ଜୁନିଅର ଏମ୍‌ଭିଆଇ କେବେ ହେବେ କ୍ୟାଡରଭୁକ୍ତ?

ଭୁବନେଶ୍ୱର : ପରିବହନ ବିଭାଗ ଅଧୀନରେ ପୁନଃନିଯୁକ୍ତି ପ୍ରକ୍ରିୟାରେ ଜୁନିଅର ଏମ୍‌ଭିଆଇ ଭାବେ ନିଯୁକ୍ତି ପାଇଥିବା ଅଧିକାରୀମାନଙ୍କୁ କ୍ୟାଡରଭୁକ୍ତ କରିବା ଏବଂ ନିୟମ ଅନୁଯାୟୀ ପଦୋନ୍ନତି ଦେବାକୁ ଦାବି ଜୋର୍‌ ଧରିଛି।

ଓଡ଼ିଶା ସବ୍‌ଅର୍ଡିନେଟ୍‌ ଟ୍ରାନ୍ସପୋର୍ଟ ଇଞ୍ଜିନିୟରିଂ ସର୍ଭିସ୍‌ ଆସୋସିଏସନ୍‌ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟ ସରକାର ୨୦୦୧-୦୨ରେ ୧୩ଟି ନୂଆ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ଖୋଲିବା ପରେ ଏଠାରେ ନିଯୁକ୍ତି ଦେବାକୁ ଜଳସମ୍ପଦ ଓ ଶିଳ୍ପ ବିଭାଗରୁ ୪୦ଜଣ କନିଷ୍ଠ ଯନ୍ତ୍ରୀଙ୍କୁ ପୁନଃନିଯୁକ୍ତି ପ୍ରକ୍ରିୟାରେ ଅଣାଯାଇଥିଲା। ସରକାର ୨୦୦୩ ମସିହାରେ ନିଯୁକ୍ତି ଦେବା ସମୟରେ କହିଥିଲେ ଯେ, ଚାକିରିର ବର୍ଷକ ପରେ ଓଏସ୍‌ଟିଇଏସ୍‌ କ୍ୟାଡରରେ ସାମିଲ୍‌ କରିବେ। କିନ୍ତୁ ନିଯୁକ୍ତିର ୧୪ବର୍ଷ ପରେ ବି ଏହି ଜୁନିଅର ଏମ୍‌ଭିଆଇମାନଙ୍କୁ କ୍ୟାଡରଭୁକ୍ତ କରାଗଲାନି। ଟ୍ରିବ୍ୟୁନାଲ, ସାଧାରଣ ପ୍ରଶାସନ ବିଭାଗ, ସଡ଼କ ଓ ପରିବହନ ବିଭାଗ ଜୁନିଅର ଏମ୍‌ଭିଆଇମାନଙ୍କୁ କ୍ୟାଡରଭୁକ୍ତ କରିବାକୁ ସବୁଜ ସଂକେତ ଦେଇଥିଲେ ହେଁ ଆଇନ ବିଭାଗର ପରାମର୍ଶରେ ମୁଖ୍ୟମନ୍ତ୍ରୀ ଏହାକୁ ଖାରଜ କରିଦେଇଛନ୍ତି।

ଓଡ଼ିଶା ସବ୍‌ଅର୍ଡିନେଟ୍‌ ଟ୍ରାନ୍ସପୋର୍ଟ ଇଞ୍ଜିନିୟରିଂ ସର୍ଭିସ୍‌ ଆସୋସିଏସନ୍‌ର ସୂଚନା ଅନୁଯାୟୀ, ସରକାର ପୁନଃନିଯୁକ୍ତି ପାଇଥିବା କର୍ମଚାରୀଙ୍କୁ କ୍ୟାଡରଭୁକ୍ତ କରିବା ପାଇଁ ଓଆର୍‌ପି ରୁଲ୍‌- ୨୦୦୭ ଆଣିଥିଲେ। ଏହାକୁ ୨୦୦୮ ମସିହାରେ ଲାଗୁ କରିଥିଲେ। ପୂର୍ବ ପ୍ରତିଶ୍ରୁତି ଏବଂ ଏହି ନିୟମ ଅନୁଯାୟୀ ଜୁନିଅର ଏମ୍‌ଭିଆଇମାନଙ୍କୁ କ୍ୟାଡରଭୁକ୍ତ କରିବାକୁ ଦାବି ହେବାରୁ ଆଇନ ବିଭାଗ କହୁଛି ଯେ, ୨୦୦୮ ପୂର୍ବରୁ ଏହି ପୁନଃନିଯୁକ୍ତି ହୋଇଥିବାରୁ ଏନେଇ କିଛି ନିଷ୍ପତ୍ତି ନିଆଯାଇପାରିବନି। ଯେତେବେଳେ କି ଓପିଡିସି ଏବଂ ଫିସ୍‌ଫେଡରେ କାର୍ଯ୍ୟରତ ୬ଜଣ ଅଧିକାରୀଙ୍କୁ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗରେ ୨୦୦୬ ମସିହାରେ ପୁନଃନିଯୁକ୍ତି ଦେବା ପରେ ପରବର୍ତ୍ତୀ ସମୟରେ କ୍ୟାଡରଭୁକ୍ତ କରାଯାଇଛି।

ଯଦି ଫିସ୍‌ଫେଡ୍‌ ଓ ଓପିଡିସି କର୍ମଚାରୀଙ୍କୁ ୨୦୦୮ ମସିହା ପରେ କ୍ୟାଡରଭୁକ୍ତ କରାଯାଇଛି ତେବେ ଜୁନିଅର ଏମ୍‌ଭିଆଇମାନଙ୍କୁ କାହିଁକି କ୍ୟାଡରଭୁକ୍ତ କରାଯିବନି ବୋଲି ଓଡ଼ିଶା ସବ୍‌ଅର୍ଡିନେଟ୍‌ ଟ୍ରାନ୍ସପୋର୍ଟ ଇଞ୍ଜିନିୟରିଂ ସର୍ଭିସ୍‌ ଆସୋସିଏସନ୍‌ ପ୍ରଶ୍ନ ଉଠାଇଛି। ସଂଘ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟ ସରକାର ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ପାଇଁ ଗୋଟିଏ ନିୟମ କରୁଥିବାବେଳେ ସଡ଼କ ଓ ପରିବହନ ବିଭାଗ ପାଇଁ ଆଉ ଗୋଟେ ନିୟମ କରୁଛନ୍ତି। ଜୁନିଅର ଏମ୍‌ଭିଆଇ ଭାବେ ୨୦୦୩ ମସିହାରେ ପୁନଃ ନିଯୁକ୍ତି ପାଇଥିବା ୧୦ଜଣ କର୍ମଚାରୀ ଅବସର ନେଇ ସାରିଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଗଲାଣି। ଏହି କର୍ମଚାରୀମାନେ କ୍ୟାଡରଭୁକ୍ତ ହୋଇନଥିବାରୁ ସରକାରୀ ସୁବିଧା ସୁଯୋଗ ପାଉନାହାନ୍ତି। ତେଣୁ ଏଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସଂଘ ପକ୍ଷରୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର