ଶ୍ରୀଲିଙ୍ଗରାଜ ମନ୍ଦିରରେ ଭିଡିଓ ସୁଟିଂ ରବିନାଙ୍କୁ ମହଙ୍ଗା ପଡ଼ିଲା; ମନ୍ଦିର ପ୍ରଶାସନ ଏତଲା ଦେଲା

ଭୁବନେଶ୍ୱର: ଗତ ରବିବାର ଦିନ ବିନା ଅନୁମତିରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ଭିଡିଓ ସୁଟିଂ କରିବା ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନଙ୍କୁ ମହଙ୍ଗା ପଡ଼ିଛି। ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀଲିଙ୍ଗରାଜ ଥାନାରେ ରବିନାଙ୍କ ନାଁରେ ଏତଲା ଦିଆଯାଇଥିବା ଜଣାପଡ଼ିଛି । ଏ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ଯେ, କିପରି ଏବଂ କେଉଁ ପରିସ୍ଥିତିରେ ରବିନା ମୋବାଇଲ୍‌ ସହ ଯାଇ ମନ୍ଦିର ଭିତରେ ସୁଟିଂ କଲେ। ଅପରପକ୍ଷରେ ଭୁବନେଶ୍ୱର ଡିସିପି କହିଛନ୍ତି ଅଭିଯୋଗ ମିଳିଛି ଆଇନ୍‌ ଅନୁଯାୟୀ ତଦନ୍ତ କରାଯିବ।

ସୂଚନାଯୋଗ୍ୟ, ରବିବାର ଲିଙ୍ଗରାଜ ମନ୍ଦିର ପରିସରରେ ବଲିଉଡ୍‌ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ବିୟୁଟି ଟିପ୍ସର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାପରେ ବିଭିନ୍ନ ମହଲରେ ଭ୍ରୁକୁଞ୍ଚନ ସୃଷ୍ଟି ହୋଇଥିଲା। ଲିଙ୍ଗରାଜ ମନ୍ଦିର ଭିତରକୁ ମୋବାଇଲ୍‌ ଫୋନ୍‌ ଓ ଭିଡିଓ କ୍ୟାମେରା ନେବା ବାରଣ ଥିଲେ ହେଁ କିଭଳି ରବିନାଙ୍କ ଭିଡିଓ ସୋସିଆଲ୍‌ ମିଡିଆକୁ ଆସିଲା ତାହା ଚର୍ଚ୍ଚାର ବିଷୟ ପାଲଟିଛି। ଏପରି କାର୍ଯ୍ୟ ଲାଗି କିଏ ତାଙ୍କୁ ଅନୁମତି ଦେଲା ତାହା ନେଇ ସଂସ୍କୃତିପ୍ରେମୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ରବିବାର ଲିଙ୍ଗରାଜ ମନ୍ଦିର ପରିସରରେ ଥିବା ପାର୍ବତୀ ମନ୍ଦିର ମୁଖଶାଳା ସମ୍ମୁଖ ବେହେରଣ ମଣ୍ଡପ ଉପରେ ବସି ରବିନା ଟଣ୍ଡନ ବିୟୁଟି ଟିପ୍ସ ସୁଟିଂ କରିଥିଲେ। ତେବେ ଏହାକୁ ନେଇ ଅଭିଯୋଗ ହେବ ପରେ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ମନ୍ଦିର ପ୍ରଶାସନକୁ ସୋମବାର କୈଫିୟତ ତଲବ କରାଯାଇଥିବା ସୂଚନା ମିଳିଥିଲା। ଏହାପରେ ଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ମଙ୍ଗଳବାର ଏତଲା ଦିଆଯାଇଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ରୁଚି ଫିଲ୍ମ ଫେୟାର ଆଓ୍ଵାର୍ଡ ଉତ୍ସବରେ ଯୋଗଦେବା ଲାଗି ବଲିଉଡ୍‌ ଅଭିନେତ୍ରୀ ରବିନା ଭୁବନେଶ୍ୱର ଆସିଥିଲେ। ପ୍ରଥମ ଥର ଲାଗି ଲିଙ୍ଗରାଜ ମନ୍ଦିର ବୁଲି ଦେଖିଥିଲେ ରବିନା। ପ୍ରକୃତରେ ଭୁବନେଶ୍ୱର ହିଁ ଐତିହ୍ୟ ସହର ଓ ଜାତୀୟ-ଅନ୍ତର୍ଜାତୀୟ ସ୍ତରରେ ଏହାର ପ୍ରଚାର ପ୍ରସାର ଦିଗରେ ପର୍ଯ୍ୟଟନ ବିଭାଗ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି କହିଥିଲେ ରବିନା।

ସମ୍ବନ୍ଧିତ ଖବର