ହୀରାକୁଦ ଜଳସ୍ତର ପୁଣି ୬୧୦ ଡେଇଁଲା

ସମ୍ବଲପୁର : ଗତ କିଛି ଦିନର ବର୍ଷା ପରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଶୁକ୍ରବାର ପୁଣିଥରେ ୬୧୦ ଫୁଟ୍ ଅତିକ୍ରମ କରିଛି। ଗତ ବର୍ଷ ଗ୍ରୀଷ୍ଣ ଋତୁରେ ହୀରାକୁଦ ଜଳସ୍ତର ରେକର୍ଡ ସ୍ତରକୁ ଖସିଥିଲାବେଳେ ଚଳିତ ବର୍ଷ ବିଶେଷ ହ୍ରାସ ପାଇ ନଥିଲା। ଏପରିକି ଜୁନ୍‌ ୨ ତାରିଖ ପର୍ଯ୍ୟନ୍ତ ଜଳସ୍ତର ୬୧୦ ଫୁଟ୍ ଉପରେ ଥିଲା। ଏହାପରେ ଖସିଖସି ଜୁନ୍‌ ୧୫ ତାରିଖ ଦିନ ୬୦୭.୬୫ ଫୁଟ୍‌ରେ ପହଞ୍ଚିଥିଲା ଯାହା ଚଳିତ ବର୍ଷର ସର୍ବନିମ୍ନ ଜଳସ୍ତର ଥିଲା। ବର୍ଷା ପରେ ଜଳସ୍ତର ବୃଦ୍ଧି ପାଇବା ଆରମ୍ଭ ହୋଇ ୨୧ ତାରିଖ ଶୁକ୍ରବାର ସକାଳ ୮ଟା ବେଳକୁ ୬୧୦.୧୫ ଫୁଟ୍‌ରେ ପହଞ୍ଚିଛି। ସେହି ସମୟରେ ଜଳଭଣ୍ଡାର ମଧ୍ୟକୁ ହାରାହାରି ୬୯,୦୬୧ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ୧୫,୧୮୦ କ୍ୟୁସେକ୍‌ ନିଷ୍କାସିତ ହେଉଥିଲା। ଶୁକ୍ରବାର ବୁର୍ଲା ପାୱାର୍‌ ହାଉସ୍‌ରେ ହାରାହାରି ୮୭.୮୩୩ ମେଗାୱାଟ୍‌ ଓ ଚିପିଲିମା ପାୱାର୍‌ ହାଉସ୍‌ରେ ୪୨.୮୭୫ ମେଗାୱାଟ୍‌ ବିଦ୍ୟୁତ୍‌ ଉତ୍ପାଦିତ ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର