ବାରବାଟୀରେ ଭାରତ – ଦକ୍ଷିଣ ଆଫ୍ରିକା ଟି -୨୦ ମ୍ୟାଚ

ଖେଳ ଆରମ୍ଭର ଦେଢ଼ ଘଣ୍ଟା ପରେ ବି ଲମ୍ବା ଧାଡ଼ି

ଭାରତ ଓ ଦ.ଆଫ୍ରିକା ଟି-୨୦ ମ୍ୟାଚ୍‌କୁ ନେଇ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଛି। ସଂଧ୍ୟା ୭ଟାରେ ଖେଳ ଆରମ୍ଭ ହେବାକୁ ଥିବା ବେଳେ ଷ୍ଟାଡିୟମ୍‌ର ବିଭିନ୍ନ ପ୍ରବେଶ ଦ୍ବାର ଆଗରେ ଅପରାହ୍‌ଣ ସାଢ଼େ ଗୋଟାଏରୁ ଲୋକେ ଧାଡ଼ିରେ ଛିଡ଼ା ହୋଇଥିଲେ। ମ୍ୟାଚ୍‌ ଆରମ୍ଭର ୪ଘଣ୍ଟା ପୂର୍ବରୁ ତଥା ଅପରାହ୍‌ଣ ୩ଟାରେ ଦର୍ଶକଙ୍କୁ ଷ୍ଟାଡିୟମ୍‌ ଭିତରକୁ ଛଡ଼ା ଯାଇଥିଲେ ବି ରାତି ସାଢ଼େ ୮ଟା ପର୍ଯ୍ୟନ୍ତ ୫ ଓ ୯ ନମ୍ବର ଗ୍ୟାଲେରି ଦର୍ଶକଙ୍କ ଲମ୍ବା ଲାଇନ୍‌ ଷ୍ଟାଡିୟମ ବାହାରେ ଦେଖିବାକୁ ମିଳିଥିଲା।

ବ୍ଲାକର୍‌ଙ୍କ ହାତରେ ଯାହାକୁ ଯେତେ ଟିକେଟ୍‌, ଅଧା ଦାମ୍‌ରେ ଯାଚିଲେ, ପାସ୍‌ ବି ବିକିଲେ

ବାରବାଟୀ ଷ୍ଟାଡିୟମ ବାହାରେ ଆଜି ବ୍ଲାକର୍‌ ଲୋକଙ୍କୁ ଡାକି ଟିକେଟ୍ ଆଉ ପାସ୍ ବିକୁଥିବା ଦେଖିବାକୁ ମିଳିଥିଲା। କେବଳ କର୍ପୋରେଟ ବକ୍ସ, ଏସି ବକ୍ସକୁ ଛାଡ଼ିଦେଲେ ସେମାନଙ୍କ ପାଖରେ ପ୍ରାୟ ସବୁ ପ୍ରକାର ଟିକେଟ୍ ମିଳୁଥିଲା। ସ୍ପେସାଲ ଏନ୍‌କ୍ଲୋଜର, କ୍ଲବ୍ ହାଉସ୍‌ ପାସ୍‌କୁ ବି ଏ‌ମ‌ାନେ ବିକୁଥିଲେ। ସକାଳୁ ଅପରାହ୍‌ଣ ପର୍ଯ୍ୟନ୍ତ ଏମାନେ ଟିକେଟ୍‌ ଦର ଉପରେ ଦେଢ଼/ଦୁଇଗୁଣା ଅଧିକ ଟଙ୍କା ଦାବି କରୁଥିଲେ। କିନ୍ତୁ ମ୍ୟାଚ୍ ଆରମ୍ଭ ହେବା ବେଳକୁ ସେସବୁ ଦର ଅଧା କରି ଦେଇଥିଲେ। ଯେଉଁସବୁ ପାସ୍ ରଖିଥିଲେ, ତାହାକୁ ଯାହା ଦେଉଛ, ଦିଅ, ନେଇଯାଅ ବୋଲି କହି ଯାଚୁଥିଲେ। ପୁଲିସ ଉପସ୍ଥିତିରେ ଏସବୁ କାରବାର ଖୁଲମଖୁଲା ଚାଲିଥିଲେ ବି କେହି କିନ୍ତୁ କିଛି କହୁ ନଥିଲେ।

୧୦ ବର୍ଷ ହେଲା ଦେହରେ ତ୍ରିରଙ୍ଗା ଆଙ୍କୁଛନ୍ତି

କେନ୍ଦୁଝର ଆନନ୍ଦପୁରର ଗୋବିନ୍ଦ ଚନ୍ଦ୍ର ସା ୧୦ବର୍ଷ ହେବ ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରେ ହେଉଥିବା ବିଭିନ୍ନ କ୍ରିକେଟ ମ୍ୟାଚ୍‌ ଦେଖିବାକୁ ଯାଇଥା’ନ୍ତି। ସବୁଥର ସେ ନିଜ ଦେହକୁ ତ୍ରିରଙ୍ଗାରେ ରଙ୍ଗାଇ, ହାତରେ ଜାତୀୟ ପତାକା ଧରି ଖେଳାଳି ଓ ଦର୍ଶକଙ୍କୁ ଷ୍ଟାଡିୟମ୍‌ ଭିତରେ ଉତ୍ସାହିତ କରିଥା’ନ୍ତି। ଏଥର କିଟ୍‌ ପକ୍ଷରୁ ତାଙ୍କୁ ପାସ୍‌ ମିଳିଥିବାରୁ ସେ ବାରବାଟୀ ଆସିଥିବା କହନ୍ତି।

ଉତ୍ତରପ୍ରଦେଶ ଛାତ୍ରଙ୍କ ପେଣ୍ଟିଂ

ଉତ୍ତରପ୍ରଦେଶର ଯୁକ୍ତ ଦୁଇର ଛାତ୍ର ଗୌରବ। ସେ ଆଜି ଷ୍ଟାଡିୟମ୍‌ ବାହାରେ ଖେଳପ୍ରେମୀଙ୍କ ମୁହଁ ଆଉ ଦେହରେ ପେଣ୍ଟିଂ କରୁଥିଲେ। ଏହାସହ ହ୍ୟାଣ୍ଡ ବ୍ୟାଣ୍ଡ, ଜାତୀୟ ପତାକା ମଧ୍ୟ ବିକୁଥିଲେ। ଗତକାଲି ସେ କଟକରେ ଆସି ପହଁଚିଛନ୍ତି। ହ୍ୟାଣ୍ଡ ବ୍ୟାଣ୍ଡକୁ ୨୦ ଟଙ୍କା, ଜାତୀୟ ପତାକା ୧୦୦ ଟଙ୍କା, ଟୋପି ୪୦ ଟଙ୍କା ଓ ପେଁକାଳି ୩୦ ଟଙ୍କା‌ରେ ବିକୁଥିଲେ।

ସମ୍ବନ୍ଧିତ ଖବର