ଉପରମୁଣ୍ଡରେ ହୋଇନି ବଡ଼ବର୍ଷା : ଚଳିତ ବର୍ଷ ହୀରାକୁଦ ଜଳଭଣ୍ଡାରକୁ ସର୍ବନିମ୍ନ ଜଳପ୍ରବେଶ

ସମ୍ବଲପୁର : ଉପରମୁଣ୍ଡରେ ଏଯାଏ ଭଲ ବର୍ଷା ହୋଇନଥିବାରୁ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶର ପରିମାଣ ହ୍ରାସ ପାଇଛି। ହୀରାକୁଦ ଜଳସ୍ତର ଆଶାନୁରୂପ ବୃଦ୍ଧି ପାଇନି। ଚଳିତବର୍ଷ ଜଳଭଣ୍ଡାରକୁ ମାତ୍ର ୦.୮୧୬ ମିଲିୟନ ଏକର ଫୁଟ୍‌ ପାଣି ପ୍ରବେଶ କରିଛି। ଯାହାକି ଜଳଭଣ୍ଡାର ଇତିହାସରେ ସର୍ବନିମ୍ନ ବୋଲି କୁହାଯାଉଛି।

ବୁଧବାରର ଜଳସ୍ତର ଯେହେତୁ ଆସନ୍ତାକାଲି ଗୁରୁବାର ସ୍ପଷ୍ଟ ହେବ ତେଣୁ ହୁଏତ ୨୦୦୨ର ଜଳପ୍ରବେଶ ସହିତ ସମାନ କିମ୍ବା କିଛିଟା କମ୍ ବେଶୀ ହୋଇପାରେ ବୋଲି ପୂର୍ବାନୁମାନ କରାଯାଉଛି। ପାଣିପାଗ ପରିବର୍ତ୍ତନ ହେଉଥିବାରୁ ଅଗଷ୍ଟ ମାସରେ ସ୍ଥିତି ସମ୍ଭାଳି ହୋଇଯିବ ବୋଲି ଆଶା ରହିଛି। ଜୁଲାଇ ୩୧ ତାରିଖ (ବୁଧବାର)ରେ ଉପରମୁଣ୍ଡରେ ମାତ୍ର ୭ ମିଲିମିଟର ବର୍ଷାର ରେକର୍ଡ କରାଯାଇଛି।

ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ଜୁନ ମାସରେ ୧୫୩ ମିଲିମିଟର ଏବଂ ଜୁଲାଇ ମାସରେ ୩୬୨ ମିଲିମିଟର ବର୍ଷା ହେବା ଆବଶ୍ୟକ ଏବଂ ସେଇ ଅନୁପାତରେ ଜଳଭଣ୍ଡାରକୁ ୫.୪୯୬ ମିଲିୟନ ଏକର ଫୁଟ ପାଣି ପ୍ରବେଶ କରି ଜଳସ୍ତର ପ୍ରାୟ ୬୧୫ ଫୁଟ ପର୍ଯ୍ୟନ୍ତ ପହଞ୍ଚିଯିବା କଥା। ମାତ୍ର ଚଳିତ ବର୍ଷ ଉପରମୁଣ୍ଡରେ ଜୁନ ମାସରେ ୧୧୫.୫୯ ମିଲିମିଟର ଏବଂ ଜୁଲାଇ ମାସରେ ୨୭୦ ମିଲିମିଟର ବର୍ଷା ହୋଇଛି। ଯଦିଓ ଆବଶ୍ୟକତା ଅନୁସାରେ ଉପରମୁଣ୍ଡରେ ହୋଇନାହିଁ ତେବେ, ତାହା ବହୁତ କମ୍ ନୁହେଁ। ଲଗାତାର ଦିନେ କିମ୍ବା ଦୁଇ ଦିନ ଧରି ବଡ଼ ଧରଣର ବର୍ଷା ହୋଇନଥିବାରୁ ପ୍ରତିଦିନ ଅତି ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ଜଳଭଣ୍ଡାରକୁ ଯେତେ ପରିମାଣରେ ପାଣି ପ୍ରବେଶ କରିବା କଥା ତାହା ହୋଇ ପାରି ନାହିଁ ବୋଲି ହୀରାକୁଦ ଜଳଭଣ୍ଡାରର ପୂର୍ବତନ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ପଣ୍ଡା କହିଛନ୍ତି। ମାତ୍ର ୦.୮୧୬ ମିଲିୟନ ଏକର ଫିଟ ପାଣି ପ୍ରବେଶ କରିଛି। ପାୱାର କେନାଲକୁ ପାଣି ଯୋଗାଣ କମ ଦିଆଯିବା ଯୋଗୁଁ ହିଁ ବର୍ତ୍ତମାନ ଜଳସ୍ତର ସ୍ଥିତି ସମ୍ଭାଳି ଦିଆଯାଇଛି। ନଚେତ ଏହା ଆହୁରି କମ ହୋଇ ଜଳସେଚନକୁ ମଧ୍ୟ ପ୍ରଭାବିତ କରିବାର ଆଶଙ୍କା ଥାଆନ୍ତା। ଏଥିପୂର୍ବରୁ ୨୦୦୨ ମସିହାରେ ଉପରମୁଣ୍ଡରେ ସର୍ବନିମ୍ନ ବୃଷ୍ଟିପାତ ହୋଇ ବିଳମ୍ବରେ ଗେଟ ଖୋଲିଥିଲା। ସେହି ବର୍ଷ ଜୁଲାଇ ମାସରେ ସର୍ବନିମ୍ନ ୧୩୯.୬୦ ମିଲିମିଟର ବର୍ଷା ହୋଇଥିଲା। ଜଳଭଣ୍ଡାରକୁ ସର୍ବନିମ୍ନ ୦.୯୫୩ ମିଲିୟନ ଏକର ଫୁଟ ପାଣି ପ୍ରବେଶ କରିଥିଲା। ଅପରପକ୍ଷରେ ପାଣିପାଗ ପରିବର୍ତ୍ତନ ଯୋଗୁଁ ଏଭଳି ବ୍ୟତିକ୍ରମ ହେଉଥିବା ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି। ଜୁଲାଇ ମାସର ପାଗ ଜୁନ ଭଳି ହେଉଥିବାରୁ ହୁଏତ ଅଗଷ୍ଟ ମାସରେ ଜୁଲାଇ ଭଳି ବର୍ଷା ହୋଇପାରେ ବୋଲି ଆଶା କରୁଛନ୍ତି।

ସମ୍ବନ୍ଧିତ ଖବର