ବେଆଇନ ଖଣି ଖନନ ମାମଲା: ୨ ଖଣି ମାଲିକଙ୍କ ସମ୍ପତ୍ତି ଜବତ ନିର୍ଦେଶ

କେନ୍ଦୁଝର : ନିର୍ଦ୍ଧାରିତ ସମୟରେ ଜରିମାନା ପୈଠ କରି ନଥିବାରୁ ୨ ଖଣି ମାଲିକ ମେସର୍ସ ଅର୍ଜୁନ ଲୋଧା ଓ ମେସର୍ସ ଏମଆର ଦାଶଙ୍କ ସଂପତ୍ତି ଜବତ କରିବାକୁ ଆଜି କେନ୍ଦୁଝର ଜିଲ୍ଲାପାଳ ୱାରେଣ୍ଟ ଜାରି କରିଛନ୍ତି। ଆଜି ଏମ୍‌ଆର୍‌ ଦାଶ ୫ ଲକ୍ଷ ଟଙ୍କା ଜରିମାନା ଦାଖଲ କରିଥିଲେ ମଧ୍ୟ ତାଙ୍କ ସଂପତ୍ତି ବାଜ୍ୟାପ୍ତି ପାଇଁ ନିର୍ଦେଶ ଦିଆଯାଇଛି। ଏକ ମାସ ମଧ୍ୟରେ ସମ୍ପତ୍ତି ଜବତ କରିବା ପାଇଁ ପୁଲିସ ଓ ତହସିଲଦାରଙ୍କୁ ସେ ନିର୍ଦେଶ ଦେଇଛନ୍ତି।

ଏହା ପୂର୍ବରୁ ୬ ଖଣି ମାଲିକଙ୍କ ସଂପତ୍ତି ବାଜ୍ୟାପ୍ତି ପାଇଁ ନିର୍ଦେଶ ଜାରି ହୋଇଥିଲା। ଦୁଇଟି ଖଣି କର୍ତୃପକ୍ଷଙ୍କ ମାମଲା ସୁପ୍ରିମକୋର୍ଟରେ ଚାଲିଥିବାରୁ ତାଙ୍କ ବିରୋଧରେ କୌଣସି ପଦକ୍ଷେପ ନିଆଯାଇ ପାରିନାହିଁ। ଆଜି ୭ଟି ଖଣି କମ୍ପାନି ଜିଲ୍ଲାପାଳଙ୍କ କୋର୍ଟରେ ହାଜର ହେବାକୁ ନୋଟିସ ଜାରି ହୋଇଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦେଶମତେ ଜରିମାନା ଦେଇ ନଥିବା ୩୧ ଟି ଖଣିର ୨୩ ଖଣି ଲିଜ୍‌ଧାରୀଙ୍କ ନାମରେ ୬ ହଜାର ୩୫୦ କୋଟି ଟଙ୍କା ଜରିମାନା ଆଦାୟ ପାଇଁ ନୋଟିସ ଜାରି ହୋଇଥିଲା। ଏହାକୁ ଆଧାର କରି ଖଣି କମ୍ପାନିଙ୍କ ସମ୍ପତ୍ତି ବାଜ୍ୟାପ୍ତି ପାଇଁ କେନ୍ଦୁଝର ଜିଲ୍ଲାପାଳଙ୍କ କୋର୍ଟରେ ୨୦୧୮ ମେ ୨୪ରେ ସାର୍ଟିଫିକେଟ କେସ ହୋଇଥିଲା। ଆଜି ୮ କମ୍ପାନି ଏହି କେସ୍‌ର ଜବାବ ଦାଖଲ କରିଛନ୍ତି। ହାଜର ହେବାକୁ ଥିବା ୧୧ ଖଣି ମାଲିକଙ୍କ ମଧ୍ୟରୁ ୩ ଖଣି ଲିଜ୍‌ଧାରୀ ଅନୁପସ୍ଥିତ ଥିଲେ। ଖଣି ଲିଜ୍‌ଧାରୀ ପକ୍ଷ ରଖିବାରେ ଖିଲାପ କଲେ ଓପିଡିଆର୍‌ ଆକ୍ଟ ୧୯୬୨ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର