ୍ତ ବୀମା ଅର୍ଥ ପ୍ରଦାନ କରନ୍ତୁ।

ଚାଷୀକୁଳ ସ୍ୱାର୍ଥ ବିରୋଧୀ ଏବଂ ବୀମା କମ୍ପାନିଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟରତ ଶାସକ ବିଜେଡିର ଅସଲ ଚେହେରା ସାମ୍ନାକୁ ଆସିଯାଇଛି। ତେଣୁ ଆଗାମୀ ଦିନରେ ସମଗ୍ର ଚାଷୀକୁଳ ଏକାଠି ହୋଇ ଶାସକ ବିଜେଡିକୁ ଉଚିତ୍ ଜବାବ୍ ଦେବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର