ମୋବିଲ୍ କାରଖାନା ଠାବ ଘଟଣା : ବିହାର, ପଶ୍ଚିମବଙ୍ଗକୁ ଚେର ଲମ୍ବିଛି, ମୁହଁ ଖୋଲୁନାହାନ୍ତି ପୁଲିସ୍‌, ଜମିମାଲିକ

ଯାଜପୁର : ଯାଜପୁରର ବାଲିଚନ୍ଦ୍ରପୁରଠାରେ ଠାବ ହୋଇଥିବା ମୋବିଲ୍‌ କାରଖାନାର ଗୁମର ଖୋଲିବାରେ ଲାଗିଛି। ବିହାର ଓ ପଶ୍ଚିମବଙ୍ଗ ଭଳି ରାଜ୍ୟକୁ ଏହାର ଚେର ଲମ୍ବିଛି। ମାତ୍ର, ଏପର୍ଯ୍ୟନ୍ତ ଚଳାଇଥିବା ମାଷ୍ଟରମାଇଣ୍ଡ ନିକଟରେ ଯାଜପୁର ପୁଲିସ୍‌ ପହଞ୍ଚି ପାରିନି। ନିଜେ ପୁଲିସ୍‌ କିମ୍ବା ଜମିମାଲିକ ଏ ସମ୍ପର୍କରେ ମୁହଁ ଖୋଲୁନଥିବା ଜଣାପଡ଼ିଛି।

ଗତ ୧୧ ତାରିଖ ଦିନ ଏହି ମୋବିଲ୍‌ କାରଖାନା ଠାବ କରାଯାଇଥିଲା। ଏହି କାରଖାନା ସମ୍ପର୍କରେ ଯେଉଁ ତଥ୍ୟ ମିଳିଛି, ତାହା ଅତ୍ୟନ୍ତ ସାଂଘାତିକ୍‌। ମିଳିଥିବା ତଥ୍ୟ ଅନୁସାରେ,ପାରାଦୀପ ଅଞ୍ଚଳରୁ ଆସୁଥିବା ଫର୍ଣ୍ଣେସ ତେଲ ଭର୍ତ୍ତି ଟ୍ୟାଙ୍କର ବଡ ବଡ କାରଖାନାକୁ ଯିବା ପୂର୍ବରୁ ଏହି ଘେରାବନ୍ଦୀ ହୋଇଥିବା ଜାଗା ଭିତରକୁ ଆସୁଥିଲା। ଏହି ଟ୍ୟାଙ୍କରର ସିଲ୍‌ ଭାଙ୍ଗି ସେଥିରୁ ଫର୍ଣ୍ଣେସ ତେଲ କାଢି ଦିଆଯାଏ। ଏହି ଟ୍ୟାଙ୍କରରୁ କଢାଯାଇଥିବା ଫର୍ଣ୍ଣେସ ତେଲକୁ ଭରଣା କରିବା ପାଇଁ ସମ ପରିମାଣରେ ପୋଡା ମୋବିଲ ଭର୍ତ୍ତି କରାଯାଇ ଟ୍ୟାଙ୍କରକୁ ପୁଣି ସିଲ୍‌ କରାଯାଇଥାଏ । ଏହି ଟ୍ୟାଙ୍କର ଭେଜାଲ ଫର୍ଣ୍ଣେସ ତେଲକୁ ନେଇ ବଡ଼ବଡ଼ କାରଖାନାକୁ ଯାଏ । ଏହି ଫର୍ଣ୍ଣେସ ତେଲ କାରଖାନାରେ ଇନ୍ଧନ ରୂପେ ବ୍ୟବହାର କରାଯାଉ ଥିବାରୁ ବିହାର, ରାୟପୁର, ପଶ୍ଚିମବଙ୍ଗ ଭଳି ରାଜ୍ୟକୁ ଏହି ଚୋରା ତେଲର ଚେର ଲମ୍ବିଛି।

ଅନ୍ୟପକ୍ଷରେ, ଏହି ତେଲ ବଜାର ମିଳୁ ନଥିବା କାରଣରୁ ଛୋଟ ଛୋଟ କଂପାନିମାନେ ଫର୍ଣ୍ଣେସ ତେଲ ପାଇଁ ଏହି ତେଲ ମାଫିଆଙ୍କ ଉପରେ ନିର୍ଭର କରିଥା’ନ୍ତି । ପୋଡ଼ା ମୋବିଲର ଦର ଲିଟର ପିଛା ୧୦ ଟଙ୍କାରୁ କମ୍ ଥିଲା ବେଳେ ଫର୍ଣ୍ଣେସ ତେଲର ବଜାର ଦର ଲିଟର ପିଛା ପ୍ରାୟ ୫୦ ଟଙ୍କା । ତେବେ ଏହି ଭେଜାଲ ତେଲ କାରଖାନାରୁ ବ୍ୟାପକ ପରିମାଣ ଫର୍ଣ୍ଣେସ ତେଲ ଟ୍ୟାଙ୍କରରୁ କଢାଯାଇ ଭେଜାଲ କରି ବାହାରକୁ ଚାଲାଣ ‌େହଉଥିବା ବେଳେ ମାତ୍ର କିଲୋମିଟର ଦୂରରେ ଥିବା ପୁଲିସ ଓ ସ୍ଥାନୀୟ ଲୋକ ଜାଣି ନପାରିବା ଘଟଣା ସମସ୍ତଙ୍କୁ ସନ୍ଦେହ ଘେରକୁ ଟାଣୁଛି। ଏପରିକି ଲକ୍ଷ ଲକ୍ଷ ଟଙ୍କାର କାରବାର କରୁଥିବା ଏହି ଚୋରା ବେପାରିଙ୍କ ନା ନେବାକୁ କାହିଁକି ପୁଲିସ ଓ ଜମି ମାଳିକ ପଛଘୁଞ୍ଚା ଦେଉଛନ୍ତି, ତାହାକୁ ନେଇ ସାଧାରଣରେ ବିସ୍ମୟ ପ୍ରକାଶ ପାଇଛି।

ବାଲିଚନ୍ଦ୍ରପୁର ଥାନା ଅଧିକାରୀ ସୁକାନ୍ତ ପାତ୍ର କହିଛନ୍ତି କି ଘଟଣାର ତଦନ୍ତ ଚାଲିଛି। ଆରଆଇଙ୍କଠାରୁ ଜମି ସଂପର୍କିତ ତଥ୍ୟ ମଗାଯାଇଛି। ମୁଖ୍ୟ ଆସାମୀଙ୍କୁ ଧରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର