ସ୍କୁଲ୍‌ ଛୁଟିବେଳେ ପାଇଖାନାରେ ରହିଗଲେ କୁନି ଛାତ୍ର; ଗେଟ୍‌ରେ ତାଲା ପଡ଼ିବା ଦେଖି କାନ୍ଦିଲେ, କିଛି ସମୟ ପରେ ଉଦ୍ଧାର, ପ୍ରାଥମିକ ତଦନ୍ତ ପରେ ପ୍ରଧାନଶିକ୍ଷୟିତ୍ରୀ ନିଲମ୍ବିତ

ବାଲେଶ୍ବର : ପାଇଖାନା ଯାଇଥିଲା ପ୍ରଥମ ଶ୍ରେଣୀର ଜଣେ ଛାତ୍ର। ଏହାଭିତରେ ଛୁଟି ହୋଇଗଲା। ଶିକ୍ଷୟିତ୍ରୀ ଓ କର୍ମଚାରୀ ଗେଟ୍‌ରେ ତାଲା ପକାଇ ଘରକୁ ପଳାଇଗଲେ। ‌ଛାତ୍ର ଜଣକ ପାଇଖାନାରୁ ବାହାରି ଗେଟ୍‌ରେ ତାଲା ପଡ଼ିଥିବା ଦେଖି କାନ୍ଦିବାକୁ ଲାଗିଲା‌। କିଛି ସମୟ ପରେ ତାଲା ଖୋଲାଯାଇ ପିଲାଟିକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଗଲା। ବାଲେଶ୍ବର ସହର ମଠସାହି ସ୍ଥିତ ମହାବୀର ନୋଡାଲ୍‌ ୟୁପି ସ୍କୁଲ‌େର ଏହିଭଳି ଏକ ଘଟଣା ଘଟିଛି। ବିଭାଗୀୟ ତଦନ୍ତ ପରେ ସ୍କୁଲ୍‌ର ପ୍ରଧାନଶିକ୍ଷୟିତ୍ରୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିବା ଜଣାପଡ଼ିଛି।

ପ୍ରଥମ ଶ୍ରେଣୀ ଛାତ୍ର ଅମର ହାଁସଦ‌ା। ଗତକାଲି ସ୍କୁଲ୍‌ ଛୁଟିବେଳେ ଅମର ଶିକ୍ଷୟିତ୍ରୀଙ୍କୁ କହି ପାଇଖାନାକୁ ଯାଇଥିଲେ। ସେ ପାଇଖାନାରେ ଥିଲାବେଳେ ସ୍କୁଲ ଛୁଟି ହୋଇଯାଇଥିଲା। କେହି ସେ କଥା ଜାଣି ପାରିଲେନି। ଏହାପ‌େର ସ୍କୁଲର ପ୍ରଧାନଶିକ୍ଷୟିତ୍ରୀଙ୍କ ସମେତ ସମସ୍ତ ଶିକ୍ଷକ ଓ କର୍ମଚାରୀ ଗେଟ୍‌ରେ ତାଲା ପକାଇ ଘରକୁ ପଳାଇ ଯାଇଥିଲେ। କିଛି ସମୟରେ ପରେ ପାଇଖାନାରୁ ବାହାରି ଅମର ସ୍କୁଲ ଗେଟ୍‌ରେ ତାଲା ପକାଯାଇଥିବା ଦେଖି ଭୋ ଭୋ ହୋଇ କାନ୍ଦିଥିଲେ। ଆଖପାଖରେ ଥିବା ଲୋକ ତାଙ୍କ କାନ୍ଦ ଶୁଣି ସେଠାରେ ରୁଣ୍ଡ ହୋଇ ଯାଇଥିଲେ। ତୁରନ୍ତ ସ୍କୁଲର ପିଅନକୁ ଡକାଇ ତାଲା ଖୋଲାଯିବା ସହ ଅମରଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।

ସ୍କୁଲ୍‌ର ପ୍ରଧାନଶିକ୍ଷୟିତ୍ରୀ ଓ ପିଅନଙ୍କର ଏଭଳି ଦାୟିତ୍ୱହୀନତାକୁ ନେଇ ସ୍ଥାନୀୟ ଲୋକ ଅସନ୍ତୋଷ ପ୍ରକା‌ଶ କରିଥିଲେ। ‌ଏହି ଘଟଣାରେ ଯେଉଁମାନେ ସଂପୃକ୍ତ, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ। ସେହିପରି ସମଗ୍ର ଘଟଣାର ଏକ ଭିଡିଓ ସୋସିଆଲ୍‌ରେ ମିଡିଆରେ ଭାଇରାଲ୍‌ ହୋଇଥିଲା। ଫଳରେ ଲୋକଙ୍କ ଅଭିଯୋଗ ସହ ଭାଇରାଲ୍‌ ଭିଡିଓ ଆଧାରରେ ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ ଷଡ଼ଙ୍ଗୀଙ୍କ ନିର୍ଦେଶ କ୍ରମେ ସଦର ବିଇଓ କବିତା ଜେନା ଓ ବିଆର୍‌ସିସି ବିକର୍ତ୍ତନ ଜେନା ସମ୍ପୃକ୍ତ ସ୍କୁଲକୁ ଯାଇ ତଦନ୍ତ କରିଥିଲେ। ପ୍ରାଥମିକ କାର୍ଯ୍ୟାନୁଷ୍ଠାନ ଭାବେ ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ମହାପାତ୍ରଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିବା ଜଣାପଡ଼ିଛି।

ତେବେ ଏ ନେଇ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ଶାନ୍ତି ପ୍ରତିମା ମହ‌‌ାପାତ୍ର କହିଛନ୍ତି ଯେ, ‘ କାଳେ ପିଲାଟି ବାହାରି ରାସ୍ତାକୁ ପଳେଇ ଆସିବ, ସେଥିପାଇଁ ତାଲା ପକେଇ ଦେଇଥିଲେ। କିଛି ସମୟ ପରେ ସେଠାରେ ଲୋକଙ୍କ ହୋ-ହଲ୍ଲା ଶୁଣି ତୁରନ୍ତ ଯାଇ ସେ ତାଲା ଖୋଲିଥିଲେ। ’

ସମ୍ବନ୍ଧିତ ଖବର