ଆଡ୍‌ହକ୍‌ ଅଧ୍ୟାପକଙ୍କୁ ଚାକିରିରୁ ଅନ୍ତର ପ୍ରସଂଗ : ସରକାରଙ୍କ ନିକଟରୁ ଜବାବ ତଲବ, ହାଇକୋର୍ଟ ଜାରି କଲେ ସ୍ଥିତାବସ୍ଥା

କଟକ : ଆଡ୍‌ହକ୍ ଅଧ୍ୟାପକଙ୍କୁ କାର୍ଯ୍ୟରୁ ଅନ୍ତରକୁ ବିରୋଧ କରି ଦାୟର ମାମଲାର ଶୁଣାଣି କରି ହାଇକୋର୍ଟ ଏହି ପ୍ରସଂଗରେ ସ୍ଥିତାବସ୍ଥା ଜାରି କରିବା ସହିତ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ସଚିବ, ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଓ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ନିକଟରୁ ଜବାବ ତଲବ କରିଛନ୍ତି। ଜଷ୍ଟିସ ପ୍ରମଥ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଡକ୍ଟର ଚନ୍ଦ୍ରଶେଖର ଦାସ ଓ ଡକ୍ଟର ଇମତିହାନ୍ ଶାହାଙ୍କ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ଅନ୍ୟାଦେଶ ପର୍ଯ୍ୟନ୍ତ ଏହି ଅନ୍ତରୀଣ ଆଦେଶ ବଳବତ୍ତର ରହିବ। ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୨ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ, ରାଜ୍ୟର ବିଭିନ୍ନ ସରକାରୀ କଲେଜରେ ୨୦୧୪ରେ ଆଡ୍‌ହକ୍ ଅଧ୍ୟାପକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିଲା। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ନିୟମାବଳୀକୁ ଆଧାର କରି ଅନୁଷ୍ଠିତ ଚୟନ ପ୍ରକ୍ରିୟା ଆଧାରରେ ଏହି ଅଧ୍ୟାପକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିଲା। ଏପରି ୧୨୩ଜଣ ଅଧ୍ୟାପକ ବିଭିନ୍ନ ସରକାରୀ କଲେଜରେ ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିବା ବେଳେ ବିଭିନ୍ନ ସମୟରେ ସେମାନଙ୍କ ଚାକିରି ଅବଧି ବୃଦ୍ଧି କରାଯାଇଥିଲା। ୨୦୧୯ ଅକ୍ଟୋବର ୧୪ରେ ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ କରି ୨୦୨୦ ମେ ୩୧ରୁ ଏହି ଅଧ୍ୟାପକଙ୍କୁ କାର୍ଯ୍ୟରୁ ଅନ୍ତର କରାଯିବ ବୋଲି ସ୍ପଷ୍ଟ କରିଥିଲା। ଏହାପରେ ୨୦୨୦ ଫେବ୍ରୁଆରି ୬ରେ ଓପିଏସ୍‌ସି ପକ୍ଷରୁ ୬୦୬ ଅଧ୍ୟାପକ ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଦୀର୍ଘ ୬ ବର୍ଷ ଧରି କାର୍ଯ୍ୟ କରି ଆସୁଥିବା ଆଡ୍‌ହକ୍‌ ଅଧ୍ୟାପକମାନେ ଏପରି ନୋଟିସ୍‌ ଓ ପଦକ୍ଷେପକୁ ଚାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆବେଦନରେ ଦର୍ଶାଯାଇଥିଲା ଯେ ଚୟନ ପ୍ରକ୍ରିୟା ଦ୍ବାରା ନିଯୁକ୍ତି ପାଇ ୬ ବର୍ଷ ଧରି ଆଡ୍‌ହକ୍‌ ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିବା ବେଳେ ଆବେଦନକାରୀଙ୍କ ଚାକରି ନିୟମିତ କରାଯିବା ଉଚିତ। କିନ୍ତୁ ଚାକରି ନିୟମିତ କରାଯିବା ବଦଳରେ ସେମାନଙ୍କୁ ବେଆଇନ ଭାବେ କାର୍ଯ୍ୟରୁ ଅନ୍ତର ପାଇଁ ନୋଟିସ୍ ଦିଆଯାଇଛି ଓ ଓପିଏସସି ପକ୍ଷରୁ ଅଧ୍ୟାପକ ନିଯୁକ୍ତି ପାଇଁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଛି। ଏବେ ରାଜ୍ୟର ବିଭିନ୍ନ ସରକାରୀ କନଷ୍ଠ ଓ ଡିଗ୍ରି କଲେଜରେ ପ୍ରାୟ ୧୨୦୦ ଅଧ୍ୟାପକ ପଦ ଖାଲି ପଡିଥିବା ବେଳେ ଓପିଏସସି ପକ୍ଷରୁ ୬୦୬ ପଦବି ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏପରି ପରିସ୍ଥିତିରେ ଆବେଦନକାରୀଙ୍କ ଚାକିରି ନିୟମିତ କରାଯାଉ। ଓପିଏସ୍‌ସି ବିଜ୍ଞପ୍ତି ଏଥିରେ ବାଧକ ନ ହେଉ ଓ ଖାଲି ପଡିଥିବା ପଦବିରେ ଆବେଦନକାରୀଙ୍କୁ ନିୟମିତ ନିଯୁକ୍ତି ପ୍ରଦାନ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଏହି ମାମଲାକୁ ଆଇନଜୀବୀ ବିଦ୍ୟାଲୋକ ମହାପାତ୍ର ପରିଚାଳନା କରୁଥିବା ବେଳେ ସଂଗ୍ରାମ ଜେନା, ଅଭିଜିତ ମିଶ୍ର, ସଂଜୀବ କୁମାର ଦାସ, ସିଦ୍ଧାନ୍ତ ଜେନା ପ୍ରମୁଖ ସହାୟତା କରୁଥିଲେ।

ସମ୍ବନ୍ଧିତ ଖବର