ପୁଣି ହୋସ୍ ଉଡ଼ାଇଲା ହାଇଦର୍, ଆଣ୍ଟିଜେନ୍ ପରୀକ୍ଷାରେ କରୋନା ପଜିଟିଭ୍

କଟକ-ମହାନଦୀବିହାର : ପୁଣି ହୋସ୍ ଉଡ଼ାଇଛି ଗ୍ୟାଙ୍ଗଷ୍ଟର୍ ହାଇଦର୍। କଟକ ବଡ଼ ମେଡିକାଲରୁ ଫେରାର ହୋଇ ଧରାପଡ଼ିବା ପର୍ଯ୍ୟନ୍ତ ପୁଲିସ ଆଖିରୁ ନିଦ ହଜାଇ ଦେଇଥିଲା ହାଇଦର୍। ଏବେ ଧରାପଡ଼ିବା ପରେ ବି ପୁଲିସ ଆଖିରୁ ନିଦ ହଜିଯାଇଛି। ଆଣ୍ଟିଜେନ୍‌ ଟେଷ୍ଟ୍‌ରେ ହାଇଦର କରୋନା ପଜିଟିଭ୍ ଥିବା ଜଣାପଡ଼ିଛି। କିନ୍ତୁ ବର୍ତ୍ତମାନର ବ୍ୟବସ୍ଥା ଅନୁଯାୟୀ ତାହାର ଆରଟିପିସିଆର୍ ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରାଯିବ। କିନ୍ତୁ ଆରଟିପିସିଆର୍ ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ସେ ଚୌଦ୍ବାର ଜେଲରେ ଆଇସୋଲେସନ ସେଲ୍‌ରେ ରହିବ। ଅଦାଲତ ଆସନ୍ତାକାଲି ସକାଳ ୭ଟାରୁ ହାଇଦରକୁ ୭ ଦିନିଆ ପୁଲିସ ରିମାଣ୍ଡ୍ ପାଇଁ ଅନୁମତି ଦେଇଥିଲେ ବି ତାକୁ ଆଉ ଅଣାଯାଇ ପାରିବନାହିଁ। ଏଭଳି ସ୍ଥିତିରେ କିନ୍ତୁ ପୁଲିସ ବିଭାଗରେ ଭାଳେଣି ପଡ଼ିଯାଇଛି।

ଅନ୍ୟ ଏକ ସୂଚନା ଅନୁସାରେ, ହାଇଦରକୁ କାବୁ କରିଥିବା ଇନ୍ସପେକ୍ଟର ରଶ୍ମିରଂଜନ ମହାପାତ୍ର ଓ ଇନ୍ସପେକ୍ଟର ତାପସ ପ୍ରଧାନଙ୍କୁ ଟିମ୍ ସଦସ୍ୟଙ୍କୁ ହାଇଦରର ଆରଟିପିସିଆର୍ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି। ହାଇଦର୍ ସହିତ ନିକଟତର ହୋଇଥିବା ଅନ୍ୟ ଅଧିକାରୀ ମାନଙ୍କୁ ବି ସତର୍କ କରି ଦିଆଯାଇଛି। ହାଇଦର୍ ଆଜି ଯେଉଁ ବିମାନରେ ଆସିଥିଲା, ସେହି ବିମାନ ସଂସ୍ଥାକୁ ବି ଘଟଣା ସଂପର୍କରେ ଅବଗତ କରାଯାଇଛି। ଯଦି ଆରଟିପିସିଆର୍ ପରୀକ୍ଷା ରିପୋର୍ଟ ହାଇଦରର ପଜିଟିଭ୍ ଆସେ ତେବେ ତାର କଣ୍ଟାକ୍ଟ୍ ଟ୍ରେସିଂ ଆରମ୍ଭ ହେବ। ଏଭଳି ସ୍ଥିତିରେ ଆଜି ହାଇଦର ପାଖଆଖରେ ଦୀର୍ଘ ସମୟ ଧରି ଜମା ହୋଇଥିବା ବ୍ୟକ୍ତିବିଶେଷ କରୋନା ବିପଦ ମୁହଁକୁ ଆସି ଯାଉଛନ୍ତି। ହାଇଦରକୁ ଜେଏମ୍ଏଫସି କୋର୍ଟରେ ହାଜର କରାଯାଇଥିବା ବେଳେ ସେଠି ବି ବିପଦ ସୃଷ୍ଟି ହୋଇଛି।

ଶୁକ୍ରବାର ଦିନ ହାଇଦରକୁ ରାତି ପ୍ରାୟ ସାଢେ ଆଠଟା ବେଳେ ଚୌଦ୍ବାର ଜେଲକୁ ନିଆଯାଇଥିଲା।‌ ସେ ସମୟରେ ବି ବହୁ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ। ହାଇଦରକୁ ଜେଲ୍ କ୍ୟାଣ୍ଟିନ୍ ସାମ୍‌ନାରେ ଥିବା ସ୍କୁଲର ପଛ ପଟେ ୧ ନମ୍ବର ୱାର୍ଡର ତିନି ନମ୍ବର ସେଲ୍‌ରେ ରଖାଯାଇଛି। ଏହା ଏକ ଆଇସୋଲେସନ ସେଲ୍ ହୋଇଥିବା ବେଳେ ସେଠାରେ ଜଣେ ୱାର୍ଡରଙ୍କୁ ନିୟୋଜିତ କରାଯାଇଛି। ବ୍ୟବସ୍ଥା ଅନୁଯାୟୀ ତାକୁ ଗୋଟିଏ କମ୍ବଳ, ଥାଳି ଓ ବାଟି ଦିଆଯାଇଛି। କିନ୍ତୁ ଯଦି ଆରଟିପିସିଆର୍ ପରୀକ୍ଷାରୁ ହାଇଦର କରୋନା ସଂକ୍ରମିତ ବୋଲି ସ୍ପଷ୍ଟ ହୁଏ ତେବେ ୫୦ରୁ ଅଧିକ ପୁଲିସ, ବିଭିନ୍ନ କର୍ମଚାରୀ କରୋନା ବିପଦ ବଳୟକୁ ଚାଲିଆସିବେ।

ସମ୍ବନ୍ଧିତ ଖବର