ଏମିତି ଚାଲିଛି ଜିଲ୍ଲା ଶିକ୍ଷା ବ୍ୟବସ୍ଥା: ନୂଆଗାଁ, ଗୁରୁଣ୍ଡିଆ ଗଣଶିକ୍ଷକଙ୍କ ବକେୟା ଦରମା ବିଶ୍ରା ଓ ବଣାଇଁ ବ୍ଲକ ଅଫିସରେ

୧୪୯୫ ଶିକ୍ଷକଙ୍କ ପାଇଁ ଆସିଥିଲା ୧୨ କୋଟି ୨୦ ଲକ୍ଷ ୮୬ ହଜାର

ରାଉରକେଲା: ଶିକ୍ଷା ବିଭାଗରୁ ମଞ୍ଜୁର ସତ୍ବେ ଏଯାଏଁ ସୁନ୍ଦରଗଡ ଜିଲ୍ଲାର ଦୁଇଟି ବ୍ଲକ ଗଣଶିକ୍ଷକଙ୍କୁ ମିଳିନି ବକେୟା ଦରମା। ବିଭାଗୀୟ ଅଧିକାରୀଙ୍କ ତ୍ରୁଟି ଯୋଗୁ ଏମାନଙ୍କ ବକେୟା ଦରମା ଟଙ୍କା ଅନ୍ୟ ବ୍ଲକ ପାଣ୍ଠିକୁ ସ୍ଥାନାନ୍ତର ହୋଇଯାଇଛି। ଏହା ସତ୍ବେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ନ ପାଇବାରୁ ଗଣଶିକ୍ଷକ ମହଲରେ ଅସନ୍ତୋଷ ଦେଖାଦେଇଛି। ମହାମାରୀ କରୋନା ସଙ୍କଟ ସମୟରେ ପରିବାର ପ୍ରତିପୋଷଣ ପାଇଁ ଗଣଶିକ୍ଷକମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଥିବାବେଳେ ବିଭାଗୀୟ ଅଧିକାରୀ କିନ୍ତୁ ଚୁପ୍ ବସିଛନ୍ତି। କେବେ ମିଳିବ ବିଭାଗୀୟ ଅଧିକାରୀ ସ୍ପଷ୍ଟ କରୁ ନାହାନ୍ତି।

ସୁନ୍ଦରଗଡ ଜିଲ୍ଲାର ୧୭ ବ୍ଲକର କାର୍ଯ୍ୟରତ ୧୪୯୫ ଗଣଶିକ୍ଷକଙ୍କର ଗତ ୨୦୧୭ ମାର୍ଚ୍ଚରୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ ବକେୟା ଦରମା ଏକକାଳୀନ ମିଳିବାକୁ ଥିଲା। ମୋଟ ବକେୟା ଦରମା ବାବଦରେ ମୋଟ ୧୨ କୋଟି ୨୦ ଲକ୍ଷ ୮୬ ହଜାର ୧୮୫ ଟଙ୍କା ଜିଲ୍ଲା ପ୍ରକଳ୍ପ ସଂଯୋଜକ ଅଫିସକୁ ଆସିଥିଲା। ପରବର୍ତ୍ତୀ ସମୟରେ ଦାୟିତ୍ବରେ ଥିବା କର୍ମଚାରୀ ଶିକ୍ଷକ ଅନୁଯାୟୀ ପ୍ରତ୍ୟେକ ବ୍ଲକ ପାଣ୍ଠିକୁ ୬ ମାସର ବକେୟା ଦରମା ପଠାଇଥିଲେ। ଭୁଲବଶତଃ କୁଆଡେ ନୂଆଗାଁ ଶିକ୍ଷକଙ୍କ ଦରମା ବିଶ୍ରା ବ୍ଲକ ଓ ଗୁରୁଣ୍ଡିଆର ବ୍ଲକର ଗଣଶିକ୍ଷକଙ୍କ ଦରମା ବଣାଇଁ ବ୍ଲକ ଅଫିସ୍କୁ ଚାଲିଯାଇଥିଲା। ବଣାଇଁ ଓ ବିଶ୍ରା ବ୍ଲକକୁ ଅଧିକ ଟଙ୍କା ଆସିଥିଲେ ହେଁ ଦାୟିତ୍ବରେ ଥିବା କର୍ମଚାରୀ କାହାକୁ କିଛି ନ କହି ଚୁପ୍ ରହିଥିଲେ। କର୍ମଚାରୀ ନୁହଁନ୍ତି ବରଂ ବ୍ଲକ ଶିକ୍ଷା ଅଧିକାରୀ ମଧ୍ୟ ଜିଲ୍ଲା ପ୍ରକଳ୍ପ ସଂଯୋଜକ କାର୍ଯ୍ୟାଳୟକୁ ଏ ସଂକ୍ରାନ୍ତରେ କିଛି ସୂଚନା ଦେଇନଥିଲେ। ସେପଟେ ନୂଆଗାଁ ଓ ଗୁରୁଣ୍ଡିଆ ବ୍ଲକର ଦାୟିତ୍ବରେ ଥିବା କର୍ମଚାରୀ ବକେୟା ଟଙ୍କା ନ ଆସିବାରୁ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଏମିତି ତ୍ରୁଟି ହୋଇଥିବା ଜଣାପଡିଥିଲା।

ନୂଆଗାଁ ବ୍ଲକର ୧୮୩ ଗଣଶିକ୍ଷକଙ୍କୁ ୧ କୋଟି ୭ ଲକ୍ଷ ୭୯ ହଜାର ୫୧୫ ଟଙ୍କା, ଗୁରୁଣ୍ଡିଆ ଗଣଶିକ୍ଷକଙ୍କୁ ୩୫ ଲକ୍ଷ ୯୩ ହଜାର ୧୭୨ ଟଙ୍କା ମିଳିବାର ଥିଲା। କିନ୍ତୁ ଜିଲ୍ଲା ପ୍ରକଳ୍ପ ସଂଯୋଜକ ଅଫିସର ଦରମା ଟଙ୍କା ଟ୍ରାନ୍ସଫର କରୁଥିବା କର୍ମଚାରୀ ୧୫ଟି ବ୍ଲକର ବ୍ୟାଙ୍କ ଆକାଉଣ୍ଟକୁ ଠିକ୍ ଭାବେ ଟଙ୍କା ପଠାଇଥିଲେ। ନୂଆଗାଁ ବ୍ଲକ ଟଙ୍କାକୁ ବିଶ୍ରା ଓ ଗୁରୁଣ୍ଡିଆ ବ୍ଲକର ଟଙ୍କାକୁ ବଣାଇଁ ବ୍ଲକ ଅଫିସ୍ ବ୍ୟାଙ୍କ ଆକାଉଣ୍ଟକୁ ପଠାଇ ଦେଇଥିଲେ। ଅନ୍ୟ ସମସ୍ତ ୧୫ ବ୍ଲକର ଗଣ ଶିକ୍ଷକମାନେ ସେମାନଙ୍କର ବକେୟା ଟଙ୍କା ପାଇ ସାରିଥିବାବେଳେ ଅଦ୍ୟାବଧି ଟଙ୍କା ଆସି ନଥିବାରୁ ନୂଆଗାଁ ଓ ଗୁରୁଣ୍ଡିଆ ବ୍ଲକର ଗଣଶିକ୍ଷକମାନେ ସେମାନଙ୍କ ବକେୟା ଦରମା ପାଇ ପାରି ନାହାନ୍ତି।

ଏ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି, ଭୁଲବଶତଃ ଦୁଇଟି ବ୍ଲକର ଟଙ୍କା ଅନ୍ୟ ଦୁଇଟି ବ୍ଲକକୁ ଚାଲି ଯାଇଛି। ଏଥିପାଇଁ ଦୁଇଟି ବ୍ଲକ ଅଧିକାରୀଙ୍କୁ ଚିଠି କରାଯାଇଛି। ସେମାନଙ୍କ ଆକାଉଣ୍ଟକୁ ଯାଇଥିବା ଟଙ୍କା ଫେରସ୍ତ କରିବା ପରେ ନୂଆଗାଁ ଓ ଗୁରୁଣ୍ଡିଆ ବ୍ଲକକୁ ସେମାନଙ୍କ ଟଙ୍କା ପଠାଇ ଦିଆଯିବ। ତେବେ ସାମାନ୍ୟ ତ୍ରୁଟି ଯୋଗୁଁ ଦୁଇ ବ୍ଲକର ଗଣଶିକ୍ଷକଙ୍କୁ ସେମାନଙ୍କ ବକେୟା ଦରମା କେବେ ମିଳିବ, ତାଙ୍କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥିପ୍ରତି ବିଭାଗୀୟ ଉଚ୍ଚ ଅଧିକାରୀ ଦୃଷ୍ଟି ଦେବାକୁ ଗଣଶିକ୍ଷକଙ୍କ ପକ୍ଷରୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର