କଟକଣା ଭିତରେ ପାଳନ ହେବ ସ୍ୱାଧୀନତା ଦିବସ

ସକାଳ ୯ଟା ପରେ ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ପତାକା ଉତ୍ତୋଳନ କରିବେ

କେନ୍ଦ୍ର ସ୍ୱାରାଷ୍ଟ୍ର ବିଭାଗ ପଠାଇଲା ନିର୍ଦ୍ଦେଶ
ରାଜ୍ୟସ୍ତରୀୟ ସମାରୋହରେ କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରାଯିବ
ପରେଡ଼୍ ଓ ସାଧାରଣ ଲୋକଙ୍କ ସମାଗମ ମନା
ସାଧାରଣ ଲୋକଙ୍କ ପାଇଁ ସମାରୋହ ସ୍ଥଳରୁ ​ୱେବ୍‌କାଷ୍ଟ କରାଯିବ
ସାମାଜିକ ଦୂରତା ପୂର୍ବକ ଜିଲ୍ଲା ଓ ସବ୍‌ଡିଭିଜନ୍‌ ପାଇଁ ସମାନ ନିୟମ

ଭୁବନେଶ୍ୱର : ଚଳିତବର୍ଷ ଚାରିଆଡ଼େ କରୋନା ସଂକ୍ରମଣ ଆତଙ୍କ। କୋଭିଡ୍‌-୧୯ ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ଭାରତ ସଂଗ୍ରାମ ଜାରି ରଖିଛି। ଏହାରି ଭିତରେ ଆସନ୍ତା ଅଗଷ୍ଟ ୧୫ ତାରିଖରେ ୭୪ ତମ ସ୍ବାଧୀନତା ଦିବସ ପାଳନ ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ସାମାଜିକ ଦୂରତା, ମାସ୍କ୍‌, ସାନିଟାଇଜେସନ୍‌ ଓ ସାଧାରଣ ଲୋକଙ୍କ ବିନା ସମାଗମରେ ସ୍ବାଧୀନତା ଦିବସ ପାଳନ କରିବାକୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସବୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶାବଳୀ ପଠାଇଛନ୍ତି। କେନ୍ଦ୍ର ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାର ବି ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ସମାରୋହ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେହିଦିନ ସକାଳ ୯ଟା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର ସ୍ଥିତ ଗାନ୍ଧୀ ମାର୍ଗରେ ଜାତୀୟ ପତାକା ଉତ୍ତୋଳନ କରିବେ। ଏହି ସମାରୋହରେ ଡାକ୍ତର, ନର୍ସ୍‌, ସ୍ବାସ୍ଥ୍ୟ କର୍ମୀ, ସଫେଇ କର୍ମଚାରୀଙ୍କ ପରି କରୋନା ଯୋଦ୍ଧାଙ୍କୁ ନିମନ୍ତ୍ରଣ କରାଯାଇ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଛି। ସାଧାରଣ ଲୋକଙ୍କ ପାଇଁ ସ୍ବାଧୀନତା ଦିବସ ସମାରୋହର ୱେବ୍‌ କାଷ୍ଟ୍‌ କରିବା ପାଇଁ ସ୍ଥିର କରାଯାଇଛି।

କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଗତ ୨୦ ତାରିଖରେ ପଠାଇଥିବା ଗାଇଡ୍‌ଲାଇନ୍‌ ଅନୁଯାୟୀ, ଅଗଷ୍ଟ ୧୫ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ଲାଲ୍‌କିଲ୍ଲା ଠାରେ ସଶସ୍ତ୍ର ବାହିନୀ, ଦିଲ୍ଲୀ ପୁଲିସ ପକ୍ଷରୁ ସଲାମି (ଗାର୍ଡ଼୍‌ ଅଫ୍‌ ଅନର୍‌) ଗ୍ରହଣ କରିବା ପରେ ଜାତୀୟ ପତାକା ଉତ୍ତୋଳନ କରିବେ। ପରେ ଜାତୀୟ ସଙ୍ଗୀତ ପରିବେଷଣ କରାଯିବା ସହ ୨୧ଟି ତୋପ ସଲାମି ପ୍ରଦାନ କରାଯିବ। ଏହାପରେ ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ରଖିବେ। ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ପରେ ଜାତୀୟ ସଙ୍ଗୀତ ପରିବେଷଣ କରାଯିବା ସହ ତ୍ରିରଙ୍ଗା ବେଲୁନ୍‌ ଛଡ଼ାଯିବ। ରାଷ୍ଟ୍ରପତି ଭବନରେ ସମାଜିକ ଦୂରତା ରକ୍ଷା ପୂର୍ବକ ‘ଆଟ୍‌ ହୋମ୍‌’ ଅଭ୍ୟର୍ଥନା ଉତ୍ସବ ଅନୁଷ୍ଠିତ ହେବ।

ରାଜ୍ୟସ୍ତରରେ ମୁଖ୍ୟମନ୍ତ୍ରୀମାନେ ସେମାନଙ୍କର ରାଜ୍ୟର ରାଜଧାନୀରେ ଜାତୀୟ ପତାକା ଉତ୍ତୋଳନ କରିବା ପରେ ଜାତୀୟ ସଙ୍ଗୀତ ପରିବେଷଣ କରାଯିବ। ଏହାପରେ ପୁଲିସ୍‌, ପାରାମିଲିଟାରି ଫୋର୍ସ୍‌, ହୋମ୍‌ ଗାର୍ଡ଼୍‌, ଏନ୍‌ସିସି, ସ୍କାଉଟ୍‌ ବାହିନୀ ପକ୍ଷରୁ ସଲାମି (ଗାର୍ଡ଼୍‌ ଅଫ୍‌ ଅନର୍‌) ପ୍ରଦାନ ପରେ ମୁଖ୍ୟମନ୍ତ୍ରୀ ଅଭିଭାଷଣ ପ୍ରଦାନ କରିବେ। ମୁଖ୍ୟମନ୍ତ୍ରୀଙ୍କ ଅଭିବାଦନ ପରେ ଜାତୀୟ ସଙ୍ଗୀତ ଗାନ କରାଯାଇ ସମାରୋହ ସମାପନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସମାରୋହରେ ସବୁ ବର୍ଷ ପରି ପରେଡ଼୍‌ ହେବ ନାହିଁ। କରୋନା ରୋଗରୁ ସୁସ୍ଥ ହୋଇଥିବା କେତେକ ବ୍ୟକ୍ତିଙ୍କୁ ଏହି ଉତ୍ସବକୁ ମଧ୍ୟ ଆମନ୍ତ୍ରଣ କରାଯିବ। ସ୍ବାଧୀନତା ଦିବସ ସମାରୋହରେ ସାମିଲ ହେଉଥିବା ପ୍ରତ୍ୟେକ ବ୍ୟକ୍ତି ମୁହଁରେ ମାସ୍କ୍‌ ଲଗାଇବା ସହ ସାମାଜିକ ଦୂରତା ରକ୍ଷା କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ସମାନ ନିୟମ ଅନୁପାଳନ ପୂର୍ବକ ଜିଲ୍ଲା ଓ ସବ୍‌ ଡିଭିଜନ୍‌ ସ୍ତରରେ ଚଳିତବର୍ଷ ସ୍ବାଧୀନତା ଦିବସ ପାଳନ କରାଯିବ। ସକାଳ ୯ଟା ପରେ ମୁଖ୍ୟ ଅତିଥି ଜାତୀୟ ପତାକା ଉତ୍ତୋଳନ କରିବେ। ସେହିପରି ପଞ୍ଚାୟତ ସ୍ତରରେ ବି ସାମାଜିକ ଦୂରତା ରକ୍ଷା କରି ସରପଞ୍ଚ କିମ୍ବା ଗ୍ରାମ ମୁଖିଆମାନେ ପତାକା ଉତ୍ତୋଳନ କରିବେ। ପଞ୍ଚାୟତ ସ୍ତରରେ ଅନୁଷ୍ଠିତ ହେବାକୁ ଥିବା ଏହି ସମାରୋହକୁ କରୋନା ଯୋଦ୍ଧାଙ୍କୁ ନିମନ୍ତ୍ରଣ କରି ସମ୍ମାନିତ କରାଯାଇପାରିବ ବୋଲି କେନ୍ଦ୍ର ସରକାର ଉଲ୍ଲେଖ କରିଛନ୍ତି।

କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ ମୁତାବକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ରାଜଭବନ କିମ୍ବା ରାଜନିବାସରେ ‘ଆଟ୍‌ ହୋମ୍‌’ ଅଭ୍ୟର୍ଥନା ହେବ କି ନାହିଁ ସେଠାକାର ସ୍ଥିତିକୁ ଦେଖି ସମ୍ପୃକ୍ତ ରାଜ୍ୟର ରାଜ୍ୟପାଳ ଓ ଲେଫ୍ଟନାଣ୍ଟ୍‌ ଗଭର୍ଣ୍ଣର୍‌ମାନେ ନିଷ୍ପତ୍ତି ନେବେ। ରାଜ୍ୟପାଳଙ୍କ ଦ୍ବାରା ଆହୁତ ଏହି ଅଭ୍ୟର୍ଥନା ପାର୍ଟିକୁ କରୋନା ସଂଗ୍ରାମରେ ନିଜକୁ ଉତ୍ସର୍ଗ କରିଥିବା ଡାକ୍ତର, ନର୍ସ୍‌, ସ୍ବାସ୍ଥ୍ୟ କର୍ମୀ ଆଦି କରୋନା ଯୋଦ୍ଧାଙ୍କୁ ନିମନ୍ତ୍ରଣ କରି ସମ୍ମାନିତ କରିବାକୁ ପରାମର୍ଶ ଦିଆଯାଇଛି। ସ୍ବାଧୀନତା ଦିବସରେ ପରିବେଷଣ ହେବାକୁ ଥିବା ପୁଲିସ୍‌ ବ୍ୟାଣ୍ଡ୍‌ ପୂର୍ବରୁ ରେକର୍ଡ଼ିଂ କରି ବଡ଼ ଟେଲିଭିଜନ୍‌ ପରଦାରେ ପ୍ରଦର୍ଶିତ କରାଯିବ। ଏହାସହିତ ବିଭିନ୍ନ ସୋସିଆଲ୍‌ ମିଡିଆରେ ବି ଏହି ରେକର୍ଡ଼ିଂ ଅପଲୋଡ଼ କରାଯିବ। ଏହାସହିତ ସ୍ବାଧୀନତା ଦିବସ ଉପଲକ୍ଷେ ବୃକ୍ଷ ରୋପଣ, ଆନ୍ତଃବିଦ୍ୟାଳୟ ଓ ଆନ୍ତଃମହାବିଦ୍ୟାଳୟ ସ୍ତରୀୟ ବକ୍ତୃତା ପ୍ରତିଯୋଗିତାକୁ ଡିଜିଟାଲ୍‌ ପ୍ଲାଟ୍‌ଫର୍ମ୍‌ ଜରିଆରେ କରାଯାଇପାରିବ। ଅନ୍‌ଲାଇନ୍‌ ଯୋଗେ କୁଇଜ୍‌ କାର୍ଯ୍ୟକ୍ରମ, ଦେଶାତ୍ମବୋଧକ ରଚନା ଲିଖନ ଓ କବିତା ଆବୃତି ପ୍ରତିଯୋଗିତାମାନ କରିବାରେ ବାରଣ ନାହିଁ। ଏହାସହିତ ରାଜ୍ୟ ସରକାରମାନେ ଚାହିଁଲେ ନୂଆ ଯୋଜନାର ଘୋଷଣା କରିପାରିବେ। ସରକାରୀ କୋଠା, ରାଜଭବନ ଆଦିର ଆଲୋକୀକରଣ କରାଯିବ। ଦେଶଭକ୍ତି ପାଇଁ ରାଜ୍ୟ ସରକାରମାନେ ସାମାଜିକ ଦୂରତା ନିୟମ ଅନୁପାଳନ ପୂର୍ବକ ଯେ କୌଣସି କାର୍ଯ୍ୟକ୍ରମ କରିବାକୁ ଚାହିଁବେ ତାକୁ କରିପାରିବେ ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦର୍ଶାଇଛି। ‘ଆତ୍ମନିର୍ଭର ଭାରତ’ କାର୍ଯ୍ୟକ୍ରମ ପ୍ରଚାର ଓ ପ୍ରସାର ପାଇଁ ଉଦ୍ୟମ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର