ଯୌତୁକ ପାଇଁ ବଧୂହତ୍ୟା: ସ୍ବାମୀ, ଶାଶୂ, ଶ୍ବଶୁରଙ୍କୁ ଆଜୀବନ ଜେଲ୍

ଅନୁଗୁଳ: ଯୌତୁକ ପାଇଁ ଜଣେ ନବବଧୂଙ୍କୁ ତଣ୍ଡି ଚିପି ହତ୍ୟା କରିବା ମାମଲାରେ ତାଙ୍କ ସ୍ବାମୀ, ଶାଶୂ ଓ ଶ୍ବଶୁରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଅଦାଲତ। ସମସ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇବା ସହ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା କରିଛନ୍ତି। ଜରିମାନା ଅନାଦେୟ ଅତିରିକ୍ତ ୧ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ।
ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଜୋରାଗାଡ଼ିଆ ଗାଁର ପ୍ରଫୁଲ୍ଲ ରାଉତଙ୍କ ପୁଅ ବିକ୍ରମ ରାଉତ(୨୫) ଢେଙ୍କାନାଳ ଜିଲ୍ଲା କନ୍ତିଓ ପୁଟସାହିର ସ୍ବର୍ଣ୍ଣପ୍ରଭା ପରିଡ଼ାଙ୍କୁ ଗତ ୨୦୧୯ ଜୁଲାଇ ୯ ତାରିଖରେ ଉଠାଇ ଆଣିଥିଲେ। ଜୁଲାଇ ୧୦ରେ ସ୍ବର୍ଣ୍ଣପ୍ରଭାଙ୍କ ବିବାହ ପାଇଁ ତାରିଖ ସ୍ଥିର ହୋଇଥିଲାବେଳେ ଏହାର ଦିନକ ପୂର୍ବରୁ ବିକ୍ରମ ତାଙ୍କୁ ନେଇ ଭୁବନେଶ୍ବରରେ ରଖିଥିଲେ। ପରେ ବିକ୍ରମ ଝିଅ ଘର ଲୋକଙ୍କୁ ଫୋନ୍‌ କରି ଏ ସଂପର୍କରେ ସୂଚନା ଦେବା ସହ ତାଙ୍କ ସହିତ ସ୍ବର୍ଣ୍ଣପ୍ରଭାଙ୍କ ବିବାହ ନ କରାଇଲେ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ।

ଥାନାରେ ଜଣାଇଲେ ବଂଶ ବୁଡ଼ାଇଦେବେ ବୋଲି ଚେତାବନୀ ଦେଇଥିଲେ। ପରେ ଉଭୟ ଗ୍ରାମର ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ବିକ୍ରମ ଓ ସ୍ବର୍ଣ୍ଣପ୍ରଭାଙ୍କ ବିବାହ ଅନୁଗୁଳ ବୁଢ଼ୀ ଠାକୁରାଣୀ ମନ୍ଦିରରେ ଜୁଲାଇ ୧୫ ରେ ଅନୁଷ୍ଠିତ ହୋଇଥିଲା। କିନ୍ତୁ ବିବାହର କିଛି ଦିନ ପରେ ସ୍ବର୍ଣ୍ଣପ୍ରଭାଙ୍କୁ ତାଙ୍କ ଶାଶୂଘର ଲୋକ ଯୌତୁକ ପାଇଁ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ଘରୁ ୫ ଲକ୍ଷ ଟଙ୍କା ଓ ଅନ୍ୟାନ୍ୟ ଆସବାବପତ୍ର ଆଣିବାକୁ ଚାପ ପକାଇ ଶାରିରୀକ ଓ ମାନସିକ ନିର୍ଯାତନା ଦେଇଥିଲେ। ଖବର ପାଇ ସ୍ବର୍ଣ୍ଣପ୍ରଭାଙ୍କ ପରିବାର ଲୋକ ଯାଇ ବୁଝାସୁଝା କରିଥିଲେ ମଧ୍ୟ ସ୍ଥିତି ବଦଳିନଥିଲା। ବରଂ, ତାଙ୍କ ପରିବାର ସଦସ୍ୟଙ୍କୁ ଗାଲିଗୁଲଜ କରି ଘରୁ ବାହାର କରିଦେଇଥିଲେ। ଏହାର କିଛି ଦିନ ପରେ ସ୍ବର୍ଣ୍ଣପ୍ରଭା ତାଙ୍କ ବାପଘର ଲୋକଙ୍କୁ କହିଥିଲେ ଯେ, ସେ ଅନ୍ତସତ୍ତ୍ବା ଥିବା ଜଣାପଡ଼ିବା ପରେ ଶାଶୂଘର ଲୋକେ ତାଙ୍କୁ ମାରିଦେବା ପାଇଁ ଯୋଜନା କରୁଛନ୍ତି। ଆଉ ଫେବ୍ରୁଆରି ୧ ତାରିଖରେ ବିକ୍ରମଙ୍କ ସମେତ ତାଙ୍କ ଘରର ଅନ୍ୟ ଲୋକମାନେ ସ୍ବର୍ଣ୍ଣପ୍ରଭାଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ। ପରେ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥିଲେ। ଏଥିନେଇ ସ୍ବର୍ଣ୍ଣପ୍ରଭାଙ୍କ ବାପା ଅନନ୍ତ ଚରଣ ପରିଡ଼ା ବଅଁରପାଳ ଥାନାରେ ଏତଲା ଦେବା ପରେ ପୁଲିସ ୨୮/୨୦ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପରେ ବିକ୍ରମ ସମେତ ତାଙ୍କ ବାପା ଓ ମା’ଙ୍କୁ ପୁଲିସ ଗିରଫ କରିଥିଲା।

ଏହି ମାମଲାର ବିଚାର ଅନୁଗୁଳ ଅତିରିକ୍ତ ଜିଲ୍ଲ‌ା ଦୌରାଜଜ୍‌ ରଂଜିତା ଜ୍ୟୋତିଷିଙ୍କ ଅଦାଲତରେ ଚାଲିଥିଲା। ଏହି ମାମଲାରେ ୧୦ ଜଣ ସାକ୍ଷୀ ଓ ଅନ୍ୟ ଦଲିଲକୁ ଭିତ୍ତିକରି ଅଦାଲତ ସ୍ବାମୀ ବିକ୍ରମ ରାଉତଙ୍କ ସମେତ ଶାଶୂ ବିଳାସ ରାଉତ(୪୭) ଓ ଶ୍ବଶୁର ପ୍ରଫୁଲ୍ଲ ରାଉତ(୫୦)ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସମସ୍ତଙ୍କୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା କରାଯାଇଛି। ଏହି ମାମଲାକୁ ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ତାପସ ରଂଜନ ମିଶ୍ର ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର