ଜଗନ୍ନାଥ ବାଲିଘାଟ ବେଆଇନ୍ ନିଲାମ୍ ଘଟଣା: ଏନ୍‌ଜିଟି ନିର୍ଦ୍ଦେଶରେ ୨ଜିଲ୍ଲାପାଳ କଲେ ତଦନ୍ତ

ଯାଜପୁର/ଭଦ୍ରକ : ବୈତରଣୀ ନଦୀର ଗତିପଥ ପରିବର୍ତ୍ତନ ଆଶଙ୍କାରେ ଭଦ୍ରକ ଜିଲ୍ଲାର ୪ବ୍ଲକ୍‌ର ଲକ୍ଷ ଅଧିବାସୀ ଆତଙ୍କିତ। ବୈତରଣୀର ଦକ୍ଷିଣ ପାର୍ଶ୍ବ ନଦୀପଠାର ଶହ ଶହ ଏକର ପୋତିବା, ଘେରିବନ୍ଧ ସହିତ ବନ୍ଧ ସୁଦୃଢ଼ୀକରଣ ହେଉଥିବା ବେଳେ ବାମପାର୍ଶ୍ବ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି। ଏପରିକି ବାମପାର୍ଶ୍ବ ବାଲିପୋଖାରୀ ଏସ୍କେପ୍ ବନ୍ଧର ସୁରକ୍ଷା କବଚ ଜଗନ୍ନାଥ ବାଲିଘାଟର ବେଆଇନ୍ ନିଲାମ ଅଞ୍ଚଳବାସୀଙ୍କ ପାଇଁ ବିପଦ ଡାକି ଆଣିଛି। ଫଳରେ ଭଦ୍ରକ ଜିଲ୍ଲାର ୪ଟି ବ୍ଲକ୍ ଭଣ୍ଡାରିପୋଖରୀ, ଧାମନଗର, ତିହିଡ଼ି ଓ ଚାନ୍ଦବାଲିର ଲକ୍ଷାଧିକ ଲୋକଙ୍କର ଜୀବନ ଜୀବିକା ଏବେ ବିପଦରେ । ଯାହାକୁ ନେଇ ଭଣ୍ଡାରିପୋଖରୀ ଆଞ୍ଚଳିକ ବନ୍ୟା ବିପର୍ଯ୍ୟୟ ସୁରକ୍ଷା କମିଟିର ବାରମ୍ବାର ଆ‌ନ୍ଦୋଳନ ସତ୍ତ୍ବେ ସରକାର ଗୁରୁତ୍ବ ନଦେବାରୁ ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ(ଏନଜିଟି)ର ଦ୍ବାରସ୍ଥ ହୋଇଛନ୍ତି। ଏନଜିଟିର ନିର୍ଦ୍ଦେଶ ଫଳରେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଓ ଭଦ୍ରକ ଜିଲ୍ଲାପାଳ ଜ୍ଞାନରଞ୍ଜନ ଦାଶ ଆଜି ତଦନ୍ତ କରିଛନ୍ତି। ଅଞ୍ଚଳବାସୀଙ୍କର ସୁରକ୍ଷା ନେଇ ସମ୍ପୃକ୍ତ ଅଞ୍ଚଳରେ ଆନ୍ଦୋଳନ ତେଜିବାରେ ଲାଗିଥିବା ବେଳେ ଚାପା ଉତ୍ତେଜନା ଲାଗି ରହିଛି।

ସମ୍ବନ୍ଧିତ ଖବର