ଇକ୍କତକୁ ମିଳିଲା ନୂଆ ବ୍ରାଣ୍ଡ୍‌

ଭୁବନେଶ୍ବର : ରାଜ୍ୟର ସମୃଦ୍ଧ ହସ୍ତତନ୍ତ କଳାକୁ ବିଶ୍ବ ବଜାରରେ ବ୍ରାଣ୍ଡିଂ ପାଇଁ ନୂଆ ପରିଚୟ ମିଳିଛି। ସମ୍ବଲପୁରୀ ଇକ୍କତ, ନୂଆପାଟଣା ଇକ୍କତ ଓ ଗୋପାଳପୁରର ଟସର ଏଣିକି ‘ତିଳୋତ୍ତମା’ ବ୍ରାଣ୍ଡ୍‌ ନାଁରେ ସମଗ୍ର ବିଶ୍ବ ବଜାରରେ ଉପଲବ୍ଧ ହେବ। ଘରୋଇ ସ୍ତରରେ ଏପରି ବ୍ରାଣ୍ଡିଂ ହାସଲ କରିଛନ୍ତି ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଡିଜାଇନର ସୁଜିତ ମେହେର। ମୁମ୍ବାଇରେ ଥିବା ଭାରତ ସରକାରଙ୍କ ‘ଟ୍ରେଡ୍‌ ମାର୍କସ ରେଜିଷ୍ଟ୍ରି’ ସଂସ୍ଥା ଏହି ଅନୁମତି ପ୍ରଦାନ କରିଛି। ସରକାରୀ ସ୍ତରରେ ‘ବୟନିକା’ ପରେ ଘରୋଇ ସ୍ତରରେ ପ୍ରଥମକରି ‘ତିଳୋତ୍ତମା’ ନାଁରେ ବ୍ରାଣ୍ଡିଂ କରିବା ପାଇଁ ସୁଯୋଗ ଆସିଛି।

ଦୀର୍ଘଦିନ ଧରି ଓଡ଼ିଶାର ହସ୍ତତନ୍ତକୁ ବ୍ରାଣ୍ଡିଂ କରିବା ନେଇ ଚିନ୍ତା କରାଯାଉଥିବା ବେଳେ ବ୍ୟକ୍ତିଗତ ସ୍ତରରେ ସୁଜିତ ଏହା କରି ପାରିଛନ୍ତି। ଏହା ଦ୍ବାରା ହସ୍ତତନ୍ତ ତଥା ଶାଢ଼ି ଓ ପୋଷାକର ଚାହିଦା ବୃଦ୍ଧି ପାଇବ। ବିଦେଶକୁ ହସ୍ତତନ୍ତ ଯୋଗାଣ ପାଇଁ ବାଟ ପ୍ରଶସ୍ତ ହେବ। ଏହାଦ୍ବାରା ରାଜ୍ୟର ବହୁ ବୁଣାକାର ଉପକୃତ ହେବେ। ନ୍ୟାସନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଫେସନ୍‌ ଟେକ୍ନୋଲୋଜି (ନିଫ୍‌ଟ), ବେଙ୍ଗାଲୁରୁ ଡିଜାଇନ୍‌ ‌ପାଠ୍ୟକ୍ରମ ସମାପ୍ତ କରିବା ପରେ ଶ୍ରୀ ମେହେର ୬ବର୍ଷ ହେବ ଓଡ଼ିଶାର ହସ୍ତତନ୍ତକୁ ନେଇ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବହୁ ପରୀକ୍ଷା ନିରୀକ୍ଷା କରିଥିଲେ। ଫେସନ୍‌ ସୋ’‌ରେ ଶ୍ରୀ ମେହେର ହସ୍ତତନ୍ତର ପ୍ରଚାର ପ୍ରସାର କରିଆସୁଛନ୍ତି।

ଏନେଇ ଶ୍ରୀ ମେହେର କହିଛନ୍ତି, ପିଲା ବେଳୁ ମୋ ମନରେ ଆମ କୌଳିକ ବୃତ୍ତିକୁ ବିଶ୍ବସ୍ତରରେ ପହଞ୍ଚାଇବାକୁ ଇଚ୍ଛା ଥିଲା। ତେଣୁ ପାଠ୍ୟକ୍ରମ ସମାପ୍ତ ପରେ ଏନେଇ କାମ ଆରମ୍ଭ କରିଥିଲି। ‌ବର୍ଷେ ତଳେ ବ୍ରାଣ୍ଡିଂ ପାଇଁ ଆବେଦନ କରିଥିଲି। ବହୁ ପରୀକ୍ଷା ନିରୀକ୍ଷା ପରେ ରେଜିଷ୍ଟ୍ରି ପକ୍ଷରୁ ବ୍ରାଣ୍ଡିଂ ମିଳିଛି। ‘ତିଳୋତ୍ତମା’ ଭାରତୀୟ ଅପ୍‌ସରାର ସୌନ୍ଦର୍ଯ୍ୟର ପ୍ରତୀକ ହୋଇଥିବା ବେଳେ ମୋ ଜେଜେ ମା’ଙ୍କ ନାମ ମଧ୍ୟ ତିଳୋତ୍ତମା। ତେଣୁ ଏପରି ନାମକରଣ ଦେବାକୁ ପସନ୍ଦ କଲି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର