ଏଏସ୍‌ଓ ପରୀକ୍ଷା ମାମଲା ଶୁଣାଣିରେ ପୂର୍ଣ୍ଣଚ୍ଛେଦ

କଟକ : ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ପକ୍ଷରୁ ଅନୁଷ୍ଠିତ ଏଏସ୍‌ଓ (ଆସିଷ୍ଟାଣ୍ଟ ସେକ୍ସନ ଅଫିସର) ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଅଭିଯୋଗ କରି ଦାୟର ମାମଲାର ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଚୟନ ପ୍ରକ୍ରିୟା‌ରେ ସ୍ବଚ୍ଛତା ଅବଲମ୍ବନ ଉପରେ ଗୁରୁତ୍ବାରୋପ କରିଛନ୍ତି। ଏଥିସହିତ, ୨୦୧୬ର ବିଜ୍ଞପ୍ତି ଅନୁସାରେ ଏଏସ୍‌ଓ ନିଯୁକ୍ତି ପରୀକ୍ଷାଫଳ ପ୍ରକାଶ ପାଇଁ ଓପିଏସ୍‌ସିକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

୨୦୧୬ ବିଜ୍ଞପ୍ତି ଅନୁସାରେ ପରୀକ୍ଷାଫଳ
ତଥ୍ୟ ପ୍ରକାଶ ପାଇଁ ଓପିଏସ୍‌ସିକୁ ନିର୍ଦ୍ଦେଶ
ନିଯୁକ୍ତି ପ୍ରକ୍ରିୟାରେ ସ୍ବଚ୍ଛତା ଉପରେ ହାଇକୋର୍ଟଙ୍କ ଗୁରୁତ୍ବାରୋପ

୨୦୧୬ର ବିଜ୍ଞପ୍ତି ଅନୁସାରେ ଏଏସ୍‌ଓ ନିଯୁକ୍ତି ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିବା ବିଭିନ୍ନ ପ୍ରାର୍ଥୀଙ୍କ ମାର୍କ, ଚୟନ ତାଲିକାରେ ସ୍ଥାନ ପାଇଥିବା ପ୍ରାର୍ଥୀଙ୍କ ମାର୍କ, କ୍ବାଲିଫାଇଂ ମାର୍କ, ସର୍ବୋଚ୍ଚ ମାର୍କ, ମୋଟ୍‌ ମାର୍କ ଓ ଅନ୍ୟାନ୍ୟ ତଥ୍ୟ ଓପିଏସ୍‌ସି ପ୍ରକାଶ କରିବ। ଅନ୍ୟପକ୍ଷରେ, ସେପ୍ଟେମ୍ବର ୭ରେ ପ୍ରକାଶିତ ତାଲିକାରେ ସ୍ଥାନ ପାଇଥିବା ପ୍ରାର୍ଥୀଙ୍କ ସାର୍ଟିଫିକେଟ ‌ଯ‌ାଞ୍ଚ୍‌ ନଭେମ୍ବର ୧୪ରୁ ଆରମ୍ଭ ହୋଇଥିବା ବେଳେ ହାଇକୋର୍ଟ ଏଏସ୍‌ଓ ଚୟନ ପ୍ରକ୍ରିୟା ପ୍ରସଙ୍ଗରେ କୌଣସି ଅନ୍ତରୀଣ ନିର୍ଦ୍ଦେଶ ପ୍ରଦାନ କରିନାହାନ୍ତି। ଫଳରେ, ପୂର୍ବ କାର୍ଯ୍ୟସୂଚୀ ଅନୁସାରେ ‌ନଭେମ୍ବର ୭ ତାରିଖର ଚୟନ ତାଲିକାରେ ସ୍ଥାନ ପାଇଥିବା ପ୍ରାର୍ଥୀଙ୍କ ସାର୍ଟିଫିକେଟ ଯାଞ୍ଚ ଜାରି ରହିବ ଓ ନିର୍ଦ୍ଧାରିତ ତାରିଖରେ କମ୍ପ୍ୟୁଟର ସ୍କିଲ୍‌ ଟେଷ୍ଟ ଅନୁଷ୍ଠିତ ହେବ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏଏସ୍‌ଓ ପରୀକ୍ଷାଫଳକୁ ନେଇ କେତେକ ପ୍ରାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିବା ବେଳେ ଏ ନେଇ ହାଇକୋର୍ଟରେ ଏକାଧିକ ମାମଲା ରୁଜୁ ହୋଇଥିଲା। ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଅଭିଯୋଗ କରି ଏହି ସବୁ ମାମଲା ଦାୟର ହୋଇଥିଲା। ୭୯୬ ଏଏସ୍‌ଓ ପଦ ପାଇଁ ୨୦୨୨, ଅଗଷ୍ଟ ୨୭ ତାରିଖରେ ଲିଖିତ ପରୀକ୍ଷା ହୋଇଥିଲା। ମୋଟ୍ ୧ଲକ୍ଷ ୪୮ହଜାର ୮୮୮ଜଣ ପ୍ରାର୍ଥୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ଭିତରୁ ୧୧୦୪ଜଣ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ନେଇ ନଭେମ୍ବର ୭ରେ ଓପିଏସ୍‌ସି ବିଜ୍ଞପ୍ତି ପ୍ରକାଶ କରିଥିଲା। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଅକ୍ଷୟ କୁମାର ପାଣ୍ଡେ, ଓପିଏସସି ତରଫରୁ ବରିଷ୍ଠ ଆଇନଜୀବୀ ପ୍ରଦୀପ୍ତ କୁମାର ମହାନ୍ତି, ସରକାରଙ୍କ ପକ୍ଷରୁ ଏଜିଏ ବିଭୁପ୍ରସାଦ ତ୍ରିପାଠୀ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର