ଭାବବିହ୍ୱଳ ଭିଡିଓରେ ବାପାଙ୍କ ଚିକିତ୍ସା ପାଇଁ ପୁଅ ମାଗିଲା ସହାୟତା

ଭୁବନେଶ୍ୱର/ମାଲକାନଗିରି: ବାପା ପାଇଁ ପୁଅ ମାଗୁଛି ସହାୟତା | ହସ୍ପିଟାଲରେ ଚିକିତ୍ସାଧୀନ ବାପା ପାଇଁ ପୁଅ କରିଛି ଗୁହାରି |
ଆଖିରେ ଲୁହ,  ଛାତିରେ ଅସରନ୍ତି କୋହକୁ ଚାପି ନିଜ ବାପାଙ୍କ ଜୀବନ ବଞ୍ଚାଇବାକୁ ପୁଅ ସରକାରଙ୍କୁ ସହାୟତା ପାଇଁ ନିବେଦନ କରିଛି | ମାଲକାନଗିରି ଏମଭି ୭୯ରେ ରହୁଥିବାର ତମାଲ ବାଗଚୀଙ୍କର ଏହା ହେଉଛି କାହାଣୀ | ତମାଲଙ୍କ ବାପା ଦେବେନ୍ଦ୍ର ବାଗଚୀ ଏବେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାର ଏକ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି | ଖାଦ୍ୟ ନଳୀରେ ଛିଦ୍ର ଯୋଗୁଁ ତାଙ୍କର ଅପରେସନ କରାଯାଇଛି | ତେବେ ଏହା ପ୍ରଥମ ଥର ଅପରେସନ ହୋଇନି |

ଡିସେମ୍ବର ୧୨ ତାରିଖରେ ଛତିଶଗଡ଼ର ଜଗଦଲପୁରରେ ପ୍ରଥମ ଅପରେସନ କରାଯାଇଥିଲା | ଅପରେସନ ଠିକ ଭାବେ ହୋଇନଥିବାରୁ ପୁଣି ଥରେ ବିଶାଖାପାଟଣାରେ ଏବେ ଅପରେସନ ହୋଇଛି | ମାସକ ମଧ୍ୟରେ ଦୁଇ ଥର ଅପରେସନ ହୋଇଥିବାବେଳେ ପାଖାପାଖି ୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇସାରିଲାଣି |

ତେବେ ଆହୁରି ୨ ଲକ୍ଷ ଟଙ୍କା ଆବଶ୍ୟକ ପଡୁଥିବାବେଳେ ତମାଲଙ୍କ ପରିବାର ପାଖରେ ଏତେ ଟଙ୍କା ନାହିଁ | ତା ସତ୍ୱେ ଆଶା ଛାଡ଼ିନାହାନ୍ତି ତମାଲ | ଏକ ଭିଡିଓ ପୋଷ୍ଟ କରି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି | ତମାଲଙ୍କର ମନେପଡୁଛି ବାପାଙ୍କ ସ୍ନେହ ଓ ଭଲପାଇବା | ଦିନେ ଯେଉଁ ବାପାଙ୍କ ହାତ ଧରି ସେ ଚାଲିଶିଖିଥିଲେ, ସେହି ବାପାଙ୍କ ପାଇଁ ଏବେ ସାହାଯ୍ୟ ମାଗୁଛନ୍ତି ପୁଅ ତମାଲ ବାଗଚୀ | ତେବେ ପ୍ରଶାସନର କେବେ ନଜର ପଡୁଛି ତାହା ସମୟ ହିଁ କହିବ |

ସମ୍ବନ୍ଧିତ ଖବର