୧୯ରେ ବଙ୍ଗୋପସାଗରେ ଲଘୁଚାପ; ୨୩ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

ଅରେଞ୍ଜ ଓ ୟେଲୋ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ସଂପ୍ରତି ଉତ୍ତର- ପୂର୍ବ ବଙ୍ଗୋପସାଗର ଏବଂ ତତ୍‌ସଂଲଗ୍ନ ଅଞ୍ଚଳରେ ସମୁଦ୍ର ପତ୍ତନ ଠାରୁ ୫.୮ କିଲୋମିଟରରୁ ୭.୬ କିଲୋମିଟର ମଧ୍ୟରେ ଏକ ସାଇକ୍ଲୋନିକ୍‌ ସଞ୍ଚାର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ନୂତନ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି। ଆସନ୍ତାକାଲି, ଅର୍ଥାତ୍‌ ୧୯ ଅଗଷ୍ଟ ସୁଦ୍ଧା ଏହି ଲଘୁଚାପ ସୃଷ୍ଟିହେବା ସହ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହେବା ସହ ଧୀରେ ଧୀରେ ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବହୁ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଥିବା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି ଅପରାହ୍ନରେ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ୧୯ ତାରଖ ମଧ୍ୟାହ୍ନ ସୁଦ୍ଧା ଉତ୍ତର ଆଭ୍ୟନ୍ତରୀଣ ଓଡିଶାର ଅଧିକାଂଶ ଜିଲ୍ଲା ସମେତ ଓଡିଶାର ଅନ୍ୟାନ୍ୟ ଜିଲ୍ଲାମାନଙ୍କରେ ହାଲୁକା ଏବଂ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ଅଧିକ ରହିଛି। ଏହି ସମୟ ମଧ୍ୟରେ ବରଗଡ, ସୁନ୍ଦରଗଡ, ସମ୍ବଲପୁର, ଦେବଗଡ, ଝାରସୁଗୁଡା, କେନ୍ଦୁଝର, ଅନୁଗୁଳ, ମୟୂରଭଞ୍ଜ, ବଲେଶ୍ୱର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହି ଥିବାରୁ ଏହି ସମସ୍ତ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।

୨୦ ତାରିଖରେ ଓଡିଶାର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ଅଧିକ ରହିଛି। ଏଥିସହ ଏହି ସମୟ ମଧ୍ୟରେ ସମ୍ବଲପୁର, ଦେବଗଡ, ଅନୁଗୁଳ, ଢ଼େଙ୍କାନାଳ, ସୁନ୍ଦରଗଡ, କଟକ, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, କେନ୍ଦୁଝର, ବଲାଙ୍ଗୀର, ସୋନପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନ ଅଙ୍ଗୁଲ, ଦେଓଗଡ, ସମ୍ବଲପୁର ଜିଲ୍ଲା ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଥିବାରୁ ଏହି ସମସ୍ତ ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି ହୋଇଛି। ଏତଦବ୍ୟତୀତ ଏହି ସମୟ ମଧ୍ୟରେ କଳାହାଣ୍ଡି, କୋରାପୁଟ ମୟୂରଭଞ୍ଜ, ବାଲେଶ୍ୱର, ଝାରସୁଗୁଡା, ବରଗଡ, ଜଗତସିଂହପୁର, ବୌଦ୍ଧ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହଥିବା ଦୃଷ୍ଟିରୁ ଏହି ସମସ୍ତ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।

୨୧ ତାରଖରେ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ତଥା ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ହାଲୁକା ଏବଂ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ଅଧିକ ଥିବାବେଳେ ବରଗଡ, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, କେନ୍ଦୁଝର, ଦେବଗଡ, ଅନୁଗୁଳ, ଢ଼େଙ୍କାନାଳ, ମୟୂରଭଞ୍ଜ, ବଲାଙ୍ଗୀର, ନୂଆପଡା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି ହୋଇଛି।

୨୨ ତାରିଖରେ ଓଡ଼ିଶାର ଅଧିକାଂଶ ଜିଲ୍ଲାର ଅଳ୍ପ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ଅଧିକ ରହିଛି।

୨୩ ତାରିଖରେ କେନ୍ଦୁଝର, ଅନୁଗୁଳ, ମୟୂରଭଞ୍ଜ, ଢ଼େଙ୍କାନାଳ, ବଲେଶ୍ୱର, ଭଦ୍ରକ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହ ଥିବାରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଓ୍ଵାର୍ଣ୍ଣଂ ଜାରି କରାଯାଇଛି।

ସମ୍ବନ୍ଧିତ ଖବର