ଜନଜାତିଙ୍କ ରୋଗ ଚିହ୍ନଟ କରିବ ଆଇଏଲ୍‌ଏସ୍‌

ଭୁବନେଶ୍ୱର : ଜନଜାତିଙ୍କୁ ହେଉଥିବା ରୋଗ ଚିହ୍ନଟ ଏବଂ ନିରାକରଣ ଉପରେ ଗବେଷଣା କରିବ ଭୁବନେଶ୍ୱରସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନ(ଆଇଏଲ୍‌ଏସ୍‌)। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ଥିବା ମେଡିକାଲ, ଗବେଷଣା ସଂସ୍ଥା, ବିଭିନ୍ନ କେନ୍ଦ୍ରୀୟ ଗବେଷଣା ପ୍ରତିଷ୍ଠାନର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯିବ। ଓଡ଼ିଶାରେ ବସବାସ କରୁଥିବା ୫୨ଟି ଜନଜାତି ଆକ୍ରାନ୍ତ ହେଉଥିବା ବିଭିନ୍ନ ରୋଗ ଉପରେ ଅନୁଧ୍ୟାନ କରାଯିବ। ରୋଗର ନିରାକରଣ ଲାଗି ରୋଗ ପରିଚାଳନା ରଣନୀତି ପ୍ରସ୍ତୁତ କରାଯିବ। ରାଜ୍ୟ ତଥା କେନ୍ଦ୍ର ସରକାରଙ୍କୁ ବି ଏଥିପାଇଁ ପ୍ରସ୍ତାବ ଦିଆଯିବ। ଖୁବ୍‌ଶୀଘ୍ର ଏ ନେଇ କାର୍ଯ୍ୟ ଆରମ୍ଭ ହେବ ବୋଲି ଆଇଏଲ୍‌ଏସ୍‌ ନିର୍ଦେଶକ ଡା.ଅଜୟ ପରିଡା ସୂଚନା ଦେଇଛନ୍ତି।

ରାଜ୍ୟରେ ଅଧିକାଂଶ ଜିଲ୍ଲାରେ ଜନଜାତିର ଲୋକେ ବସବାସ କରୁଥିଲେ ମଧ୍ୟ ସେମାନଙ୍କ ନିକଟରେ ଉପଯୁକ୍ତ ଚିକିତ୍ସା ସୁବିଧା ପହଞ୍ଚିପାରୁନି। ଠିକ୍‌ ସମୟରେ ଚିକିତ୍ସା ସୁବିଧା ଉପଲବ୍ଧ ହେଉ ନ ଥିବାରୁ ସାମାନ୍ୟ ରୋଗ ମହାମାରୀର ରୂପ ନେଉଛି। ଫଳରେ ଅନେକ ଲୋକ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ଅନେକ ଜନଜାତିଙ୍କ କ୍ଷେତ୍ରରେ ବଂଶଗତ ରୋଗ ମଧ୍ୟ ବ୍ୟାପୁଥିବା ଦେଖିବାକୁ ମିଳୁଛି। ପରବର୍ତୀ ସମୟରେ ତାହା ମହାମାରୀର ରୂପ ନେଉଛି। ମ୍ୟାଲେରିଆ, ଥାଲାସେମିଆ, ସିକିଲ୍‌ସେମିଆ ପରି ରୋଗ ଜନଜାତିଙ୍କଠାରେ ଅଧିକ ଦେଖିବାକୁ ମିଳୁଛି। କ’ଣ ପାଇଁ ରୋଗ ମହାମାରୀ ରୂପ ନେଉଛି ତାହା ଉପରେ ଅନୁଧ୍ୟାନ କରିବ ଆଇଏଲ୍‌ଏସ୍‌।

ଆଇଏଲ୍‌ଏସ୍‌ ନିର୍ଦେଶକ ଡା.ପରିଡ଼ାଙ୍କ କହିବାନୁଯାୟୀ, ୫୨ଟି ଜନଜାତିଙ୍କ ରୋଗ ଉପରେ ଗବେଷଣା କରାଯିବ। କେତେକ ଜନଜାତିଙ୍କଠାରେ ନିର୍ଦ୍ଦିଷ୍ଟ କିଛି ରୋଗ ରହିଛି, ଯାହାକି ବଂଶାନୁକ୍ରମେ ବ୍ୟାପୁଛି। ପଶ୍ଚିମ ଓଡ଼ିଶା ସମେତ କଳାହାଣ୍ଡି, କୋରାପୁଟ, ମାଲକାନଗିରି, ରାୟଗଡ଼ା, ଫୁଲବାଣୀ, ମୟୂରଭଞ୍ଜ, କେନ୍ଦୁଝର ପରି ଜିଲ୍ଲାରେ ବସବାସ କରୁଥିବା ଜନଜାତି ଅଞ୍ଚଳରେ ସାମ୍ପୁଲ୍‌ ସର୍ଭେ କରାଯିବ। ଏହାକୁ ଆଧାର କରି ରୋଗ ପରିଚାଳନା ରଣନୀତି ବାହାର କରିବାକୁ ଲକ୍ଷ୍ୟ ରଖାଯାଇଛି। କର୍କଟ ଉପରେ ମଧ୍ୟ କାର୍ଯ୍ୟ କରାଯିବ। ବାହାର ଦେଶରେ କାର୍ଯ୍ୟକାରୀ ହେଉଥିବା ବୈଷୟିକ ଜ୍ଞାନ କୌଶଳକୁ ବ୍ୟବହାର କରି ଗବେଷଣା ହେବ। ଏଥିପାଇଁ ଆଇଏଲ୍‌ଏସ୍‌ ପରିସରରେ ଏକ ଗବେଷଣାଗାର ମଧ୍ୟ ପ୍ରତିଷ୍ଠା କରାଯିବ। ଆର୍‌ଏମ୍‌ଆର୍‌ସି, ଭୁବନେଶ୍ୱର ଏମ୍‌ସ, ଏସ୍‌ସିବି ମେଡିକାଲ କଲେଜ, କ୍ୟାପିଟାଲ ହସ୍ପିଟାଲ ସହ ମିଶି କାର୍ଯ୍ୟକ୍ରମ ହାତକୁ ନିଆଯିବ। ଆବଶ୍ୟକ ପଡ଼ିଲେ ବାହାର ରାଜ୍ୟର ହସ୍ପିଟାଲ, ବିଶେଷଜ୍ଞଙ୍କୁ ମଧ୍ୟ ଏଥିରେ ସାମିଲ କରାଯିବକୁ ଲକ୍ଷ୍ୟ ରଖାଯାଇଥିବା ସେ କହିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ ଆଇଏଲ୍‌ଏସ୍‌ ଯେଉଁ ପଦକ୍ଷେପ ନେବ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବେ। ଆଦିବାସୀଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆଣିବା ଦିଗରେ ଏହି ଗବେଷଣା ବେଶ ସହାୟକ ହେବ।

ସମ୍ବନ୍ଧିତ ଖବର