ହୀରାକୁଦ ପାଣି ପରିଚାଳନା ନେଇ ପ୍ରଶ୍ନବାଚୀ, ହୋଇପାରିଥାନ୍ତା ଅଧିକ ଲକ୍ଷେ ମେଗାୱାଟ୍‌ ବିଦ୍ୟୁତ ଉତ୍ପାଦନ

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାର ପାଣି ଠିକ୍‌ ଭାବରେ ପରିଚାଳନା ଓ ବିନିଯୋଗ କରାଯାଉନାହିଁ। ଏଭଳି ଗୁରୁତର ଅଭିଯୋଗ ପୁଣିଥରେ ଉଠିଛି। ପୂର୍ବରୁ ଜଳଭଣ୍ଡାର ପାଣି ପରିଚାଳନରେ ତ୍ରୁଟି ଯୋଗୁ ‘ମନୁଷ୍ୟକୃତ ବନ୍ୟା’ ହୋଇ ଧନଜୀବନ କ୍ଷତି ହେବାର ଅନେକ ଦୃଷ୍ଟାନ୍ତ ରହିଛି। ଏବେ ପୁଣି ପାଣି ପରିଚାଳନା ଓ ବିନିଯୋଗ ଅଭାବରୁ ମୌସୁମୀର ପ୍ରଥମ ବର୍ଷାରୁ ହିଁ ଜଳଭଣ୍ଡାର ଗେଟ୍‌ ଖୋଲିବାକୁ କର୍ତ୍ତୃପକ୍ଷ ବାଧ୍ୟ ହେଉଛନ୍ତି ବୋଲି ଅଭିଯୋଗ ହୋଇଛି। ଏଥିଯୋଗୁଁ ପାଣିର ଅପଚୟ, ଉପକୂଳରେ ଅଯଥା ଆତଙ୍କ ଓ ସରକାରଙ୍କ ରାଜସ୍ବ କ୍ଷତି ମଧ୍ୟ ହେଉଥିବା ବିଶେଷଜ୍ଞମାନେ କହୁଛନ୍ତି।

ଗତବର୍ଷ ଭଲ ବର୍ଷା ଯୋଗୁଁ ଚଳିତ ବର୍ଷ ଜଳଭଣ୍ଡାରରେ ଜଳପତ୍ତନ ବେଶ୍‌ ଭଲ ଥିଲା। ମାତ୍ର ଏହାକୁ ଠିକ୍‌ ଭାବେ ବିନିଯୋଗ କରାଗଲା ନାହିଁ ବୋଲି କହିଛନ୍ତି ହୀରାକୁଦ ଡ୍ୟାମ୍‌ର ପୂର୍ବତନ ଅଧୀକ୍ଷଣ ଯନ୍ତ୍ରୀ ତଥା ଜଳସମ୍ପଦ ବିଭାଗ (ଯୋଜନା ଓ ପରିକଳ୍ପନା)ର ଅବସରପ୍ରାପ୍ତ ସର୍ବୋଚ ଯନ୍ତ୍ରୀ ରବୀନ୍ଦ୍ର ପଣ୍ଡା। ଶ୍ରୀ ପଣ୍ଡା ସର୍ବାଧିକ ସମୟ ବନ୍ଧ ଯନ୍ତ୍ରୀ ଭାବେ ରହିଥିଲେ। ତାଙ୍କ ଅନୁସାରେ ଚଳିତ ବର୍ଷ ଜଳ ପରିଚାଳନା ଠିକ୍‌ ଭାବେ ହୋଇଥିଲେ ଏଠାରୁ ପ୍ରାୟ ୧୦୦ ନିୟୁତ ୟୁନିଟ (ଲକ୍ଷେ ମେଗାୱାଟ୍‌) ଅଧିକ ବିଜୁଳି ଉତ୍ପାଦନ ହୋଇ ପାରିଥାନ୍ତା। ଏତେ ଶୀଘ୍ର ଗେଟ୍‌ ଖୋଲି ପାଣି ନିଷ୍କାସନ କରିବାକୁ ପଡ଼ିନଥାନ୍ତା। କାରଣ ଏବେ ନିଷ୍କାସନ ହେବାକୁ ଯାଉଥିବା ପାଣି ବନ୍ୟା ଜଳ ନୁହେଁ ବରଂ ଏତେ ଦିନ ଧରି ଜଳଭଣ୍ଡାରରେ ଗଚ୍ଛିତ ରଖାଯାଇଥିବା ଜଳ ବୋଲି ସେ କହିଛନ୍ତି। ଅଧିକ ବିଦ୍ୟୁତ ଶକ୍ତି ଉତ୍ପାଦନ ହୋଇଥିଲେ ରାଜ୍ୟ ସରକାର ଅଧିକ ରାଜସ୍ବ ପାଇପାରିଥାନ୍ତେ। ଅନ୍ୟ ବିଦ୍ୟୁତ ଶକ୍ତି ଅପେକ୍ଷା ଜଳବିଦ୍ୟୁତ ବେଶ୍‌ ଶସ୍ତା ଓ ଏଠାରେ ଏହି ବିଦ୍ୟୁତ ଶକ୍ତି ଉତ୍ପାଦନର ସମସ୍ତ କ୍ଷମତା ରହିଛି। ତଥାପି ଏଥିରେ ଅବହେଳା କରାଯାଉଛି। ଓଏଚ୍‌ପିସିରୁ ବିଜୁଳି ଉତ୍ପାଦନକୁ ଗୁରୁତ୍ବ ଦେଲେ ରାଜ୍ୟ କମ୍‌ ଖର୍ଚରେ ଅଧିକ ବିଜୁଳି ପାଇପାରିବ ବୋଲି ଶ୍ରୀ ପଣ୍ଡା ମତ ‌ଦେଇଛନ୍ତି। ଜଳଭଣ୍ଡାରର ଜଳ ପରିଚାଳନା ପାଇଁ ସମନ୍ବୟ କମିଟିର ଅନୁମୋଦିତ ସାରଣୀ ରହିଛି। ଏହି ସାରଣୀ ଅନୁସାରେ ଏପ୍ରିଲ ମାସରେ ହୀରାକୁଦ ଜଳଭଣ୍ଡାରରେ ୬୧୨ ଫୁଟ ପର୍ଯ୍ୟନ୍ତ ପାଣି ରଖାଯିବା କଥା। ମାତ୍ର ଚଳିତ ବର୍ଷ ଏପ୍ରିଲରେ ଏଠାରେ ୧୦ ଫୁଟ ଅଧିକ ପାଣି ରହିଥିଲା। ଡ୍ୟାମ୍‌ ତଳେ ମହାନଦୀ ଶୁଖିଲା ପଡ଼ିଥିଲା। ସେ ସଂପର୍କରେ ଏପ୍ରିଲ ମାସରେ ‘ସମ୍ବାଦ’ରେ ଏକ ବିସ୍ତୃତ ଖବର ମଧ୍ୟ ପ୍ରକାଶ ପାଇଥିଲା। ସରକାର ଚାହିଥିଲେ ସେତେବେଳେ ଏଠାରେ ଅଧିକ ମେଗାଓ୍ବାଟ ବିଜୁଳି ଉତ୍ପାଦନ କରିପାରିଥାନ୍ତେ। ମାତ୍ର ଏହା ହେଲା ନାହିଁ। ଜୁନ ୧୪ ତାରିଖରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ପାଖାପାଖି ୫୯୮ ଫୁଟ ରହିବା କଥା। ହେଲେ ଚଳିତ ବର୍ଷ ଏହା ପାଖାପାଖି ୬୦୮ ଫୁଟ ରହିଥିଲା। ଅଣବର୍ଷାଋତୁରେ ଜଳଭଣ୍ଡାରର ପାଣି ବ୍ୟବହାର ନେଇ ଓ୍ବାର୍କିଂ ଟେବୁଲ ରହିଛି। ଏହା କାର୍ଯ୍ୟକାରୀ କରିବା ପାଇଁ ଜଳଭଣ୍ଡାର ଏବଂ ଓଏଚ୍‌ପିସି ମଧ୍ୟରେ ସମନ୍ବୟର ଆବଶ୍ୟକତା ରହିଛି। ଓ୍ବାର୍କିଂ ଟେବୁଲ ଅନୁସାରେ କାର୍ଯ୍ୟ କରାଯାଉଥିଲେ ବିଜୁଳି ଉତ୍ପାଦନ ସହିତ ମହାନଦୀରେ ମଧ୍ୟ ପାଣି ଥାଆନ୍ତା। କିନ୍ତୁ ଏପ୍ରିଲ ମାସରେ ଯେଉଁଭଳି ମହାନଦୀ ଶୁଖିଲା ପଡ଼ିଥିଲା ଏଥିରୁ ଉଭୟ ବିଭାଗ ମଧ୍ୟରେ ସମନ୍ବୟର ଅଭାବ ରହିଥିବା ଜଣାପଡ଼ୁଥିଲା ବୋଲି କହିଛନ୍ତି ଶ୍ରୀ ପଣ୍ଡା।

ଗତ କିଛି ବର୍ଷ ହେଲାଣି ହୀରାକୁଦ ଜଳଭଣ୍ଡାରରେ ବିଦ୍ୟୁତ ଉତ୍ପାଦନ ଠିକ ଭାବରେ ହେଉନାହିଁ। ସମସ୍ତ ସୁଯୋଗ, ସାଧନ ଓ କ୍ଷମତା ଥିବା ସତ୍ତ୍ବେ ବିଦ୍ୟୁତ ଉତ୍ପାଦନ ହ୍ରାସ ପାଉଛି ବୋଲି ଆଉ କିଛି ବିଶେଷଜ୍ଞ ମଧ୍ୟ କହିଛନ୍ତି। ଅଣମୌସୁମୀ ସମୟରେ ବିଜୁଳି ଉତ୍ପାଦନ ନହେବା ଏହାର କାରଣ ବୋଲି ସେମାନେ ମତ ଦେଉଛନ୍ତି। ସରକାର ଜାଣିଶୁଣି ଓଏଚ୍‌ପିସିକୁ ଦୁର୍ବଳ କରିବା ପାଇଁ ଅଣମୌସୁମୀ ସମୟରେ ବିଜୁଳି ଉତ୍ପାଦନ ହ୍ରାସ କରୁଥିବା ଆଉ ଜଣେ ଗବେଷକ ବିମଳ ପାଣ୍ଡିଆ କହିଛନ୍ତି। ଜାଣିଶୁଣି କାହିଁକି ଜଳବିଦ୍ୟୁତ ଉତ୍ପାଦନ ବ୍ୟବସ୍ଥାକୁ ଦୁର୍ବଳ କରାଯାଉଛି ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଏ ନେଇ ଓଏଚ୍‌ପିସି ପକ୍ଷରୁ କୁହାଯାଇଛି, ଗତ ନଭେମ୍ବର ମାସରେ ଲକ୍ଷ୍ୟ ଅନୁସାରେ ବିଜୁଳି ଉତ୍ପାଦନ ହୋଇଛି।

ସମ୍ବନ୍ଧିତ ଖବର