କଳାହୀରା ଉପତ୍ୟକାରେ ରକ୍ତର ହୋଲି, ଗୋଟେ ପରେ ଗୋଟିଏ ମୁଣ୍ଡ ଗଡୁଛି

ଝାରସୁଗୁଡ଼ା/ବ୍ରଜରାଜନଗର : କଳାହୀରାର ଉତ୍ତୋଳନ, ଶ୍ରମିକ ନିୟୋଜନ, ବାହାରୁ ଆସୁଥିବା କଂପାନିକୁ ସୁରକ୍ଷା ଦେବା, କାମ କରିବା ଉଦ୍ଦେଶ୍ୟରେ ଟେଣ୍ଡର ହାତେଇବା ସହିତ ପରିବହନ ଭଳି ବିଭିନ୍ନ କାମ ସହିତ ରାଜନୈତିକ ଲିଙ୍କ ରହି ଆସିଛି। ଏଥିରେ ଥିବା ସ୍ବାର୍ଥରେ ହାନି ହେଲେ ହତ୍ୟା ଭଳି ଏକ ଜଘନ୍ୟ ଅପରାଧ ସଂଗଠିତ ହୋଇଥାଏ। ଫଳରେ ବିଭିନ୍ନ ସମୟରେ ଏହି ଅଞ୍ଚଳରେ ଅଦିନିଆ ରକ୍ତର ହୋଲି ଖେଳା ଯାଉଥିବା ଦୃଷ୍ଟାନ୍ତ ଦେଖିବାକୁ ମିଳେ। ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡ଼ିବା ସାର ହୋଇଛି।

ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ହତ୍ୟା କରିଥିବା ଗୋପାଳ ଦାସ ଜଣେ କୋଇଲା ଠିକାଦାରଙ୍କ ଗାଡ଼ି ଚଢ଼ୁଥିବା ଜଣାପଡ଼ିବା ପରେ ପୁଣି ଥରେ କୋଇଲା ଜନିତ ହତ୍ୟାକାଣ୍ଡ ଘଟଣାଗୁଡ଼ିକ ଚର୍ଚ୍ଚାକୁ ଆସିଛି। ୧୯୯୯ରୁ ୨୦୨୩ ପର୍ଯ୍ୟନ୍ତ ସବୁ ପ୍ରମୁଖ ହତ୍ୟାକାଣ୍ଡ ଘଟଣା ଏବେ ବିଭିନ୍ନ ମହଲରେ ଆଲୋଚନା ହେଉଛି। ୧୯୯୯ ମସିହା ଏପ୍ରିଲ ୮ ତାରିଖରେ ସେ ସମୟର ଯୁବ କଂଗ୍ରେସ ସଭାପତି ବୁଲୁ ଦାସଙ୍କ ହତ୍ୟାକାଣ୍ଡ ସାରା ରାଜ୍ୟକୁ ଦୋହଲାଇ ଦେଇଥିଲା। ଟେଣ୍ଡର ପକାଇବାକୁ ବିରୋଧ କରି ବୁଲୁ ଦାସଙ୍କୁ ହତ୍ୟା କରାଯାଇଥିଲା। ଠିକ୍‌ ୪ ବର୍ଷ ପରେ ଅର୍ଥାତ ୨୦୦୨ରେ  ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ସଭାପତି ଶ୍ୟାମସୁନ୍ଦର କେଡ଼ିଆଙ୍କୁ  ବ୍ରଜରାଜନଗର ମୁଖ୍ୟ ମାର୍କେଟରେ ଗୁଳିକରି ହତ୍ୟା କରାଯାଇଥିଲା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କାନ୍ତା ଦାସ ପୁଲିସ ହେପାଜତରେ କୋର୍ଟକୁ ଯିବା ସମୟରେ ତାଙ୍କୁ ମଧ୍ୟ ବୋମା ଫିଙ୍ଗି କୋର୍ଟ ପରିସରରେ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡରେ ନିୟୋଜିତ ଦୁଇ ସୁପାରି କିଲରଙ୍କୁ ପୁଲିସ ଗୋଡ଼ାଇ ଏନ୍‌କାଉଣ୍ଟର କରିବାରୁ ଉଭୟଙ୍କ ମୃତ୍ୟୁ ଘଟିଥିଲା। ଫଳରେ ତଦନ୍ତ ସେହିଠାରେ ଶେଷ ହୋଇଯାଇଥିଲା।

Image Courtesy of India Today

୨୦୧୦ ମସିହାରେ କୋଇଲା ବେପାରୀ ଅର୍ଜୁନ ସିଂ ରାତିରେ ଘରକୁ ଫେରୁଥିବା ସମୟରେ ଗୁଳିକରି ହତ୍ୟା କରାଯାଇଥିଲା। ଏଥିରେ ସୋନୁ ଘୋଷ ମୁଖ୍ୟ ଅଭିଯୁକ୍ତ ଥିଲା। କୋଇଲା ଖଣିରେ ବାହାରୁ ଆସୁଥିବା କମ୍ପାନିଙ୍କୁ ସୁରକ୍ଷା ଯୋଗାଇଦେବା ଲଢ଼େଇରେ ୨୦୧୯ରେ ଅମିତ ଧଳକୁ ପୁରୁଣା ବସଷ୍ଟାଣ୍ଡରେ ସନ୍ଧ୍ୟାରେ ଗୁଳିକରି ହତ୍ୟା କରାଯାଇଥିଲା। ପରବର୍ତ୍ତୀ ସମୟରେ ସେହିବର୍ଷ ୨୦୧୯ରେ ମଣ୍ଟୁ ଘୋଷକୁ ଏକ ହୋଟେଲ୍‌ରେ ଗୁଳିକରି ହତ୍ୟା କରାଯାଇଥିଲା। ବ୍ରଜରାଜନଗରରେ କଳାହୀରାକୁ ନେଇ ଅନେକ ହତ୍ୟାକାଣ୍ଡ ସଂଗଠିତ ହୋଇସାରିଛି। ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିଥିବା ପୁଲିସ ଏଏସ୍‌ଆଇ ଗୋପାଳ ଜଣେ କୋଇଲା ଲୋଡରଙ୍କ କାର୍‌କୁ ବ୍ୟବହାର କରୁଥିବା ଘଟଣା ଏବେ କୋଇଲା ଲିଙ୍କ ସହିତ ଛନ୍ଦି ହେବାକୁ ଯାଉଛି।

ଉଲ୍ଲେଖଯୋଗ୍ୟ, ଦେଶ ସ୍ୱାଧୀନ ହେବା ପୂର୍ବରୁ ବ୍ରଜରାଜନଗର କାଗଜ ନଗରୀରେ ପରିଚିତ ହୋଇସାରିଥିଲା। ବିର୍ଲା କଂପାନି ଏଠାରେ ୧୯୩୬ ମସିହାରେ ଓରିଏଣ୍ଟ କାଗଜକଳ ପ୍ରତିଷ୍ଠା କରି ୧୯୩୯ ମସିହାରେ କାଗଜ ଉତ୍ପାଦନ କରିଥିଲା। କାଗଜକଳ ପାଇଁ ଆବଶ୍ୟକ କଞ୍ଚାମାଳ ରୂପେ କୋଇଲା ମୁଖ୍ୟତଃ ରାମପୁର ଓ ଓରିଏଣ୍ଟ ଖଣିରୁ ଉତ୍ତୋଳନ କରୁଥିଲା। ଦେଶ ସ୍ୱାଧୀନ ହେବା ପରେ ଶିଳ୍ପର ଅଭିବୃଦ୍ଧି ହେଲା। ତେଣୁ କୋଇଲା ଶିଳ୍ପ ଜାତୀୟକରଣ ହେବାଫଳରେ ବ୍ରଜରାଜନଗର ଧୀରେ ଧୀରେ କୋଇଲାନଗରୀରେ ପରିଣତ ହୋଇଥିଲା। ମହାନଦୀ କୋଲ୍‌ କଂପାନି ଗଠନ ପରେ ବ୍ରଜରାଜନଗରରେ ଥିବା ଭୂତଳ କୋଇଲା ସ୍ତରକୁ ନେଇ ଓରିଏଣ୍ଟ ଏରିଆ ଓ ଇବ୍‌ ଭେଲି ଏରିଆ ସୃଷ୍ଟି ହୋଇଛି। ଏହାକୁ କଳା ହୀରାର ଉପତ୍ୟକା(ଭେଲି) ବୋଲି କୁହାଯାଏ।

ସମ୍ବନ୍ଧିତ ଖବର