ଓଡ଼ିଆ ସାହିତ୍ୟ ବିରୋଧରେ ଷଡ଼୍‌ଯନ୍ତ୍ର-୩ : ସେଦିନ ସଞ୍ଜୟ କରିଥିବା ପ୍ରଶ୍ନର ଉତ୍ତର ଦେବ କିଏ?

୧୯୯୨ରେ କ୍ରାନ୍ତିଧାରା ସଂପାଦକ ଭାବେ ଉଠାଇଥିଲେ ପ୍ରସଙ୍ଗ
ଏବେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଭାବେ ଉତ୍ତରଦାୟିତ୍ବ ବି ତାଙ୍କର

ଭୁବନେଶ୍ବର : ଓଡ଼ିଆ ସାହିତ୍ୟ ବିରୋଧରେ ଚାଲିଥିବା ଷଡ଼ଯନ୍ତ୍ର ନେଇ ଦିନକୁ ଦିନ ରୋଚକ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ସାହିତ୍ୟ କ୍ଷେତ୍ରରେ ରାଜ୍ୟ ସରକାରଙ୍କର ପ୍ରମୁଖ ଅନୁଷ୍ଠାନ ସାହିତ୍ୟ ଏକାଡେମିର ପରିଚାଳନା ଓ କାର୍ଯ୍ୟ ପ୍ରଶଂସା ଗୋଟାଇବା ଯେମିତି ମୁସ୍କିଲ ହୋଇପଡ଼ିଛି। ଏଇ ଯେମିତି ଓଡ଼ିଶା ସାହିତ୍ୟ ଏକାଡେମି ସଭାପତି ପଦ ପାଇଁ ପ୍ରତିଭା ରାୟ, ପ୍ରଫୁଲ୍ଲ ମହାନ୍ତି, ଅଲେଖ ପଢ଼ିଆରୀ ଓ ହୃଷିକେଶ ମଲ୍ଲିକଙ୍କ ନାମ ସରକାରଙ୍କୁ ସୁପାରିସ କରାଯାଇଥିଲା। ହେଲେ ଏସବୁ ନାମ ଉପରେ ସେହି ସାହିତ୍ୟ ଶିବିରରୁ ଭିନ୍ନ ଚର୍ଚ୍ଚା ଆରମ୍ଭ ହେଲାଣି। ତେବେ ସେ ଯାହା ହେଉ, ସଭାପତି ଚୟନ ପ୍ରକ୍ରିୟାର ସ୍ବଚ୍ଛତା ଉପରେ ଯେଭଳି ପ୍ରଶ୍ନ ଉଠୁଛି, କାର୍ଯ୍ୟକାରୀ ପରିଷଦର ବିଭିନ୍ନ କ୍ଷେତ୍ରରେ ଭୂମିକା ବି ସେମିତି ବିବାଦ ମୁକ୍ତ ନୁହେଁ। ଏକାଡେମି ପୁରସ୍କାର ଦେବା ପାଇଁ ଗତ ଦୁଇବର୍ଷ ଧରି ପରିଷଦ ଯେଉଁ ଭେଳିକି ଲଗାଇଛି, ତାହା ବି କିଛି ସାହିତ୍ୟିକଙ୍କୁ ଆନ୍ଦୋଳିତ କଲାଣି।

ଓଡ଼ିଆ ସାହିତ୍ୟ ବିରୋଧରେ ଚାଲିଥିବା ଏସବୁକୁ ନେଇ ଆଲୋଚନା ବଢୁଥିବା ବେଳେ ଆଲୋଡ଼ନ ସୃଷ୍ଟି କଲାଭଳି ଏକ ତଥ୍ୟ ‘ସମ୍ବାଦ’ ହାତରେ ଲାଗିଛି। ଆଉ କେହି ନୁହେଁ, ଏକଦା ‘କ୍ରାନ୍ତିଧାରା’ ପତ୍ରିକାର ସଂପାଦକ ଥିବାବେଳେ ସଂଜୟ ଦାସବର୍ମା ‘ଓଡ଼ିଶା ସାହିତ୍ୟ ଏକାଡେମିକୁ ଭାଙ୍ଗିଦେଲେ ରାଜ୍ୟର କିଛି କ୍ଷତି ହେବନାହିଁ’ ବୋଲି ୧୯୯୨ ମସିହା ପୂଜା ସଂଖ୍ୟାର ସଂପାଦକଙ୍କ ପୃଷ୍ଠାରେ ଲେଖିଥିଲେ। ଶ୍ରୀ ଦାସବର୍ମା ଜଣେ ସାହିତ୍ୟିକ ଭାବେ ଯେଉଁ ଅସନ୍ତୋଷ ଜଣାଇଥିଲେ, ତାହା ଆଜି ବି ଅନେକ ଗୁରୁତ୍ବ ବହନ କରେ। ଶ୍ରୀ ଦାସବର୍ମା ସେଦିନ ସିଧା ସିଧା କହିବାକୁ ଚାହିଁଥିଲେ ଯେ ଏକାଡେମିର ପୁନର୍ବିନ୍ୟାସ ହେଉ ବା ଏହାର ମୂଳପୋଛ କରାଯାଉ। ଏହା କମ୍ ବଡ଼ କଥା ନୁହେଁ। ଏହି କଥା ଆଜି ଅଧିକ ପ୍ରାସଙ୍ଗିକ ହୋଇପଡିଛି ଏଇଥିପାଇଁ, କାରଣ ଶ୍ରୀ ଦାସବର୍ମା ଏବେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଭାବେ ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ସହିତ ବା ଭବିଷ୍ୟତ ଯୋଜନା ପାଇଁ ବି ଉତ୍ତରଦାୟୀ। ଆଜି ଏହି ପଦରେ ବସି ସେ ନିଜେ ଲେଖିଥିବା ସଂପାଦକୀୟର ଉତ୍ତର କାଢ଼ିବା ଦରକାର ବୋଲି ରାଜ୍ୟବାସୀ ଆଶା କରିବାରେ ଅସ୍ବାଭାବିକତା କିଛି ନାହିଁ।

ଏ କଥାଟିର ଆହୁରି ଗମ୍ଭୀରତା ବଢ଼ିଯାଇଛି। ଇତିମଧ୍ୟରେ ଶ୍ରୀ ଦାସବର୍ମା ଦୁଇ ଦୁଇ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ଓ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି। ହେଲେ ନବେ ଦଶକରେ ସାହିତ୍ୟ ଏକାଡେମିକୁ ନେଇ ତାଙ୍କର ଅସନ୍ତୋଷ କେବେ ପ୍ରଭାବୀ ଢଙ୍ଗରେ ବିଧାନସଭାର ରେକର୍ଡ ହୋଇପାରିନାହିଁ ବା ସେ ସରକାରଙ୍କୁ ଏ ଦିଗରେ ଏଯାଏ ପ୍ରଭାବିତ କରିପାରିନାହାନ୍ତି। ଯଦିଓ ସେ କେବେ ସଂସ୍କୃତି ମନ୍ତ୍ରୀ ନଥିଲେ, ତଥାପି ରାଜ୍ୟର ଜଣେ ଅତ୍ୟନ୍ତ ଦକ୍ଷ ଓ ପ୍ରଭାବଶାଳୀ ନେତା ଭାବେ ଏକା଼ଡେମିରେ ବଡ଼ ପରିବର୍ତନ କରିବାକୁ ସେ ଉଦ୍ୟମ କରିପାରିଥାନ୍ତେ। ଏବେ କିନ୍ତୁ ତାଙ୍କ ପାଖରେ ଅସଲ ସୁଯୋଗ ରହିଛି, ଯାହା ସେ ପୂରଣ କରିପାରିବେ ବୋଲି ସାହିତ୍ୟିକମାନେ ଆଶା କରୁଛନ୍ତି।

ଏମିତିରେ ବି ସଂଜୟଙ୍କୁ ଛାଡ଼ି ସାହିତ୍ୟରେ ରୁଚି ରଖୁଥିବା ନେତାଙ୍କ ସଂଖ୍ୟା ବିଧାନସଭାରେ ବା ସରକାରୀ ଦଳରେ କିଛି କମ୍ ନାହିଁ। ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କର ମଧ୍ୟ ସାହିତ୍ୟରେ ରୁଚି ରହିଛି। ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେହେତୁ କିଛି ଦିନ ପାଇଁ ଏକାଡେମି ସଭାପତି ପଦରେ ରହିଛନ୍ତି, ଅନ୍ତତଃ ତାଙ୍କ ସାମ୍ନାକୁ ଏହାର ନବକଳେବର ପାଇଁ ପ୍ରସ୍ତାବ ଅଣାଗଲେ, ତାହା ଅଗ୍ରାହ୍ୟ ହେବାର ସମ୍ଭାବନା କମ୍।

ଉଲ୍ଲେଖଯୋଗ୍ୟ ଯେ ଶ୍ରୀ ଦାସବର୍ମା ସେଦିନ ସଂପାଦକୀୟ ପୃଷ୍ଠାରେ ବିଶିଷ୍ଟ ସାହିତ୍ୟିକ ସ୍ବର୍ଗତ ସୁରେନ୍ଦ୍ର ମହାନ୍ତିଙ୍କ ଠାରୁ ଆରମ୍ଭ କରି ପ୍ରାବନ୍ଧିକ ତଥା ଚିନ୍ତାନାୟକ ଶରତ ମହାନ୍ତି, ଗାଳ୍ପିକ ହୃଷୀକେଶ ପଣ୍ଡା ପ୍ରମୁଖଙ୍କ ମନ୍ତବ୍ୟକୁ ଉଦ୍ଧାର କରିବା ପରେ ନିଜର ଅତ୍ୟନ୍ତ କଠୋର ଆଭିମୁଖ୍ୟ ରଖିଥିଲେ। ସେ କହିଥିଲେ, ‘’ ସାହିତ୍ୟ ଏକାଡେମି କହିଲେ ମୁଁ ଏହା ସହିତ ସଂପୃକ୍ତ ବ୍ୟକ୍ତିବିଶେଷଙ୍କୁ ଭାବୁନି। ବରଂ ଦୃଢ଼ ଭାବରେ କହିବି ଯେ ବର୍ତ୍ତମାନ ଓ ଅତୀତରେ ଥିବା ସମସ୍ତ କର୍ମକର୍ତ୍ତା କିଛି ନ କରିପାରିଥିଲେ ମଧ୍ୟ ଏହାର ମାନ୍ୟତା ବଢେଇଛନ୍ତି ପ୍ରସିଦ୍ଧି ଓ ଯୋଗ୍ୟତା ମାଧ୍ୟମରେ। ମୋର ଆକ୍ରମଣ ଗୋଟିଏ ଢାଞ୍ଚା ବିରୋଧରେ, ସିଷ୍ଟମ୍ ବିରୋଧରେ। ଏକାଡେମି କାହିଁକି? ଯଦି ଆପଣ କହିବେ ଏଇଥି ପାଇଁ, ଏହାର ଉଦ୍ଦେଶ୍ୟ ମହତ୍ ଅଟେ, ତେବେ ଏହାର ପରିଚାଳନା ପଦ୍ଧତି ଓ କାର୍ଯ୍ୟ କରିବାର ଢଙ୍ଗ ଏମିତି କାହିଁକି? ଏହା କେତେ ଦୂର ସ୍ବାଧୀନ, କେତେଦୂର ସାହିତ୍ୟ ସେବା ପାଇଁ ଉତ୍ସର୍ଗୀକୃତ ଓ କେତେ ଦୂର ସରକାରୀ ନିୟନ୍ତ୍ରଣରୁ ମୁକ୍ତ, କେତେଦୂର ଉଦ୍ଦେଶ୍ୟ ପୂରଣ ପାଇଁ ସମର୍ଥ, ଆର୍ଥିକ ଓ ନୈତିକ ଦୃଷ୍ଟିରୁ। ଏହା ସରକାର ନାମକ ଆଧୁନିକ ଜଟିଳ କ୍ରିୟାର ଏକ ବିଷାକ୍ତ ଉପକ୍ରିୟା। ସରକାର ସାହିତ୍ୟ ଓ ସଂସ୍କୃତିକୁ ନିଜ ଅକ୍ତିଆରରେ ରଖି ଏହାକୁ ନିଜର ଖିଆଲ ମୁତାବକ ବ୍ୟବହାର କରିବାର ଚକ୍ରାନ୍ତରେ ବ୍ୟସ୍ତ। ସୃଜନଶୀଳ ସାହିତ୍ୟକୁ ପ୍ରୋତ୍ସାହନ ବାହାନାରେ ଏପରି ଏକ ଶକ୍ତିହୀନ, ଅର୍ଥହୀନ, ଭାବଶୂନ୍ୟ ବିକଳାଙ୍ଗ ଅନୁଷ୍ଠାନଟିଏ ଗଢ଼ିବାର ଆବଶ୍ୟକତା କେଉଁଠି?…’’ ଏମିତି ପ୍ରାୟ ତିନି ପୃଷ୍ଠାର ଲମ୍ବା ସଂପାଦକୀୟର ପ୍ରତିଟି ଧାଡି ଆଜି ବି ଉତ୍ତର ମାଗୁଛି। ସେଦିନ ଶ୍ରୀ ଦାସବର୍ମା ନିଜେ ଲେଖିଥିବା ସଂପାଦକୀୟର ଉତ୍ତର ନିଜେ ଲେଖିବେ ନା ନାହିଁ?

ସମ୍ବନ୍ଧିତ ଖବର