ବୁଢ଼ାବଳଙ୍ଗରୁ ବେଧଡ଼କ ବାଲି ଚାଲାଣ; ବିପଦରେ ୧୦୫ ଗାଁ

ନେତା, ସରକାରୀ ଅଧିକାରୀ ଓ ବାଲିମାଫିଆଙ୍କ ଅସାଧୁ ମେଣ୍ଟ ଭାଙ୍ଗି ପାରିବ କି ଏନ୍‌ଜିଟି?

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଦେଇ ପ୍ରବାହିତ ବୁଢ଼ାବଳଙ୍ଗ ନଦୀରୁ ବେଆଇନ ବାଲି ଉତ୍ତୋଳନ ଉପରେ ଲଗାମ୍‌ ଲାଗି ପାରୁନି। ଲିଜ୍‌ ଦିଆଯାଇଥିବା ବାଲିଘାଟରେ ବେଆଇନ୍‌ ବାଲି କାରବାର ହେଉଥିବା ବେଳେ ଲିଜ୍ ଦିଆଯାଇ ନ ଥିବା ଘାଟରୁ ମଧ୍ୟ ଦିନରାତି ବାଲି ଚୋରା ଚାଲାଣ କରାଯାଉଛି। ସରକାରୀ ବାବୁମାନଙ୍କ ଛତ୍ରଛାୟା ତଳେ ରହି ବାଲି ମାଫିଆମାନେ କୋଟି କୋଟି ଟଙ୍କାର ବାଲି ଚାଲାଣ କରୁଛନ୍ତି। ଯାହାର କୁପ୍ରଭାବ ନିକଟସ୍ଥ ଗାଁଗୁଡ଼ିକ ଉପରେ ପଡ଼ୁଛି। ପ୍ରାୟ ଶତାଧିକ ଗାଁ ନଦୀର ଆଁ ଭିତରକୁ ଚାଲିଯିବାର ଆଶଙ୍କା ସୃଷ୍ଟି ହୋଇଛି।

ଶିମିଳିପାଳ ପାଦଦେଶ ବରେହିପାଣିରୁ ବୁଢ଼ାବଳଙ୍ଗ ନଦୀର ଉତ୍ପତ୍ତି ହୋଇଛି। ନଦୀଟି ସାରସକଣା, ବାଙ୍ଗିରିପୋ‌ଷି, ଶ୍ୟାମାଖୁଣ୍ଟା, ବାରିପଦା, ‌ବଡ଼ସାହି ଓ ବେତନଟୀ ବ୍ଲକ୍‌ ଦେଇ ପ୍ରବାହିତ ହେଉଛି। ନଦୀଜଳକୁ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ମାଧ୍ୟମରେ ଲୋକଙ୍କ ପାଖକୁ ପହଞ୍ଚାଯାଉଛି। ସେହିପରି ହଜାର ହଜାର ହେକ୍ଟର ଚାଷଜମିକୁ ଜଳସେଚନ ହୋଇପାରୁଛି। ତେବେ ନଦୀରୁ ବେଆଇନ ବାଲି ଉତ୍ତୋଳନ ଯୋଗୁ ଗତ କିଛି ବର୍ଷ ହେଲା ଲୋକମାନେ ପାନୀୟ ଉପଯୋଗୀ ଜଳ ପାଉ ନାହାନ୍ତି। ସେହିପରି ଚାଷଜମିକୁ ବି ପାଣି ମାଡ଼ି ପାରୁନାହିଁ।

କାରଣ ମନଇଚ୍ଛା ବାଲି ଉତ୍ତୋଳନ ଓ ଚାଲାଣ କରାଯିବା ଯୋଗୁ ନଦୀଜଳ ପ୍ରଦୂଷିତ ହେବା ସହ ଜଳସ୍ତର ହ୍ରାସ ପାଉଛି। ନଦୀ ଉପରେ ଲୋକମାନେ ଗାଧୋଇବା ଅନ୍ୟ କାମ‌ରେ ନିର୍ଭର କରୁଥିବା ଯୋଗୁ ସମସ୍ୟା ଆହୁରି ଜଟିଳ ହୋଇଛି। ବୁଢ଼ାବଳଙ୍ଗ ନଦୀକୂଳ ଠାରୁ ଗୋଟିଏ କିଲୋମିଟର ଦୂରରେ ପାଖାପାଖି ୨୨୧ଟି ଏବଂ ଅଧ କିଲୋମିଟର ଦୂରରେ ପ୍ରାୟ ୭୮ଟି ଗାଁ ରହିଛି। ମାଫିଆଙ୍କ ମନଇଚ୍ଛା ବାଲି ଉତ୍ତୋଳନ ଫଳରେ ନଦୀ ନିକଟ ୧୦୫ ଗାଁ ପ୍ରତି ବିପଦ ସୃଷ୍ଟି ହୋଇଛି। ମେସିନ୍‌ ଲଗାଇ ନଦୀରୁ ବାଲି ଉତ୍ତୋଳନ ହେବା ଯୋଗୁ ନଦୀ ଗଭୀର ହେବା ସହ ବନ୍ଧ ଦୁର୍ବଳ ହେଉଛି। ତେବେ ବଡ଼ସାହି ଓ ବେତନଟୀ ବ୍ଲକ୍‌ର ୨୫ରୁ ଅଧିକ ଗାଁରେ ଏହି ସମସ୍ୟା ଏବେ ଜଟିଳ ସ୍ଥିତିରେ ରହିଛି। ବର୍ଷାଦିନ ଆସିଲେ କିଏ ଘରଦ୍ବାର ଛାଡ଼ି ପରିବାର ସହ ଦୂର ଜାଗାକୁ ଯାଇ ରହୁଛନ୍ତି ତ ଆଉ କିଏ ବନ୍ଧୁବାନ୍ଧବଙ୍କ ଘରେ ରହିବାକୁ ଉଚିତ୍ ମଣୁଛନ୍ତି।

ନେତା, ସରକାରୀ ଅଧିକାରୀ ଓ ବାଲି ମାଫିଆଙ୍କ ସଲାସୁତରା ପାଇଁ ମୟୂରଭଞ୍ଜର ଜୀବନରେଖା କୁହାଯାଉଥିବା ବୁଢ଼ାବଳଙ୍ଗ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରିଛି। ଏହା ସହ ସରକାର ବି ବର୍ଷକୁ କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି।

ଅନ୍ୟପଟେ ମୟୂରଭଞ୍ଜରେ ଚାଲିଥିବା ବେଆଇନ ବାଲି ଉତ୍ତୋଳନ ଓ ଚାଲାଣ ଘଟଣାକୁ ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ୍‌ ଗୁରୁତ୍ବର ସହ ନେଇଛନ୍ତି। ନିର୍ଦ୍ଦେଶ ମତେ ୪ ଜଣିଆ କମିଟି ତଦନ୍ତ କରି ଟ୍ରିବ୍ୟୁନାଲ୍‌କୁ ରିପୋର୍ଟ ପ୍ରଦାନ କରି ସାରିଛନ୍ତି। ଯାହାକୁ ନେଇ ସରକାରୀ ଅଧିକାରୀ ଓ ନେତାମାନେ ଛାନିଆ ହୋଇ ପଡ଼ିଥିବା ବେଳେ ମାଫିଆଙ୍କ ଚିନ୍ତା ବଢ଼ିଛି।

ତେବେ ଟ୍ରିବ୍ୟୁନାଲ୍‌ର ଛାଟ ବାଲି ଉତ୍ତୋଳନ ଓ ଚାଲାଣକୁ କେତେ ମାତ୍ରାରେ ରୋକି ପାରୁଛି, ତାହା ତ ଅଲଗା କଥା। ପ୍ରାଥମିକତା ଭିତ୍ତିରେ କିନ୍ତୁ ଲୋକଙ୍କ ସ୍ବାର୍ଥ ପାଇଁ ବୁଢ଼ାବଳଙ୍ଗ ନଦୀର ସୁରକ୍ଷା କରାଯିବାକୁ ବିଭିନ୍ନ ମହଲରେ ଉଦ୍ୟମ ହେବା ଜରୁରୀ ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର