ଫୁଲୁଛି ମହାନଦୀ, ୨୦ ଗେଟ୍‌ ଖୋଲିଲା ହୀରାକୁଦ

ଏବେ କମିବ ବର୍ଷା, ୧୧ରୁ ବଢ଼ିବ

ସମ୍ବଲପୁର : ଶନିବାରଠାରୁ ମହାନଦୀର ଉଭୟ ଉପର ଓ ତଳ ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ନଦୀର ଜଳସ୍ତର ବୃଦ୍ଧି ପାଇଛି। ସେପଟେ, ହୀରାକୁଦ ଜଳ ଭଣ୍ଡାରକୁ ମଧ୍ୟ ଜଳ ପ୍ରବେଶ ବୃଦ୍ଧି ପାଇବାରେ ଲାଗିଛି। ରବିବାର ସକାଳୁ ଜଳ ଭଣ୍ଡାରର ଜଳସ୍ତର ୬୨୫.୬୭ ଫୁଟ ରହିଥିଲା। ସେକେଣ୍ଡ ପ୍ରତି ୨ ଲକ୍ଷ ୪୫ ହଜାର ୮୨୨ କ୍ୟୁସେକ୍‌ ପାଣି ଜଳଭଣ୍ଡାରକୁ ପ୍ରବେଶ କରୁଥିଲା। ଏହି ସମୟରେ ୧୨ଟି ସ୍ଲୁଇସ୍‌ ଗେଟ ଦେଇ ଜଳ ନିଷ୍କାସନ କରାଯାଉଥିଲା। ଜଳ ପ୍ରବେଶ ବୃଦ୍ଧି ପାଇବା ପରେ ପର୍ଯ୍ୟାୟକ୍ରମେ ସକାଳ ସାଢ଼େ ୮ଟାରେ ଆଉ ୬ଟି ଗେଟ ଖୋଲିଥିବା ବେଳେ ଦିନ ୧୧ଟା ୨୦ ମିନିଟରେ ଆଉ ୨ଟି ଗେଟ୍‌ ଖୋଲାଯାଇଥିଲା। ରବିବାର ରାତତି ୯ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୨୫.୫୮ ଫୁଟ ରହିଥିଲା। ଏହି ସମୟରେ ଜଳଭଣ୍ଡାର ମଧ୍ୟକୁ ସେକେଣ୍ଡ ପ୍ରତି ୩,୨୯,୦୩୯ ଘନଫୁଟ୍ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ୩,୪୧, ୭୪୪ କ୍ୟୁସେକ୍‌ ପାଣି ନିଷ୍କାସିତ ହେଉଥିଲା। ବାମ ସ୍ପିଲ୍‌ୱେ’ର ୧୪ଟି ଓ ଡାହାଣ ପାର୍ଶ୍ବର ୬ଟି ସ୍ଲୁଇସ୍‌ ଗେଟ୍‌ ଦେଇ ୩, ୨୨,୦୨୦ କ୍ୟୁସେକ୍‌ ପାଣି ମହାନଦୀକୁ ଛଡ଼ା ଯାଉଥିଲା। ସେହିପରି ପାୱାର ଚାନେଲକୁ ୧୮,୩୭୬ କ୍ୟୁସେକ୍‌, ବିଭିନ୍ନ କେନାଲ‌ ଦେଇ ୧୧୭୮ କ୍ୟୁସେକ୍‌ ଓ ଶିଳ୍ପସଂସ୍ଥା ପାଇଁ ୧୭୦ କ୍ୟୁସେକ୍‌ ପାଣି ଛଡ଼ା ଯାଉଥିଲା। ସେହି ସମୟରେ ମହାନଦୀ ତଳ ମୁଣ୍ଡରେ ବେଲଗାଁରେ ୬୧,୯୦୦ କ୍ୟୁସେକ, ପଥର୍ଲାରେ ୨,୨୭,୭୪୩ କ୍ୟୁସେକ୍‌, ଖଇରମାଳରେ ୬,୩୦,୦୦୦ କ୍ୟୁସେକ୍‌, ବରମୂଳରେ ୬,୫୮,୦୦୦ କ୍ୟୁସେକ୍‌, ମୁଣ୍ଡଳିରେ ୬,୬୯,୦୦୦ କ୍ୟୁସେକ୍‌ ପାଣି ପ୍ରବାହିତ ହେଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ୪୮.୦୫ ମିମି ଓ ତଳ ମୁଣ୍ଡରେ ୩୩.୧୬ ମିମି ବର୍ଷା ରେକର୍ଡ ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।

ଏବେ କମିବ ବର୍ଷା, ୧୧ରୁ ବଢ଼ିବ

ଭୁବନେଶ୍ବର : ଓଡ଼ିଶା ଉପରେ ଥିବା ଲଘୁଚାପ ବଳୟ ଆଜି ମଧ୍ୟପ୍ରଦେଶମୁହାଁ ହୋଇଛି। ଯେଉଁଥିପାଇଁ ଗତ ୧୨ଘଣ୍ଟାରେ ଓଡ଼ିଶାରେ ବର୍ଷା ପରିମାଣ କମିଛି। ଅଳ୍ପ କିଛି ସ୍ଥାନରେ ବର୍ଷା ହୋଇଛି। ଆସନ୍ତା ଦୁଇଦିନ (୯ ଓ ୧୦ ତାରିଖ) ପାଗ ମୁଖ୍ୟତଃ କୋହଲା ରହିବ। ସୋମବାର ପୂର୍ବାହ୍ନ ସୁଦ୍ଧା ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ମଙ୍ଗଳବାର ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲକା ବର୍ଷା ହେବାର ସମ୍ଭାବନା ରହିଛି। ୧୧ତାରିଖ ଅପରାହ୍‌ଣଠାରୁ ପାଗରେ ପରିବର୍ତନ ଆସିବା ସହ ବର୍ଷା ବଢ଼ିବ। ୧୨ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବରଗଡ଼, ବାଲେଶ୍ବର, ଭଦ୍ରକ, କୋରାପୁଟ, ମାଲକାନଗିରି ଓ ନୂଆପଡ଼ା ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ବର୍ଷା ହୋଇଛି। ସମ୍ବଲପୁରରେ ସର୍ବାଧିକ ୧୬୬.୪ ମିମି ବର୍ଷା ହୋଇଥିବା ବେଳେ ହୀରାକୁଦରେ ୧୬୮, ଅନୁଗୁଳରେ ୭୮.୪, ତାଳଚେରରେ ୪୬, କୋରାପୁଟରେ ୩୪.୨, ଭବାନୀପାଟଣାରେ ୩୪, ସୁନ୍ଦରଗଡ଼ରେ ୩୨, ସୋନପୁରରେ ୩୧.୮ ମିମି ବର୍ଷା ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର