ଗୁଣପୁର ଫାଣ୍ଡି ଅଧିକାରୀଙ୍କୁ ନିର୍ଧୁମ ପିଟିଲେ ହୋମ୍‌ଗାର୍ଡ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଗୁଣପୁର ଫାଣ୍ଡିରେ ଜଣେ ହୋମ୍‌ଗାର୍ଡ ଫାଣ୍ଡି ଅଧିକାରୀଙ୍କୁ ନିର୍ଧୁମ୍‌ ମାଡ଼ ମାରିବା ଘଟଣା ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି କରିଛି। ଏହି ହୋମ୍‌ଗାର୍ଡ ଜଣକ ମାସେ ହେବ ଡ୍ୟୁଟି କରି ନଥିଲେ। ତେଣୁ ତାଙ୍କର ଆବ୍‌ସେଣ୍ଟ ପକାଯାଇଥିଲା। ଏହି ଘଟଣାରେ ସମ୍ପୃକ୍ତ ହୋମ୍‌ ଗାର୍ଡ ରାଗିଯାଇ ଫାଣ୍ଡି ଅଧିକାରୀଙ୍କୁ ମାଡ଼ ମାରିଥିଲେ।

ଦିଗାମ୍ବର ସାହୁ (ଫାଣ୍ଡି ଅଧିକାରୀ)ଙ୍କ ଅଭିଯୋଗ ଅନୁସାରେ ଗତ ୨୦୧୯ ମସିହା ନଭେମ୍ବର ୨୩ ରେ ଗୁଣପୁର ଫାଣ୍ଡି ଅଧିକାରୀ ଭାବେ ଯୋଗ ଦେଇଥିଲେ। ସେହି ଦିନରୁ ହୋମ୍‌ଗାର୍ଡ ଚୈତନ୍ୟ ପ୍ରଧାନୀ (୧୦୨ ବ୍ୟାଚ୍‌ ନଂ) ଫାଣ୍ଡିରେ ବହୁତ କମ୍‌ ସମୟ ଡ୍ୟୁଟି କରୁଛନ୍ତି। ଏନେଇ ଫାଣ୍ଡି ଅଧିକାରୀ ଉପରିସ୍ଥ ଅଧିକାରୀଙ୍କୁ ଆଗରୁ ମଧ୍ୟ ଜଣାଇଥିଲେ। ପୂର୍ବ ମାସରେ ଅଭିଯୁକ୍ତ ହୋମ୍‌ଗାର୍ଡ କମ୍‌ ଦିନ କାର୍ଯ୍ୟ କରିଥିଲେ। ତେଣୁ ଫାଣ୍ଡି ଅଧିକାରୀ ୧୬ ଦିନର ଅନୁପସ୍ଥିତ ଦେଖାଇ ବିଲ୍‌ ତିଆରି କରି ଥୁଆମୂଳ ରାମପୁର ଥାନାଧିକାରୀଙ୍କ ପାଖକୁ ପଠାଇଥିଲେ। ଏହି ବିଲ୍‌କୁ ଦେଖି ହୋମ୍‌ଗାର୍ଡ ଜଣଙ୍କ ଜୁଲାଇ ମାସରେ ସମ୍ପୂର୍ଣ୍ଣ ଅନୁପସ୍ଥିତ ରହିଥିଲେ। ରବିବାର ସମ୍ପୃକ୍ତ ହୋମ୍‌ଗାର୍ଡ ଜଣଙ୍କ ମଦପିଇ ଗୁଣପୁର ଫାଣ୍ଡିକୁ ଆସିଥିଲେ। ଫାଣ୍ଡି ଅଧିକାରୀ ଦିଗାମ୍ବର ସାହୁ ଏକା ଥିବାବେଳେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଏକ ଲୁହା ପାଇପ୍‌ରେ ଅଧିକାରୀଙ୍କୁ ନିର୍ଧୁମ ମାଡ଼ ମାରିଥିଲେ। ଏନେଇ ଥୁଆମୂଳ ରାମପୁର ଥାନାରେ ଫାଣ୍ଡି ଅଧିକାରୀ ଅଭିଯୋଗ କରିବା ପରେ ହୋମ୍‌ଗାର୍ଡ ଶ୍ରୀ ପ୍ରଧାନୀଙ୍କୁ ଥାନାରେ ଅଟକ ରଖାଯାଇଛି।

ସମ୍ବନ୍ଧିତ ଖବର