‘କୁଜୀବରପତ୍ର’ର ପଞ୍ଜୀକରଣ ପାଇଁ ଉଦ୍ୟମ ହେବା ଆବଶ୍ୟକ: ସୌମ୍ୟରଞ୍ଜନ

ଚୌଦ୍ୱାର-ଗୁରୁଡ଼ିଝାଟିଆ/ମଙ୍ଗୁଳି : ଖବର ଓ ବାର୍ତ୍ତାର କେବେ ଅନ୍ତହୁଏ ନାହିଁ। ଓଡ଼ିଶାର ପ୍ରଥମ ସମ୍ବାଦପତ୍ର ‘କୁଜୀବରପତ୍ର’ର ପଞ୍ଜୀକରଣ ପାଇଁ ସମସ୍ତ ଗଣମାଧ୍ୟମ ପକ୍ଷରୁ ଉଦ୍ୟମ ହେବା ଆବଶ୍ୟକ। ସାମାଜିକ ବ୍ୟବସ୍ଥା ଓ ସଂସ୍କାରକୁ ପ୍ରଚାର ପ୍ରସାର କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଗଣମାଧ୍ୟମର ଜନ୍ମଦାତା ‘କୁଜୀବର ପତ୍ରିକା’ ଆମ ରାଜ୍ୟ ଓ ଦେଶ ପାଇଁ ଗର୍ବ ଓ ଗୌରବ। ମହାତ୍ମା ସାଧୁସୁନ୍ଦର ୧୭୬୯ ମସିହାରେ ତାଙ୍କର ମହାନ ଦୂରଦୃଷ୍ଟି ଚିନ୍ତାଧାରାରେ ଏହି ପତ୍ରିକା ଦ୍ୱାରା ଲୋକଙ୍କୁ ଲୋକଙ୍କ ସହ ଯୋଡ଼ିବାକୁ ପ୍ରୟାସ କରିଥିଲେ, ଯାହାକି ପରପିଢ଼ିକୁ ଖବର ପ୍ରକାଶନ ପାଇଁ ପ୍ରେରଣା ଯୋଗାଇ ପାରିଥିଲା। ତେବେ ‘କୁଜୀବର ପତ୍ରିକା’ର ପଞ୍ଜୀକରଣ ପାଇଁ ମିଳିତ ଉଦ୍ୟମ ହେବା ଜରୁରି ବୋଲି ଆଜି ଚୌଦ୍ୱାର ଟାଉନ୍‌ ହଲ୍‌ ଠାରେ ତ୍ରିଲୋଚନ ଖୁଣ୍ଟିଆଙ୍କ ଦ୍ୱାରା ପ୍ରକାଶିତ ‘ମହାତ୍ମା ସାଧୁସୁନ୍ଦର ପତ୍ରିକା’ର ଉନ୍ମୋଚନ ଉତ୍ସବରେ ଉଦ୍‌ଘାଟକ ଭାବେ ଯୋଗଦେଇ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି।

ଶିକ୍ଷାବିତ୍‌ କୈଳାସ ଚନ୍ଦ୍ର ବରାଳଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ସାରଳା ସାହିତ୍ୟ ସଂସଦର ପ୍ରତିଷ୍ଠାତା ଇଂ ପ୍ରଭାକର ସ୍ୱାଇଁ ପ୍ରଧାନ ଅତିଥି, ବିଶିଷ୍ଟ ସାହିତ୍ୟିକ ପ୍ରଫେସର ଡକ୍ଟର ବୈଷ୍ଣବ ଚରଣ ସାମଲ ମୁଖ୍ୟଅତିଥି, ପ୍ରଫେସର ଡକ୍ଟର ମହେଶ୍ୱର ମହାନ୍ତି ମୁଖ୍ୟବକ୍ତା, ହିନ୍ଦ୍‌ ସେବକ ସଂଘ ସର୍ବଭାରତୀୟ ଅଧ୍ୟକ୍ଷ ସମାଜସେବୀ ଦାମୋଦର ସାହୁ, ପ୍ରଫେସର ଡକ୍ଟର କୃପାସିନ୍ଧୁ ପଣ୍ଡା ଓ ଓଡ଼ିଶା ହାଇକୋର୍ଟ ବାର୍‌ ଆସୋସିଏସନ୍‌ ପୂର୍ବତନ ସଭାପତି ଅଶୋକ କୁମାର ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ‘ବୈଷ୍ଣବ କବି ବୈଷ୍ଣବ ଚରଣ’ ପୁସ୍ତିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଏଥିସହ ଶ୍ରୀ ପଟ୍ଟନାୟକଙ୍କୁ ସ୍ୱତନ୍ତ୍ର ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା। ‘ମହାତ୍ମା ସାଧୁସୁନ୍ଦର ସ୍ମୃତି କମିଟି’ ସମ୍ପାଦକ କରୁଣାକର ବେହେରାଙ୍କ ସମେତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଅନ୍ତର୍ଯ୍ୟାମୀ ଦାସ, ଉମେଶ ଚନ୍ଦ୍ର ସାହାଣୀ, କେ.ସି. ପ୍ରତାପ ସିଂ, ଭାଗିରଥୀ ସାହୁ, କୈଳାସ ଚନ୍ଦ୍ର ଦାସ, ସନାତନ ବେହେରା, ରମେଶଚନ୍ଦ୍ର ବେହେରା, ଆକୁଳି ରାଉତ, ଅବନି ମହାରଣା, ସତ୍ୟଭାମା ମହାରଣା ଓ ମାନସ କୁମାର ସାହୁ ପ୍ରମୁଖ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର