ସ୍ନାନ ଯାତ୍ରା ବିଶୃଙ୍ଖଳା: ପୁରୀ ବିଧାୟକ ରଖିଲେନି ଉତ୍ତର

ପୁରୀ : ଗତ ୧୭ ତାରିଖରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ବିଶୃଙ୍ଖଳାକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ପୁରୀ ବିଧାୟକଙ୍କୁ ପଠାଇଥିବା ନୋଟିସ୍‌ର ଉତ୍ତର ରଖିନାହାନ୍ତି ବିଧାୟକ ଜୟନ୍ତ ଷଡ଼ଙ୍ଗୀ। ଗତ ୨୨ ତାରିଖରେ ବିଧାୟକଙ୍କୁ ନୋଟିସ୍‌ ଦିଆଯାଇଥିବା ବେଳେ ଉତ୍ତର ରଖିବାକୁ ତାଙ୍କୁ ୭ ଦିନ ମହଲତ ଦେଇଥିଲା ଶ୍ରୀମନ୍ଦିର ପ୍ରଶାସନ। ତେବେ ଏହାମଧ୍ୟରେ ୭ ଦିନ ବିତି ଯାଇଥିଲେ ମଧ୍ୟ ବିଧ‌ାୟକ ଶ୍ରୀ ଷଡ଼ଙ୍ଗୀ କୌଣସି ଉତ୍ତର ରଖିନାହାନ୍ତି। ପୂର୍ବରୁ ସେ ଉତ୍ତର ଦେବେ ନାହିଁ ବୋଲି କହିଥିବା ବେଳେ ଏହାକୁ କାର୍ଯ୍ୟରେ କରି ଦେଖାଇଛନ୍ତି। ଅନ୍ୟପକ୍ଷରେ ଧାର୍ଯ୍ୟ ସମୟ ମଧ୍ୟରେ ଉତ୍ତର ନ ରଖିଲେ ବିଧାୟକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁ‌ଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନୋଟିସ୍‌ରେ ଦର୍ଶାଇଥିଲେ। ବିଧାୟକ ଉତ୍ତର ରଖିନଥିବାରୁ ମନ୍ଦିର ପ୍ରଶାସନ ତାଙ୍କ ବିରୋଧରେ କି ପ୍ରକାର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ତାକୁ ନେଇ ଉତ୍ସୁକତା ଦେଖାଦେଇଛି। ସୂଚନାଯୋଗ୍ୟ, ସ୍ନାନଯାତ୍ରା ଦିନ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କୁ ଦୁଇ ଜଣ ସେବ‌ାୟତ ସ୍ନାନବେଦୀ ପାଖକୁ ନେଇଥିଲେ। ବିଧାୟକ ବ୍ୟବସ୍ଥାବଳୀ ଉଲ୍ଲଂଘନ କରି ସ୍ନାନ ବେଦୀରେ ମହାପ୍ରଭୁଙ୍କ ଦର୍ଶନ କରିଥିବା ଅଭିଯୋଗ ହେବା ପ‌ରେ ମନ୍ଦିର ପ୍ରଶାସନ ସିସିଟିଭି ଅନୁଧ୍ୟାନ କରି ସତ୍ୟାସତ୍ୟ ଯାଞ୍ଚ କରିଥିଲା। ପରେ ଏହି ଘଟଣାରେ ସେବାୟତ ସୋମନାଥ ଖୁଣ୍ଟିଆ ଓ ରାଜାରାମ ଖୁଣ୍ଟିଆଙ୍କୁ ମନ୍ଦିର ପ୍ରଶାସନ ନିଲମ୍ବନ କରିଥିଲା। ଦୁଇ ସେବାୟତ ଏଥି ପାଇଁ କ୍ଷମା ପ୍ରାର୍ଥନା କରି ସାରିଛନ୍ତି।

ସମ୍ବନ୍ଧିତ ଖବର