ବିବାଦ ଆଳରେ ସ୍ମୃତିରକ୍ଷାକୁ ଅଣଦେଖା : ଜ୍ଞାନମଣ୍ଡଳ କଥା ଭୁଲିଗଲେ

ଭୁବନେଶ୍ବର : ଯେଉଁ ଭାଷାରେ ବିଶ୍ବ‌କୋଷ ନାହିଁ, ସେ ଭାଷା ବିଶ୍ବର ଉନ୍ନତ ଭାଷା ଦରବାରରେ ସ୍ଥାନ ପାଏ ନାହିଁ ବୋଲି କୁହାଯାଏ। ଓଡ଼ିଆରେ ଏହି ଭାଷାକୋଷର ଅଭାବ ଦୂର ପାଇଁ ଜ୍ଞାନତପସ୍ବୀ ବିନୋଦ କାନୁନ‌ଗୋ ଓଡ଼ିଆ ବିଶ୍ବକୋଷ ‘ଜ୍ଞାନମଣ୍ଡଳ’ ସୃଷ୍ଟି କରିଥିଲେ। ମାତ୍ର ଜ୍ଞାନ ବାଣ୍ଟୁଥିବା ଏହି ଜ୍ଞାନମଣ୍ଡଳ ଏବେ ଅବହେଳିତ। ବିବାଦର ଆଳ ଦେଖାଇ ସଂପ୍ରତି ଜ୍ଞାନମଣ୍ଡଳକୁ ଅଣଦେଖା କରି ଚାଲିଛନ୍ତି ସରକାର। ଏହି ବିଶ୍ବକୋଷର ପରିବର୍ଧିତ ସଂସ୍କରଣ କରିବାକୁ ଯୋଜନା କଲେ। ହେଲେ ଅଧାପନ୍ତରିଆ କରି ଛାଡ଼ିଦେଲେ। ବିନୋଦ କାନୁନଗୋ ସଂଗ୍ରହାଳୟ ପ୍ରତିଷ୍ଠା କରିବେ ବୋଲି ଘୋଷଣା କଲେ। ହେଲେ ସେ କଥା ଭୁଲିଗଲେ। ସ୍ଥିତି ଏମିତି ଯେ ଦୀର୍ଘବର୍ଷ କାଳ ପଡ଼ି ରହିବା ପରେ ଏଥିପାଇଁ ମହଜୁଦ ଥିବା ଟଙ୍କା ଫେରିଯିବାକୁ ବସିଲାଣି।

୨୦୧୨ ମସିହାରେ ବିନୋଦ କାନୁନଗୋଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜ୍ଞାନମଣ୍ଡଳର ନୂତନ ସଂସ୍କରଣ ପ୍ରକାଶ କରାଯିବ ବୋଲି କହିଥିଲେ। ଏନେଇ ଜ୍ଞାନମଣ୍ଡଳ ପ୍ରତିଷ୍ଠାନ ପାଇଁ ଆର୍ଥିକ ଅନୁଦାନର ବ୍ୟବସ୍ଥା କରିଥିଲେ। ବିନୋଦ କାନୁନଗୋଙ୍କ ସ୍ମୃତି ରକ୍ଷା ପାଇଁ ଏହି ନିଷ୍ପତ୍ତି ନିଆଗଲା। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନକ୍ରମେ ସଂସ୍କୃତି ବିଭାଗର ବଜେଟ୍‌ରେ ଏଥିପାଇଁ ୨ କୋଟି ଟଙ୍କାର ବ୍ୟୟ ବରାଦ କରାଗଲା। କିନ୍ତୁ ଏମିତି ଚକ୍ରାନ୍ତ ହେଲା ଯେ ନିର୍ଧାରିତ ଅର୍ଥ ଜ୍ଞାନମଣ୍ଡଳ ପ୍ରତିଷ୍ଠାନକୁ ଦିଆନଯାଇ ଓଡ଼ିଶା ସାହିତ୍ୟ ଏକାଡେମି ପାଣ୍ଠିରେ ଗଚ୍ଛିତ ରହିଲା। ଟଙ୍କା କିପରି ଦିଆଯିବ ଏ ବିଷୟରେ ନିୟମ ସ୍ଥିର କରିବାକୁ ୩ ବର୍ଷ ଲାଗିଗଲା। ପରେ କାମ ଆରମ୍ଭ ହେଲା। ପ୍ରତିଷ୍ଠାନ ପକ୍ଷରୁ ୫୦ ଖଣ୍ଡ ମଧ୍ୟରୁ ୧୦ ଖଣ୍ଡ ପରିବର୍ଧିତ ସଂସ୍କରଣ ପ୍ରକାଶ ପାଇଲା। ମାତ୍ର ସାହିତ୍ୟ ଏକାଡେମି ଜ୍ଞାନମଣ୍ଡଳ ପ୍ରତିଷ୍ଠାନକୁ ମାତ୍ର ୪ ଖଣ୍ଡ ପ୍ରକାଶନର ଅର୍ଥ ଦେଲା।
ଏନେଇ ଜ୍ଞାନମଣ୍ଡଳ ପ୍ରତିଷ୍ଠାନର ସମ୍ପାଦକ ପାବକ କାନୁନଗୋ କହିଛନ୍ତି, ବିନୋଦ କାନୁନଗୋଙ୍କ ଅନ୍ୟ ଦୁଇ ପୁତ୍ର ଜ୍ଞାନମଣ୍ଡଳର ଅଧିକାର ସମ୍ପର୍କରେ ସଂସ୍କୃତି ବିଭାଗ ନିକଟରେ ଆପତ୍ତି ଉଠାଇଲେ। ଏ ସମ୍ପର୍କରେ ଅଦାଲତ ଯିବାକୁ ଦୁହିଁଙ୍କୁ ୩ ମାସ ସମୟ ଦିଆଗଲା। ତେବେ ୪ ବର୍ଷ ବିତିଯାଇଥିଲେ ସୁଦ୍ଧା ସେମାନେ ଅଦାଲତର ଦ୍ବାରସ୍ଥ ହେଇନାହାନ୍ତି। କିନ୍ତୁ ବିବାଦ ଆଳ ଦେଖାଇ ସଂସ୍କୃତି ବିଭାଗ ପରିବର୍ଧିତ ସଂସ୍କରଣ ପାଇଁ ଏ ପର୍ଯ୍ୟନ୍ତ ଅର୍ଥ ଦେଲା ନାହିଁ। ଏଣେ ଚଳିତ ବର୍ଷ ସଂସ୍କୃତି ମନ୍ତ୍ରୀ ବିଧାନସଭାକୁ ଜଣାଇଥିଲେ ଯେ ପାରିବାରିକ ବିବାଦ ଯୋଗୁଁ ଅର୍ଥ ପ୍ରଦାନ କରାଯାଉ ନାହିଁ। ପାବକ କାନୁନଗୋ କହିଛନ୍ତି, ଏବେ କୌଣସି ବିବାଦ ନଥିଲେ ମଧ୍ୟ ପୂର୍ବ କଥାକୁ ଆଳ କରି ଓଡ଼ିଆ ଭାଷାର ଏହି ଅମୂଲ୍ୟ ପ୍ରକାଶନକୁ ବନ୍ଦ ରଖାଯାଇଛି। ଏନେଇ ବାରମ୍ବାର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ଚାହିଥିଲେ ବି ଏହା ସମ୍ଭବ ହୋଇନାହିଁ। ସେ କହିଛନ୍ତି, ଆମେ ଏବେ ବି ୩୦ ଖଣ୍ଡ ପରିବର୍ଧିତ ସଂସ୍କରଣ ପାଇଁ ପ୍ରସ୍ତୁତ ଅଛୁ। ୨୦୧୪ ମସିହାରେ ଅର୍ଥ ବିଭାଗ ଜ୍ଞାନମଣ୍ଡଳ ପ୍ରତିଷ୍ଠାନକୁ ବଜେଟରେ ଥିବା ଅର୍ଥ ଦେବାକୁ ନିର୍ଦେଶ ଦେଇଥିଲା। ଏହା ପରେ ମଧ୍ୟ କାହିଁକି ଏହାକୁ ଝୁଲାଇ ରଖାଯାଇଛି ବୋଲି ସେ ପ୍ରଶ୍ନ କରିଛନ୍ତି।

କେବଳ ସେତିକି ନୁହେଁ, ୨୦୧୩ ମସିହା ଜାନୁଆରି ୧୪ ତାରିଖରେ ତତ୍କାଳୀନ ସଂସ୍କୃତି ମନ୍ତ୍ରୀ ମହେଶ୍ବର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଭୁବନେଶ୍ବରରେ ‘ବିନୋଦ କାନୁନଗୋ ଜ୍ଞାନ ସଂଗ୍ରହାଳୟ’ ପ୍ରତିଷ୍ଠା କରାଯିବ ବୋଲି ସ୍ଥିର ହେଲା। ଏହାର ନିର୍ମାଣ କାର୍ଯ୍ୟ ଇଡ୍‌କୋକୁ ଦିଆଯିବ ବୋଲି କୁହାଗଲା। ମାନବ ଜ୍ଞାନର ସବୁ ଗୁରୁତ୍ବପୂର୍ଣ୍ଣ ବିଭାଗକୁ ପ୍ରତିଫଳିତ କରୁଥିବା ତଥ୍ୟ ରାଶିକୁ ସଂରକ୍ଷଣ କରାଯାଇ ପ୍ରଦର୍ଶିତ କରାଯିବ ବୋଲି ସ୍ଥିର ହୋଇଥିଲା। ୮ ବର୍ଷ ଧରି ଓଡ଼ିଶା ସାହିତ୍ୟ ଏକାଡେମି ନିକଟରେ ଏ ବାବଦ ଅର୍ଥ ୧ କୋଟି ଟଙ୍କା ପଡ଼ି ରହିଛି। ହେଲେ ଏହାର ବିନିଯୋଗ ହେଉନାହିଁ। ଏହି ଅର୍ଥ ଜ୍ଞାନମଣ୍ଡଳ ପ୍ରତିଷ୍ଠାନକୁ ତୁରନ୍ତ ପ୍ରଦାନ କରିବାକୁ ଅର୍ଥ ବିଭାଗ ଦୁଇଥର ନିର୍ଦେଶ ଜାରି କରିଥିଲେ ମଧ୍ୟ ସଂସ୍କୃତି ବିଭାଗ କୌଣସି ପଦକ୍ଷେପ ନେଉନାହିଁ। ଫଳରେ ଏହି ଜ୍ଞାନ ତପସ୍ବୀଙ୍କ ସ୍ମୃତି ଅବ‌ହେଳିତ ହୋଇପଡ଼ିଛି ବୋଲି ଶ୍ରୀ କାନୁନଗୋ କହିଛନ୍ତି।

ସମ୍ବନ୍ଧିତ ଖବର