‘ବି’ ବର୍ଗ ୧୦ ଜିଲ୍ଲାରେ ବି ହେବ ଡିଏଲ୍ ଟେଷ୍ଟ, ୧୦ରୁ ସ୍ଲଟ୍‌ ବୁକିଂ, ୧୩ରୁ ଟେଷ୍ଟ୍‌

କଟକ: କରୋନା ସଂକ୍ରମଣ ଅଧିକ ଥିବା ୧୦ ଜିଲ୍ଲାରେ ବି ଏଣିକି ହେବ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍‌) ପାଇଁ ପରୀକ୍ଷା। ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଶୁକ୍ରବାର ଏ ସଂପର୍କରେ ଘୋଷଣା କରିଛନ୍ତି। ଗତ ଏପ୍ରିଲ ୨୦ରୁ ରାଜ୍ୟରେ ସମସ୍ତ ଡିଏଲ୍‌ ସ୍ଲଟ୍‌ ବୁକିଂ ଓ ଟେଷ୍ଟ୍‌ ବନ୍ଦ ଥିଲା। କୋଭିଡ ଗାଇଡଲାଇନକୁ ଦୃଷ୍ଟିରେ ରଖି ଗତ ମାସରେ କମ ସଂକ୍ରମଣ ଥିବା ୨୦ଟି ଜିଲ୍ଲା (ଏ ବର୍ଗ)କୁ ଏଥିପାଇଁ ପ୍ରଥମେ ଅନୁମତି ମିଳିଥିଲା। କୋଭିଡ ସଂକ୍ରମଣ କମିନଥିବାରୁ ୧୦ଟି ‘ବି’ ବର୍ଗ ଜିଲ୍ଲାକୁ ଏହି ଅନୁମତି ମିଳି ନଥିଲା। ଆଜି ୧୦ ‘ବି’ ବର୍ଗ ଜିଲ୍ଲାକୁ ଡିଏଲ ସ୍ଲଟ୍‌ ବୁକିଂ ପାଇଁ ଅନୁମତି ଦିଆଯାଇଛି।

‘ବି’ ବର୍ଗରେ ଥିବା ବାଲେଶ୍ବର, ଖୋର୍ଦ୍ଧା, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ନୟାଗଡ଼ ଓ ପୁରୀ ଜିଲ୍ଲାକୁ ଏହି ଅନୁମତି ମିଳିଛି। ଅନ୍ୟପଟେ ଲର୍ଣ୍ଣିଂ ଲାଇସେନ୍‌ସ ଅବଧିକୁ ସେପ୍ଟମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବୈଧ ରଖିବାକୁ ନିର୍ଦ୍ଦେଶ ରହିଛି। ନିର୍ଦ୍ଦେଶ ମୁତାବକ, ପୁରୀ ଜିଲ୍ଲା ବ୍ୟତୀତ ଅନ୍ୟ ୯ଟି ଜିଲ୍ଲାରେ ଆସନ୍ତାକାଲି (୧୦ ତାରିଖ) ଠାରୁ ଡ୍ରାଇଭିଂ ଟେଷ୍ଟ ପାଇଁ ସ୍ଲଟ୍ ବୁକିଂ ଆରମ୍ଭ ହେବ। ଏହି ଜିଲ୍ଲାମାନଙ୍କରେ ଆସନ୍ତା ୧୩ ତ‌ାରିଖରୁ ଡିଏଲ୍‌ ପାଇଁ ଟେଷ୍ଟ୍‌ ନିଆଯାଇ ପାରିବ। ଦିନ ୧୧ଟାରୁ ସ୍ଲଟ୍ ବୁକିଂ ହେବ। ପରବର୍ତ୍ତୀ ସମୟରେ ସକାଳ ୭ଟାରୁ ରାତି ୧୦ଟା ମଧ୍ୟରେ ସ୍ଲଟ୍ ବୁକିଂ ହୋଇପାରିବ। କେବଳ ପୁରୀ ଜିଲ୍ଲାରେ ୧୩ ତାରିଖରୁ ସ୍ଲଟ୍ ବୁକିଂ ଆରମ୍ଭ ହେବ ଏବଂ ୧୪ ତାରିଖରୁ ଡିଏଲ୍‌ ପରୀକ୍ଷା ହେବ। ପୂର୍ବରୁ ଡିଏଲ୍‌ ପାଇଁ ଆବେଦନ କରିଥିବା ଆବେଦନକାରୀଙ୍କୁ କେବଳ ଏହି ସୁବିଧା ମିଳିବ। ଡିଏଲ୍‌ ନବୀକରଣ ଓ ରି-ଟେଷ୍ଟ ହୋଇପାରିବ। ଡିଏଲ୍‌ ଟେଷ୍ଟ ବେଳେ ସମସ୍ତ କୋଭିଡ କଟକଣା ପାଳନ କରାଯିବ। ମାସ୍କ୍‌ ପରିଧାନକୁ ନିଶ୍ଚିତ କରିବା ସହିତ କଣ୍ଟେନମେଣ୍ଟ୍‌ ଜୋନ୍‌ରୁ ଆସିଥିବା ଆବେଦନକାରୀଙ୍କୁ ଏହି ସୁଯୋଗ ମିଳିବ ନାହିଁ। କୋଭିଡ ସଂକ୍ରମଣର ଲକ୍ଷଣ ଥିଲେ ଡିଏଲ୍‌ ଟେଷ୍ଟ ପାଇଁ ଅନୁମତି ମିଳିବ ନାହିଁ। ‌ଏହି ୧୦ଟି ଜିଲ୍ଲାରେ ଡିଏଲ୍ ପାଇଁ ‘ବାହନ ସର୍ଭିସ’ ୧୩ ତାରିଖରୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର